ହନିଟ୍ରାପରେ ସେନା କର୍ମଚାରୀ : ଏସଟିଏଫ ଦ୍ୱାରା ଗିରଫ

ହରିୟାଣା ଏସଟିଏଫ ମିଲିଟାରୀ ଇଞ୍ଜିନିୟରିଂ ସର୍ଭିସ (ଏମଏସ) ର ଜଣେ କର୍ମଚାରୀଙ୍କୁ ଗିରଫ କରାଯାଇଛି। ମହେଶ କୁମାର ନାମକ ଏହି କର୍ମଚାରୀ ପାକିସ୍ତାନୀ ଇଣ୍ଟେଲିଜେନ୍ସ ଅପରେଟିଭ୍ (ପିଆଇଓ) ଦ୍ୱାରା ହନି ଟ୍ରାପରେ ଫସିଥିଲେ। ସେ ଜୟପୁରର ଆର୍ମି ବ୍ରିଗେଡ୍ ଏବଂ ସେଠାରେ ଅବସ୍ଥାପିତ କିଛି ବରିଷ୍ଠ ଅଧିକାରୀଙ୍କ ବିଷୟରେ ସୂଚନା ଦେଇଥିବା ଅଭିଯୋଗ ହୋଇଛି।

ମହେଶ କୁମାର “ଅପରେସନ୍ ମ୍ୟାଡାମଜୀ” ମାଧ୍ୟମରେ ଧରାପଡିଛନ୍ତି। ମହେଶ କୁମାର ପିଆଇଓ କୁ ମ୍ୟାଡାମ ଜୀ ବୋଲି କହୁଥିଲେ। ସରକାରୀ ସୂତ୍ର ଆଧାରରେ ନ୍ୟୁଜ୍ ଏଜେନ୍ସି ଆଇଏଏନ୍‌ଏସ୍‌ ପକ୍ଷରୁ ପ୍ରକାଶ ଯେ, ଲକ୍ଷ୍ନୌରେ ଅବସ୍ଥିତ ମିଲିଟାରୀ ଇଣ୍ଟେଲିଜେନ୍ସର ସୂଚନା ଆଧାରରେ ମହେଶଙ୍କୁ ହରିୟାଣା ଏସଟିଏଫ ଗିରଫ କରିଛି।

ମହେଶ ପ୍ରାୟ ଅଢେଇ ବର୍ଷ ଧରି ପାକିସ୍ତାନୀ ମିଲିଟାରୀ ଇଣ୍ଟେଲିଜେନ୍ସର ଅପରେଟିଭଙ୍କ ସହ ଯୋଗାଯୋଗରେ ଥିଲେ। ଏହା ସହ ପିଆଇଓ ଠାରୁ ମହେଶ ଅନେକ ଥର ଟଙ୍କା ନେଇଥିଲେ। ଲକ୍ଷ୍ନୌ ମିଲିଟାରୀ ଇଣ୍ଟେଲିଜେନ୍ସକୁ ଜୁନ୍ ମାସରେ ସୂଚନା ଦିଆଯାଇଥିଲା ଯେ ଜୟପୁର ପୋଷ୍ଟରେ ଥିବା ମହେଶ କୁମାରଙ୍କ ମୋବାଇଲ ନମ୍ବରରୁ ପାକିସ୍ତାନୀ ସେନାରେ କାର୍ଯ୍ୟ କରୁଥିବା ଜଣେ ମହିଳା ଅଧିକାରୀଙ୍କୁ ସୂଚନା ଦିଆଯାଉଛି।

ମହେଶ ନିଜ ବୟାନରେ କହିଛନ୍ତି ଯେ, ପାକିସ୍ତାନୀ ଅପରେଟିଭଙ୍କ ଠାରୁ ଦୁଇ ଥର ୫-୫ ହଜାର ପେମେଣ୍ଟ ପାଇଥିଲେ। ୨୦୧୮ ଜୁଲାଇରେ ସେ ଫେସବୁକ ଆକାଉଣ୍ଟରୁ ହାର୍ଲେନ ଗିଲ ନାମକ ଜଣେ ମହିଳାକୁ ରିକ୍ୟୁଷ୍ଟ ପଠାଇଥିଲେ। ଉଭୟଙ୍କ ମଧ୍ୟରେ ଭିଡିଓ ଏବଂ ଅଡିଓ ଚାଟିଂ ମଧ୍ୟ ହୋଇଥିଲା। ମହିଳା ଜଣଙ୍କ ମହେଶଙ୍କୁ କହିଥିଲେ ଯେ, ସେ ଜଲନ୍ଦରସ୍ଥିତ ପ୍ରିନ୍ସିପାଲ କଣ୍ଟ୍ରୋଲର ଅଫ୍ ଡିଫେନ୍ସ ଆକାଉଣ୍ଟରେ କାମ କରନ୍ତି।

କିଛି ମାସ ପରେ ହାର୍ଲେନ ଗିଲ ନାମକ ସେହି ଆକାଉଣ୍ଟ ଡି-ଆକ୍ଟିଭେଟ ହୋଇଯାଇଥିଲା। ୨୦୧୯ରେ ହାମାନ କୌର ନାମକ ଆକାଉଣ୍ଟରୁ ମହେଶଙ୍କୁ ଫ୍ରେଣ୍ଡ ରିକ୍ୟୁଷ୍ଟ ଆସିଥିଲା। ଦୁହେଁ ମେସେଞ୍ଜରରେ ଏବଂ ପରେ ହ୍ବାଟ୍ସ ଆପ୍‌ରେ ଚାଟିଂ ଆରମ୍ଭ କରିଥିଲେ। ଉଭୟେ ଭିଡିଓ ଚାଟ୍ ମଧ୍ୟ କରୁଥିବା ମହେଶ ସ୍ବୀକାର କରିଛନ୍ତି।

 

Leave a Reply

Your email address will not be published. Required fields are marked *