ହରିପୁର ଓ ମଣିଜଙ୍ଗାରେ ପଶିଲା ବନ୍ୟାଜଳ, ବାସହରା ୫୦ ରୁ ଅଧିକ ପରିବାର

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାରେ ବର୍ଷାର ପରିମାଣ କମିବା ସହ ପାଗରେ ପରିବର୍ତ୍ତନ ଆସିଥିଲେ ମଧ୍ୟ ଜିଲା ଦେଇ ପ୍ରବାହିତ ଦେବୀ ନଦୀ ଓ ମହାନଦୀରେ ବନ୍ୟା ଜଳ ବୃଦ୍ଧି ପାଇ ଚାଲିଥିବାର ଦେଖାଯାଇଛି । ଦେବୀ ନଦୀର ଭଣ୍ଡି ସାହି ଓ ତୁମ୍ବେଶ୍ଵର ନିକଟରେ ନଦୀ ବନ୍ଧ ଦୁର୍ବଳ ଥିବାରୁ ଏଠାରେ ଜଳ ସଂପଦ ବିଭାଗ ପକ୍ଷରୁ ବାଲିବସ୍ତା ପକାଯିବା ସହ ଅଧିକ ବାଲିବସ୍ତା ମଧ୍ୟ ମହଜୁତ ରଖାଯାଇଛି ।

ସେହିପରି ମହାନଦୀରେ ମଧ୍ୟ ବନ୍ୟା ଜଳ ବୃଦ୍ଧି ପାଇବା ଫଳରେ ଜିଲାର ରଘୁନାଥପୁର, ତିର୍ତ୍ତୋଲ ଓ କୁଜଙ୍ଗ ବ୍ଲକର ନଦୀ ଅଵହିକାରେ ଥିବା ୨୦ ରୁ ଉର୍ଦ୍ଧ୍ୱ ଗାଁର ଲୋକେ ଆଶଙ୍କା ଭିତରେ ରହିଛନ୍ତି । କୁଜଙ୍ଗ ବ୍ଲକର ହରିପୁର ଗାଁରେ ଗତକାଲି ରାତିରେ ବନ୍ୟା ଜଳ ପଶିବା ଯୋଗୁ ୫୦ ରୁ ଉର୍ଦ୍ଧ୍ୱ ପରିବାର ବାହ୍ୟ ଜଗତରୁ ବିଛିନ୍ନ ହୋଇ ପଡିଛନ୍ତି ।

ସେହିପରି ତିର୍ତ୍ତୋଲ ବ୍ଲକର ମଣିଜଙ୍ଗା ଗାଁରେ ମଧ୍ୟ ବନ୍ୟା ଜଳ ପ୍ରବେଶ କରିଛି । ମଣିଜଙ୍ଗା-ପାଳନ୍ଦା-ତାର୍ତ୍ତୋଲ ରାସ୍ତାରେ ପ୍ରାୟ ତିନି ଫୁଟ ଉଚ୍ଚର ପାଣି ଚାଲିବା ଫଳରେ ଏହି ରାସ୍ତାରେ ଯୋଗାଯୋଗ ବିଛିନ୍ନ ହୋଇପଡିଛି । ଆରପଟେ ବନ୍ୟା ସ୍ଥିତିକୁ ନଜରରେ ରଖି ଜିଲା ପ୍ରଶାସନ ପକ୍ଷରୁ ଗତକାଲି ଜରୁରୀ ବୈଠକ ଡକାଯାଇ ବିଭିନ୍ନ ପ୍ରଶାସନିକ ଅଧିକାରୀମାନଙ୍କୁ ସଜାଗ ରଖାଯାଇଛି ।

Leave a Reply

Your email address will not be published. Required fields are marked *