ଦୀର୍ଘ ୭ ଘଣ୍ଟା ପରେ କୂଅରୁ ହାତୀଛୁଆ ଉଦ୍ଧାର

ବାରିପଦା : ଶନିବାର ମଧ୍ୟରାତ୍ରି ପ୍ରାୟ ଦେଢ଼ଟାରୁ ଦୁଇଟା ମଧ୍ୟରେ ୫ ଟିକିଆ ହାତୀପଲ ମୋରଡ଼ା ବ୍ଲକ ସୁରେଇଡିହି ପଞ୍ଚାୟତ ଚାକୁଣ୍ଡାପଦା ଗ୍ରାମରେ ବିଚରଣ କରୁଥିବାବେଳେ ଏକ ଖୋଲାକୂଅ ଭିତରକୁ ୬ ମାସର ହାତୀ ଶାବକଟି ଖସି ପଡ଼ିଥିଲା । ଏହି ୧୦ ଫୁଟିଆ ଗଭୀର କୂଅରେ ହାତୀ ଶାବକଟି ଖସିପଡ଼ିବା ମାତ୍ରେ ମା’ ହାତୀ ସମେତ ୪ ଟି ହାତୀ କୂଅ ପାଖରେ ଜଗିରହି ପ୍ରବଳ ରଡ଼ି କରିବା ସହିତ ତାଣ୍ଡବ ରଚିଥିଲେ । ହାତୀଙ୍କ ଉତ୍ପାତ ଯୋଗୁଁ ଭୟରେ ଗ୍ରାମବାସୀ ରାତିରେ ଘରଦ୍ୱାର ଛାଡ଼ି ପଳାଇବାକୁ ବାଧ୍ୟ ହୋଇଥିଲେ । ଏହି ହାତୀପଲ ଗ୍ରାମର ୭ ଜଣଙ୍କ ଘର ଭାଙ୍ଗିବା ସହିତ ବନ ବିଭାଗର ଗାଡ଼ିକୁ ମଧ୍ୟ ଓଲଟାଇ ପକାଇଥିଲେ । କୂଅ ପାଖରେ ହାତୀପଲ ଜଗିରହି ପ୍ରଚଣ୍ଡ ରଡ଼ି କରିବା ଯୋଗୁଁ ଉଦ୍ଧାର ପାଇଁ ସେଠାରେ ପହଞ୍ଚିଥିବା ବନବିଭାଗ, ପୁଲିସ ଓ ଅଗ୍ନିଶମ ବିଭାଗ ଦୂରରୁ ରହି ପରିସ୍ଥିତି ପ୍ରତି ସଜାଗ ଦୃଷ୍ଟି ରଖିଥିଲେ । ଦୀର୍ଘ ୭ ଘଣ୍ଟା ଅପେକ୍ଷା ମଧ୍ୟରେ ସୁଯୋଗ ପାଇ ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ଆଠଟା ସମୟରେ ଅଗ୍ନିଶମ ବିଭାଗ ପକ୍ଷରୁ ଉକ୍ତ କୂଅ ମଧ୍ୟକୁ ପାଇପ ଯୋଗେ ପାଣି ଭର୍ତ୍ତି କରାଯାଉଥିଲାବେଳେ ହାତୀ ଶାବକଟି ଭାସି ଉପରକୁ ଉଠି ଆସିଥିଲା । ମା’ ହାତୀଟି ଶୁଣ୍ଢ ସାହାଯ୍ୟରେ ଶାବକଟିକୁ ଟାଣିନେଇ ବାହାରକୁ ଆଣିଥିଲେ । ପରେ ହାତୀ ଶାବକଟିକୁ ଧରି ହାତୀପଲ ଜଙ୍ଗଲକୁ ପଳାଇ ଯାଇଥିଲେ । ଦୀର୍ଘ ୭ ଘଣ୍ଟା ଧରି ସୃଷ୍ଟି ହୋଇଥିବା ଅସ୍ୱାଭାବିକ ସ୍ଥିତି ସ୍ୱାଭାବିକ ହୋଇଥିଲା ଓ ଗ୍ରାମବାସୀ ଆଶ୍ୱସ୍ତ ହୋଇଥିଲେ ।

Leave a Reply

Your email address will not be published. Required fields are marked *