ରାଜ୍ୟରେ ନୂଆ ଥାନା ଓ ଫାଣ୍ଡି ଖୋଲିବା ନେଇ ବିଧାନସଭାରେ ଆଲୋଚନା

ଭୁବନେଶ୍ବର : ରାଜ୍ୟରେ ଆଇନଶୃଙ୍ଖଳାକୁ ନେଇ ବିଧାନସଭାରେ ପ୍ରଶ୍ନକାଳରେ ସରଗରମ ଆଲୋଚନା । ନୂଆ ଥାନା ଓ  ଫାଣ୍ଡି ଖୋଲିବା ନେଇ ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି। ବିଧାନସଭାରେ ୬୮ଟି ନୂଆ ଥାନା, ୧୦୩ଟି ଫାଣ୍ଡି ଓ ୩ ଥାନାର ନବୀକରଣ କରିବା ପାଇଁ ୬୦ଜଣ ବିଧାୟକମାନେ ପ୍ରସ୍ତାବ ଦେଇଥିଲେ। ବାଚସ୍ପତିଙ୍କ ରୁଲିଂ ଏବଂ ବିଧାୟକମାନଙ୍କ ପ୍ରସ୍ତାଵ ପରେ ବି ଏହା କାର୍ଯ୍ୟକାରୀ ହେଉ ନଥିବାରୁ ଆଜି ଗୃହରେ ଉଦବେଗ ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ସେପଟେ ନୟାଗଡ଼ ରଣପୁରର ଶାସକ ଦଳ ବିଧାୟକ ସତ୍ୟନାରାୟଣ ପ୍ରଧାନ ମଧ୍ୟ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ନେଇ ଉଦବେଗ ପ୍ରକାଶ କରିଛନ୍ତି। ପ୍ରଶ୍ନକାଳରେ ସେ କହିଛନ୍ତି ରାଜ୍ୟରେ ଥାନା ଓ ଫାଣ୍ଡିର ଅଭାବ ରହିଛି। ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ଆଇନଶୃଙ୍ଖଳା ପରିସ୍ଥିତି ବିଗୁଡ଼ୁଛି ବୋଲି ସେ କହିଛନ୍ତି। ରାଜ୍ୟରେ ଥାନା ଓ ଫାଣ୍ଡି ଖୋଲିବା ନେଇ ଗୃହରେ ୪୦ ବିଧାୟକଙ୍କ ଉଦବେଗକୁ ଦେଖି ବାଚସ୍ପତି ରୁଲିଂ ଦେଇଛନ୍ତି। ପୁଲିସ ଡିଜି, ଡିଆଇଜି କ୍ରାଇମବ୍ରାଞ୍ଚ ଓ ଗୃହ ସଚିବଙ୍କୁ ଡାକି ଆଲୋଚନା କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଆଜିର ପ୍ରଶ୍ନକାଳ ସରିବା ପରେ ବୈଠକ ଡାକି ଆଲୋଚନା କରିବାକୁ କହିଛନ୍ତି। ଏ ନେଇ ଗୃହରେ ଏକ ବିବୃତି ରଖନ୍ତୁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି।

Leave a Reply

Your email address will not be published. Required fields are marked *