ଭୁବନେଶ୍ୱର : ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଚାଲିଥିବାବେଳେ, ଆତ୍ମହତ୍ୟାକୁ ନେଇ ଓଡିଶା ପୁଲିସର ଏକ ଚାଞ୍ଚଲ୍ୟ ସୃଷ୍ଟିକାରୀ ରିପୋର୍ଟ ସାମ୍ନାକୁ ଆସିଛି । ୨୦୨୦ ମସିହାରେ ସାରା ଦେଶରେ ଛାତ୍ରଛାତ୍ରୀ ଆତ୍ମହତ୍ୟା ଘଟଣାରେ ଓଡିଶା ଦ୍ୱିତୀୟ ସ୍ଥାନରେ ରହିଛି । ବିଗତ ବର୍ଷମାନଙ୍କର ଆତ୍ମହତ୍ୟାର ଏକ ଲମ୍ବା ରେକର୍ଡକୁ ଏହି ବର୍ଷ ଭାଙ୍ଗିଦେଇଛି ।
ମୋଟ ୧,୪୬୯ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଦେଶର ଭବିଷ୍ୟତ କୁହାଯାଉଥିବା ଛାତ୍ରଛାତ୍ରୀ ହଠାତ୍ ଏତେ ସଂଖ୍ୟାରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବା ଭଳି ଉଦବେଗ ଜନିତ ଚିତ୍ର ରାଜ୍ୟବାସୀଙ୍କୁ ଚିନ୍ତାରେ ପକାଇଛି । ରିପୋର୍ଟ ଅନୁସାରେ, ୨୦୨୦ ମସିହାରେ ୧,୪୬୯ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିବା ଯୋଗୁଁ ଓଡିଶା ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ପ୍ରଥମ ସ୍ଥାନରେ ରହିଛି ମହାରାଷ୍ଟ୍ର । ଏହି ରାଜ୍ୟରେ ୧,୬୪୮ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି ।
ତୃତୀୟ ସ୍ଥାନରେ ଥିବା ମଧ୍ୟପ୍ରଦେଶରେ ୧୧୫୮ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ୨୦୧୯ ରେ ୩୭୯, ୨୦୧୮ ରେ ୫୦୧, ୨୦୧୭ ରେ ୩୬୧, ୨୦୧୬ ରେ ୩୯୦ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ୨୦୨୦ ରୁ ୨୦୧୬ ଭିତରେ ମୋଟ ୩,୧୦୦ ଜଣ ଆତ୍ମହତ୍ୟା କରିଥିବାବେଳେ ଛାତ୍ରଙ୍କ ସଂଖ୍ୟା ୧.୮୪୮ ଏବଂ ଛାତ୍ରୀଙ୍କ ସଂଖ୍ୟା ୧,୨୫୨ ଥିବା ଓଡିଶା ପୁଲିସ ରିପୋର୍ଟରୁ ସୂଚନା ମିଳିଛି ।
ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ପ୍ରଶାନ୍ତ କୁମାର ମାହାପାତ୍ରଙ୍କ କହିବା ଅନୁଯାୟୀ, ଛାତ୍ରଛାତ୍ରୀମାନେ ଗୋଟିଏ ପରିବେଶରୁ ଆଉ ଏକ ପରିବେଶକୁ ଯାଇ ନିଜକୁ ଖାପଖୁଆଇବା ବେଳେ ମାନସିକ ଚାପ ସହିତ ପାଠପଢା ଚାପରେ ଥା’ଆନ୍ତି । ଏହି ସମୟରେ କେହି ତାଙ୍କୁ କଟୁ କଥା କହିଲେ ଅନେକ ସମୟରେ ଅପମାନିତ ଅନୁଭବ କରି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଉଛନ୍ତି । ଛାତ୍ରଛାତ୍ରୀଙ୍କୁ ଶିକ୍ଷକ ଏବଂ ସହପାଠୀଙ୍କ ଦ୍ୱାରା ନିୟମିତ କାଉନସେଲିଂର ଅବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।
