ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆଳରେ ମନ୍ଦିର ଚତୁଃପାର୍ଶ୍ବରେ ଚାଲିଥିବା ଖନନ ଓ ନିର୍ମାଣ ବିବାଦ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଏହି ଖନନ ଓ ନିର୍ମାଣ ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ପ୍ରତି ବିପଦ ଥିବା ଅଭିଯୋଗ ହୋଇ ଆସୁଥିଲେ ବି ବେଫିକର ଭାବେ ପ୍ରଶାସନ, ଓବିସିସି, ଠିକା ସଂସ୍ଥା ଟାଟା ପ୍ରୋଜେକ୍ଟ ଲିମିଟେଡ୍ ଖନନ ଓ ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି । ଏହା ଭିତରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି । ଖନନ ସ୍ଥଳରେ ଯେଉଁ ପୁରୁଣା ଫଳକ ଲାଗିଥିଲା ଓ ଏହା ବଦଳରେ ଏବେ ଯେଉଁ ନୂଆ ଫଳକ ଲାଗିଛି, ସେଥିରେ ତାଳମେଳ ନାହିଁ । ପୁରୁଣା ନକ୍ସାରେ ନିର୍ମାଣଧୀନ ଘରର ଯେଉଁ ନକ୍ସା ଅଙ୍କାଯାଇଥିଲା ଓ ଏବେ ଯେଉଁ ନକ୍ସା ଲାଗିଛି, ତାହା ସମ୍ପୂର୍ଣ୍ଣ ଭିନ୍ନ ଥିବା ଦେଖିବାକୁ ମିଳିଛି । ଏହା ପୁଣିଥରେ ନିର୍ମାଣ କାର୍ଯ୍ୟକୁ ନେଇ ସନ୍ଦେହ ବଢ଼ାଇଛି ଓ ଶ୍ରୀଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଏହାକୁ ନେଇ ପ୍ରତିକ୍ରିୟା କ୍ରମଶଃ ବୃଦ୍ଧି ପାଇଲାଣି ।
ସେପଟେ ହାଇକୋର୍ଟଙ୍କ ଆଦେଶ ସତ୍ତ୍ବେ ଏବେ ସୁଦ୍ଧା ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗର କୌଣସି ଅଧିକାରୀ ଖନନ ଓ ନିର୍ମାଣସ୍ଥଳ ପରିଦର୍ଶନରେ ଆସିନାହାନ୍ତି । ଏହା ପ୍ରତ୍ନତତ୍ତ୍ବ ବିଭାଗର କାର୍ଯ୍ୟକଳାପକୁ ବି ସନ୍ଦେହ ଘେରକୁ ଟାଣି ଆଣିଛି । ଶ୍ରୀମନ୍ଦିର ମରାମତି କ୍ଷେତ୍ରରେ ଟାଳଟୁଳ ନୀତି ଅବଲମ୍ବନ କରି ଆସୁଥିବା ଏଏସଆଇ କର୍ତ୍ତୃପକ୍ଷ ଏବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ଯେଉଁ ଆଭିମୁଖ୍ୟ ଆପଣାଉଛନ୍ତି, ତାହାକୁ କେହି ଗ୍ରହଣ କରିପାରୁନାହାନ୍ତି । ପ୍ରଶ୍ନ ଉଠୁଛି, କାହା ଚାପରେ ଏଏସଆଇ କର୍ତ୍ତୃପକ୍ଷ ଚୁପ୍ । ଯଦି ନିର୍ମାଣରେ ତ୍ରୁଟି ନାହିଁ, ତେବେ କର୍ତ୍ତୃପକ୍ଷ ଆପତ୍ତି କରି ଚିଠି ଲେଖୁଛନ୍ତି କାହିଁକି ? ଯଦି ନିର୍ମାଣ ନିଷିଦ୍ଧାଞ୍ଚଳରେ ହେଉଛି, ତେବେ ଏହାକୁ ରୋକିବା କ୍ଷେତ୍ରରେ ଏଏସ୍ଆଇ ପଛଘୁଞ୍ଚା ଦେଉଛି କାହିଁକି ?
