୧୦୦ କୁଇଣ୍ଟାଲ୍‌ ସୋରିଷ ବିହନ ଚଳୁ

କେନ୍ଦ୍ରାପଡ଼ା : ସରକାର ଯୋଗାଇ ଦେଲେ ସୋରିଷ ବିହନ। ସବ୍‌ସିଡିରେ ଦିଆଯିବାକୁ ଥିବା ଏହି ବିହନ କିନ୍ତୁ ଚାଷୀଙ୍କ ପାଖେ ପହଞ୍ଚିଲା ନାହିଁ । ଚାଷୀଙ୍କ ନାଁରେ ଜିଲ୍ଲାକୁ ଆସିଥିବା ୧୦୦ କୁଇଣ୍ଟାଲ୍‌ ବିହନକୁ ସ୍ବୀକୃତିପ୍ରାପ୍ତ ଡିଲର‌୍‌ ବଜାରରେ ବିକି ମାଲାମାଲ୍‌ ହୋଇଥିବାର ସା˚ଘାତିକ ଅଭିଯୋଗ ସାମ୍ନାକୁ ଆସିଛି । ଜିଲ୍ଲାର ସରକାରୀ ସ୍ବୀକୃତିପ୍ରାପ୍ତ ବହୁ ଡିଲର‌୍‌ ରାଜ୍ୟ ବିହନ ନିଗମର ପରିଚାଳନା ନିର୍ଦେଶକଙ୍କ ପାଖେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି । ଡିଲରମାନଙ୍କ ଏଭଳି ଅଭିଯୋଗ ପରେ ଜିଲ୍ଲାରେ ହୋଇଥିବା ବଡ଼ଧରଣର ସୋରିଷ ବିହନ କେଳେଙ୍କାରୀର ଆଭାସ ମିଳିବା ସହିତ ସ˚ପୃକ୍ତ ଡିଲର‌୍‌ଙ୍କ କାରନାମା ପଦାକୁ ଆସିଛି । କିଭଳି ଆଉ କେଉଁ ପରିସ୍ଥିତିରେ ଚାଷୀଙ୍କ ପାଇଁ ଆସିଥିବା ସୋରିଷ ବିହନକୁ ଡିଲର‌୍‌ ବଜାରରେ ବିକି ଦେଲେ, ତାହାର ନିରପେକ୍ଷ ତଦନ୍ତ ସହିତ ବିଭାଗୀୟ କୃଷି ଅଧିକାରୀଙ୍କ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି । ଜିଲ୍ଲାର ଗରଦପୁର, ମହାକାଳପଡ଼ା, ମାର୍ଶାଘାଇ, ରାଜନଗର ଆଦି ବ୍ଲକ୍‌ ଅ˚ଚଳରେ ସୋରିଷ ଚାଷ ଅଧିକ ହୋଇଥାଏ । ଚଳିତ ରବି ଋତୁରେ କେନ୍ଦ୍ରାପଡ଼ା ଜିଲ୍ଲାକୁ ୧୦୦ କୁଇଣ୍ଟାଲ୍‌ ସୋରିଷ ବିହନ ଆସିଥିଲା । ଚାଷୀଙ୍କୁ ବିହନ ବିକିବା ଦାୟିତ୍ବ ଏଥର ଡିଲର‌୍‌ ‘ପ୍ରିୟଦର୍ଶିନୀ ଟ୍ରେଡର୍ସକୁ ମିଳିଥିଲା । ସବସିଡି ଦରରେ କେଜି ପିଛା ୫୨ ଟଙ୍କାରେ ଚାଷୀଙ୍କୁ  ସୋରିଷ ବିହନ ମିଳିବା କଥା । ହେଲେ ଗତ ନଭେମ୍ବର ପ୍ରଥମ ସପ୍ତାହରେ ଚାଷୀଙ୍କ ଉଦ୍ଦେଶ୍ୟରେ ଉଠା ଯାଇଥିବା ଏହି ବିହନକୁ ସ˚ପୃକ୍ତ ଡିଲର‌୍‌ ଚାଷୀଙ୍କୁ ନ ଦେଇ ବିଭାଗୀୟ କର୍ତୃପକ୍ଷଙ୍କୁ ହାତ କରି ବଜାରରେ କଳବଜାର କରି ବିକି ଦେଇଥିବା ଜିଲ୍ଲାର ଅନ୍ୟ ଡିଲର‌୍‌ମାନେ ଅଭିଯୋଗ କରିଛନ୍ତି । ବିହନ ନିଗମ ପରିଚାଳନା ନିର୍ଦେଶକଙ୍କ ପାଖେ ହୋଇଥିବା ଏହି ଅଭିଯୋଗରେ ଦର୍ଶାଯାଇଛି ଯେ ଚଳିତ ରବି ଋତୁରେ ଜିଲ୍ଲାର ବହୁ ଚାଷୀ ବିହନ ଅଭାବରୁ ସୋରିଷ ଚାଷ କରିବାରୁ ବ˚ଚିତ ହୋଇଛନ୍ତି । ବିଭିନ୍ନ ବ୍ଲକ୍‌ଠୁ ନେଇ ଜଜାଙ୍ଗରେ ଥିବା ବିହନ ନିଗମ ଅଫିସ୍‌କୁ ବିହନ ପାଇଁ ଯାଇ ଫେରିଛନ୍ତି । ବିହନ ଆସିନଥିବା କହି କର୍ତୃପକ୍ଷ ଚାଷୀଙ୍କୁ ଫେରାଇଛନ୍ତି । ଅଥଚ, କଟକସ୍ଥିତ ମୁଖ୍ୟ ଅଫିସ୍‌ରୁ ପ୍ରିୟଦର୍ଶିନୀ ଟ୍ରେଡର୍ସ ନାଁରେ କେନ୍ଦ୍ରାପଡ଼ା ଜିଲ୍ଲାର ଚାଷୀଙ୍କ ପାଇଁ ଉଠିଥିବା ୧୦୦ କୁଇଣ୍ଟାଲ୍‌ ସୋରିଷ ବିହନ କୁଆଡେ଼ ଗଲା, ତାହାକୁ ନେଇ ଅଭିଯୋଗକାରୀ ଡିଲର‌୍‌ ବୃନ୍ଦ ପ୍ରଶ୍ନ ଉଠାଇବା ସହିତ ବିଭାଗୀୟ କର୍ତୃପକ୍ଷଙ୍କୁ ହାତ କରି ଏହାକୁ ବିକି ଦିଆଯାଇଥିବାର ସ˚ଗିନ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗକୁ ଅଧିକ ବଳ ଦେଉଛି ସୋରିଷ ଚାଷ କରିବାରୁ ବ˚ଚିତ ହୋଇଥିବା ଚାଷୀଙ୍କ ବୟାନ। ରାଜନଗର ଓସ୍ତିଆ ପ˚ଚାୟତ ନଗଡ଼ ଗାଁର ଚାଷୀ ରବୀନ୍ଦ୍ର ଧଳ କହିଛନ୍ତି ଯେ ସେ ପ୍ରତିବର୍ଷ ଗୋଟିଏ ଏକର ଜମିରେ ସୋରିଷ ଚାଷ କରନ୍ତି । କିନ୍ତୁ ଚଳିତ ବର୍ଷ ଜଜାଙ୍ଗସ୍ଥିତ ବିହନ ନିଗମ ଅଫିସ୍‌କୁ ବାରମ୍ବାର ଦୌଡ଼ିବା ପରେ ବି କର୍ତୃପକ୍ଷ ବିହନ ଆସି ନଥିବା କହିବାରୁ ଚାଷ କରିପାରିଲେ ନାହିଁ । ସମାନ କଥା ଦୋହରାଇଛନ୍ତି ମାର୍ଶାଘାଇ ଅ˚ଗୁଳାଇ ପ˚ଚାୟତ ଜଗଦୀଶପୁର ଗ୍ରାମର ଚାଷୀ ଅରୁଣ କୁମାର ସାମଲ । ସେ ଦଶ ଗୁଣ୍ଠ ଜମିରେ ସୋରିଷ ଚାଷ କରନ୍ତି । ମାତ୍ର ଏଥର ସରକାରୀ ବିହନ ନ ମିଳିବାରୁ ଚାଷ କରିପାରିଲେ ନାହିଁ ବୋଲି କ୍ଷୋଭର ସହ କହିଛନ୍ତି । ମହାକାଳପଡ଼ା ବ୍ଲକ୍‌ ବଳିପାଳ ପ˚ଚାୟତ ପାତ୍ରଗଡ଼ ଅ˚ଚଳର ଚାଷୀ କୁଳମଣି ଦାସ କହିଛନ୍ତି ଯେ ସରକାରୀ ବିହନ ନ ମିଳିବାରୁ ବଜାରରୁ ଅଧିକ ଦରରେ ବିହନ କିଣି ୨୦ ଗୁଣ୍ଠ ସୋରିଷ ଚାଷ କରିବାକୁ ପଡ଼ିଛି । ଅନ୍ୟପକ୍ଷରେ ‘ପ୍ରିୟଦର୍ଶିନୀ ଟ୍ରେଡର୍ସ’ର ପ୍ରୋପ୍ରାଇଟର‌୍‌ ଭାବଗ୍ରାହୀ ଭୋଇ ବିହନ ଆସିଥିବା ଘଟଣାକୁ ସ୍ବୀକାର କରିଥିଲେ । ହେଲେ ଜିଲ୍ଲାର କେଉଁ ଚାଷୀ ମାନଙ୍କୁ ସବସିଡିରେ ସୋରିଷ ବିହନ ବିକ୍ରି କରାଯାଇଛି, ତାର ତାଲିକା ମାଗିବାରୁ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନାହାନ୍ତି ।

Leave a Reply

Your email address will not be published. Required fields are marked *