ବାଙ୍କି : ବିଷଧର ସାପ ପାଲଟିଛନ୍ତି ତାଙ୍କର ସାଙ୍ଗ । ସାପ କେଉଁଠି ବିପଦରେ ପଡିଥିବା ଶୁଣିଲେ ସେ ସ୍ଥିର ହୋଇ ରହିପାରନ୍ତିନି । ରାତି ହେଉକି ଦିନ ତୁରନ୍ତ ବାଇକ ନେଇ ଘଟଣା ସ୍ଥଳରେ ପହଞ୍ଚନ୍ତି । ଉଦ୍ଧାର କରି ଆବଶ୍ୟକୀୟ ଚିକିତ୍ସା ସହିତ ସୁରକ୍ଷିତ ଜାଗାରେ ଛାଡ଼ନ୍ତି । ବିଗତ ଅନେକ ବର୍ଷ ଧରି ଏଭଳି ସେବା ଯୋଗାଉଥିବା ଏହି ଯୁବକ ହେଉଛନ୍ତି ବାଙ୍କି ପାଳପୁଟ ଗାଁର ସଦାଶିବ ଜେନା । ସଦାଶିବ ଏବେ ଲୋକଙ୍କ ପାଇଁ ପାଲଟିଛନ୍ତି ସାପ ଭୟର ଆଣ୍ଟିବାଓଟିକ ।
ଲୋକଙ୍କ ମନରୁ ସାପ ଭୟ ଦୂର କରୁଛନ୍ତି ସଦାଶିବ । ସାପମାନଙ୍କୁ ବି ବିପଦ ସଂକୁଳ ପରିବେଶରୁ କରୁଛନ୍ତି ଉଦ୍ଧାର । ବାଙ୍କି ବାଉଁଶପୁଟ ପଂଚାୟତ ପାଳପୁଟ ଗାଁର ବାସିନ୍ଦା ସଦାଶିବ ଜେନା ବିଷଧର ସାପଙ୍କୁ ଧରିବାର କୌଶଳ ଜାଣିଥିବା କାରଣରୁ ଉଭୟ ମଣିଷ ଓ ସାପମାନଙ୍କ ଜୀବନ ବଂଚାଇବାରେ ସହାୟକ ସାଜିଛନ୍ତି । କେଉଁ ଗାଁରେ କାହା ଘରେ ସାପ ପଶିଲେ ଲୋକେ ସଦାଶିବଙ୍କୁ ଖବର ଦିଅନ୍ତି । ଆଉ ଗୋଟିଏ ଫୋନ କଲ ପାଇବା ମାତ୍ରେ ସେ ସାପଧରା ହୁକ ଟିଏ ଧରି ଘଟଣାସ୍ଥଳ ଅଭିମୁଖେ ବାହାରିପଡ଼ନ୍ତି । ପଡୋଶୀ ଗାଁର ଜଣେ ମହିଳା ସୁଦେଶୀ ନାରାୟଣୀ ଜେନା କହନ୍ତି ରାତି ହେଉକି ଦିନ ହେଉ ସାପ ଘରେ ପଶିଛି ଶୁଣିଲେ ସେ ଆସନ୍ତି । ସଦାଶିବ ନ ଆସିଲା ପର୍ଯ୍ୟନ୍ତ ଆମେ ସାପକୁ ଚାହିଁରହୁ । ସଦାଶିବ ଆସି ସାପକୁ ଧରି ଡବାରେ ନେଇଯାଆନ୍ତି । ତାଙ୍କ ପାଇଁ ଆମର ଭୟ କଟେ । ଜୀବନ ରକ୍ଷା ହୋଇଯାଏ । ଆଉ ଜଣେ ଗ୍ରାମବାସୀ ଲକ୍ଷ୍ମୀଧର କହନ୍ତି ବିନା ସ୍ୱାର୍ଥରେ ସଦାଶିବ ଏଭଳି କାମ କରି ଜନ ଓ ଜନ୍ତୁଙ୍କୁ ସୁରକ୍ଷିତ ରଖିଥାନ୍ତି ।
ଘରେ ସାପ ପଶିଥିବା ଖବର ପାଇ ପହଂଚିଛନ୍ତି ସଦାଶିବ । ହାତରେ ହୁକ ଧରି ସାହସର ସହିତ ଚାଲିଛି ସାପ ଖୋଜା । ପାଖରେ ଥିବା ବାଉଁଶ ବୁଦା ନିକଟରେ ଖୋଜୁ ଖୋଜୁ ଆହତ ଅବସ୍ଥାରେ ମିଳିଛି ସାପ । ଏମିତି ସାପକୁ ଆଶୁ ଚିକିତ୍ସା କରି ତାର ପ୍ରାକୃତିକ ପରିବେଶରେ ଛାଡିଦିଆଯାଉଛି । ବନ ବିଭାଗରେ ଠିକା କର୍ମଚାରୀ ଥିବା ସଦାଶିବ କହନ୍ତି ସାପ ଓ ଜୀବଜନ୍ତୁ ପ୍ରତି ପିଲାଟି ଦିନରୁ ମୋର ଦୁର୍ବଳତା ରହିଛି । ଯଦି ସରକାର ମୋତେ ସହଯୋଗ କରନ୍ତି ତେବେ ଜୀବଜନ୍ତୁ ସୁରକ୍ଷାରେ ଅଧିକ ସମୟ ଦେଇପାରନ୍ତି । ସଦାଶିବଙ୍କ ପତ୍ନୀ ପୂଜାରାଣୀ ଜେନା କହନ୍ତି ଆମ ବାହାଘର ପୂର୍ବରୁ ସେ ସାପ ଧରୁଥିଲେ । ସାପମାନେ ତାଙ୍କର ଚିହ୍ନା ହୋଇଯାଇଛନ୍ତି । ବନ ବିଭାଗ ତାଙ୍କ ଚାକିରୀକୁ ସ୍ଥାୟୀ କଲେ ସେ ସାପଙ୍କୁ ସୁରକ୍ଷା ଦେବା ସହିତ ଲୋକଙ୍କୁ ସଚେତନ କରାଇପାରନ୍ତେ । ଘରମାନଙ୍କରୁ ସାପଙ୍କୁ ଉଦ୍ଧାର କରି ଲୋକଙ୍କ ଧନ ଓ ଜୀବନ ରକ୍ଷା ଦିଗରେ ସଦାଶିବଙ୍କ ଏଭଳି ଶ୍ରମ ଓ ସେବାକୁ ମିଳିଛି ଢେର ସାରା ପ୍ରସଂଶା ।