ଏଠାରେ ଉଲ୍ଲେଖଥାଉକି, ଦୁଇ ଦିନ ତଳେ ଯେଉଁ ନୂଆ ଫଳକ ତଥା ହୋର୍ଡିଂ ପ୍ରଶାସନ ନିର୍ମାଣସ୍ଥଳରେ ଲଗାଇଛି, ତାହ ସନ୍ଦେହ ସୃଷ୍ଟି କଲାଣି । ନୂଆ ନକ୍ସାରେ ମହିଳା ଓ ପୁରୁଷ ଶୌଚାଳୟର ଯେଉଁ ଫଟୋ ରହିଛି, ତାହା ପୁରୁଣା ଫଳକରେ ଲାଗିଥିବା ଫଟୋ ଭଳି ନୁହେଁ । ଏହି ପ୍ରକଳ୍ପରେ ଏକ ତିନିକୋଣିଆ ଜାଗା ସମ୍ମୁଖ ଭାଗରେ ରହିଥିବା ଦେଖିବାକୁ ମିଳିଥିଲା । କିନ୍ତୁ ନୂଆ ଚିତ୍ରରେ ସେଭଳି କିଛି ନାହିଁ। ସେବାୟତ ଶୌଚାଳୟ କ୍ଷେତ୍ରରେ ବି ନୂଆ-ପୁରୁଣା ମେଳ ଖାଉନି । ପୂର୍ବରୁ ସେଲ୍ଟର ପାଭିଲିୟନ୍ ପାଇଁ ବି ଚିତ୍ର ଅଲଗା ଥିଲା । ଏଥିରେ ୪ଟି ଖୁମ୍ବରେ ଛାତ ପଡ଼ିଥିବାର ଡିଜାଇନ୍ ଦେଖିବାକୁ ମିଳିଥିଲା । ଏବେ ନୂଆ ଫଳକରେ ଲାଗିଥିବା ଚିତ୍ର ସମସ୍ତଙ୍କୁ ଦ୍ବନ୍ଦ୍ବରେ ପକାଇଛି । ଦୁଇ ପ୍ରକାରର ସେଲ୍ଟର ପାଭିଲିୟନ୍(ଟାଇପ୍-୧ ଓ ୨) ନିର୍ମାଣ କରାଯିବାର ପ୍ରସ୍ତାବ ରହିଥିବା ଚିତ୍ରରେ ଦର୍ଶାଯାଇଛି । ସେଥିପାଇଁ ଭିନ୍ନ ଭିନ୍ନ ଚିତ୍ର ବି ଲଗାଯାଇଛି ।
ପୂର୍ବରୁ ସେଲ୍ଟର ପାଭିଲିୟନ୍ର ଯେଉଁ ଚିତ୍ର ରହିଥିଲା, ତାକୁ ଟାଇପ୍-୧ ସେଲ୍ଟର ପାଭିଲିୟନ୍ ବୋଲି ଦର୍ଶାଯାଇଛି । ସେଲ୍ଟର ପାଭିଲିୟନ୍ର ନୂଆ ଚିତ୍ରକୁ ଟାଇପ୍-୨ ବୋଲି ଦର୍ଶାଯାଇଛି । ଲାଗିଥିବା ଚିତ୍ରରେ ଏଭଳି ସାମଞ୍ଜସ୍ୟ ନ ରହିବାକୁ ନେଇ ବିଭିନ୍ନ ମହଲରେ ଭିନ୍ନ ମତ ପ୍ରକାଶ ପାଇଛି । ଯଦି ପୁରୁଣା ନକ୍ସା ଓ ଚିତ୍ର ଆଧାରରେ ନିର୍ମାଣ କାର୍ଯ୍ୟ କରାଯାଇଥିଲା, ତେବେ ନୂଆ ନକ୍ସା ଓ ଚିତ୍ର ଆଧାରରେ କିଭଳି ନୂଆ ନିର୍ମାଣ କରାଯିବ ବୋଲି ଭକ୍ତ ମହଲ ପ୍ରଶ୍ନ କରିଛନ୍ତି । ଏହା କେବଳ ଅଗଣିତ ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଭୂଆଁ ବୁଲାଇବା ପାଇଁ ବୋଲି ବରିଷ୍ଠ ଆଇନଜୀବୀ ଶରତ ରାୟଗୁରୁ କହିଛନ୍ତି । ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିରୁ ଅନ୍ତତଃ ହାଇକୋର୍ଟଙ୍କ ଆଦେଶ ଆସିବା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ସେ ଦାବି କରିଛନ୍ତି ।
