ସବୁଆଡୁ ଭୋଗିଛନ୍ତି ଚାଷୀ, ସେମାନଙ୍କ ଦୁଃଖ କହିଲେ ନ ସରେ

କେନ୍ଦୁଝର : ଚାଷ ବେଳେ ଚାଷୀ ଯେମିତି ବିହନ, ସାର ଏବଂ ଔଷଧ କିଣିବା ସମୟରେ ଠକେଇରେ ପଡ଼ିଥାଏ, ଅମଳ ବେଳେ ମଧ୍ୟ ‌ସେମିତି ବିଭିନ୍ନ ଉପାୟରେ ଠକେଇର ଶିକାର ହେଉଛି । ମଣ୍ଡିରେ ଧାନ ବିକିଲା ବେଳେ କଟ୍‌ନିଛଟ୍‌ନି ନାଁରେ ଧାନ କଟାଯାଉଛି । ଅଖା ବାବଦକୁ ପ୍ରାପ୍ୟ ପ୍ରଦାନରେ ମଧ୍ୟ ଚାଷୀଟିଏ ଯୋଗାଣ ବିଭାଗ ଏବଂ ମିଲର୍‌ଙ୍କ ଷଡ୍‌ଯନ୍ତ୍ରର ଶିକାର ହେଉଛି । ଖୋଲା ବଜାରରୁ ଚାଷୀ ୩୫ ଟଙ୍କା ଦେଇ ଝୋଟ ଅଖା କିଣୁଥିବା ବେଳେ ଏ ବାବଦକୁ ମିଳୁଛି ମାତ୍ର ୧୦ ଟଙ୍କା । ଏହି କାରବାରରେ ଗତବର୍ଷ କେନ୍ଦୁଝର ଜିଲ୍ଲାର ଚାଷୀମାନେ ପ୍ରାୟ ୮ କୋଟି ୨୫ ଲକ୍ଷ ୫୦ ହଜାର ଟଙ୍କା କ୍ଷତି ସହିଛନ୍ତି । କେନ୍ଦୁଝର ଜିଲ୍ଲାରେ ମୋଟ ୮୯ ଟି ସ୍ଥାନ‌ରେ ମଣ୍ଡି ଖୋଲାଯାଇ ଧାନ ସଂଗ୍ରହ କରାଯାଉଛି । ପ୍ରତିବର୍ଷ ଜିଲ୍ଲାରେ ଧାନ ବିକିବାକୁ ଚାଷୀଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି । ୨୦୧୭-୧୮ ମସିହାରେ ମୋଟ ୨୪୪୭୭ ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଥିବା ବେଳେ ମୋଟ ୮ ଲକ୍ଷ ୭୩ ହଜାର ୨୦ କୁଇଣ୍ଟାଲ ଧାନ ବିକ୍ରି କରିଥିଲେ । ୨୦୧୮-୧୯ ମସିହାରେ ୨୨୬୨୬ ଜଣ ଚାଷୀ ୧୧ ଲକ୍ଷ ୯୧ ହଜାର ୬୦୦ କୁଇଣ୍ଟାଲ ଧାନ ବିକ୍ରି କରିଥିଲେ । ୨୦୧୯-୨୦ ମସିହାରେ ୩୬ ହଜାର ୬୩୬ ଜଣ ଚାଷୀ ୧୩ ଲକ୍ଷ ୫ ହଜାର ୨୩୪ କୁଇଣ୍ଟାଲ ଏବଂ ଗତବର୍ଷ ୪୯ ହଜାର ୨୨୦ଜଣ ଚାଷୀ ୧୬ ଲକ୍ଷ ୫୧ ହଜାର ୧୮ କୁଇଣ୍ଟାଲ ଧାନ ବିକ୍ରି କରିଥିଲେ । ସରକାରୀ ନିୟମ ଅନୁସାରେ, ଚାଷୀ ମଣ୍ଡିରେ ଧାନ ବିକ୍ରି କରିବା ପରେ ନିଜ ଅଖା ଫେରସ୍ତ ‌ନେଇଯିବେ । ମଣ୍ଡିରୁ ମିଲର୍‌ ନିଜ ବ୍ୟବସ୍ଥା‌ରେ ଧାନକୁ ନିଜ ଅଖାରେ ଭର୍ତ୍ତି କରି ମିଲ୍‌କୁ ନେବେ । ଯଦି କେହି ଚାଷୀ ଅଖା ସହିତ ଧାନ ବିକ୍ରି କରିଦିଏ, ତେବେ ସଂପୃକ୍ତ ଚାଷୀଙ୍କୁ ଅଖା ପିଛା ୧୦ଟଙ୍କା ମିଳିବ । ଏଥିପାଇଁ ଗତବର୍ଷ ଅର୍ଥାତ ୨୦୨୧ ମସିହା ଫେବ୍ରୁଆରି ୧୦ ତାରିଖରେ ଖାଦ୍ୟ ଯୋଗାଣ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଧୀରେନ୍ଦ୍ର କୁମାର ସାହୁ ଚିଠି ନମ୍ବର -୨୫୨୮ ରେ ସମସ୍ତ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ । ଝୋଟ ଅଖା ବାବଦକୁ ୧୦ଟଙ୍କା ଏବଂ ଜରି ଅଖା ବାବଦକୁ ୫ଟଙ୍କା ଦର ଧାର୍ଯ୍ୟ କରିଥିଲେ । କିନ୍ତୁ ବା‌ସ୍ତରେ ଚାଷୀଙ୍କୁ ଅଖା ଫେରସ୍ତ ଦିଆଯାଉ ନାହିଁ । ଫଳରେ ସେମାନେ କ୍ଷତି ସହୁଛନ୍ତି । ଏ ସଂପର୍କରେ ତେଲକୋଇ ବ୍ଲକ୍‌ ଖୁଣ୍ଟାପଡ଼ା ଗ୍ରାମର ବସନ୍ତ ପ୍ରଧାନଙ୍କ କହିବା ଅନୁସାରେ, ସେ ଏ ବର୍ଷ ୭ ତାରିଖରେ ନିକଟସ୍ଥ ମଣ୍ଡିରେ ଧାନ ବିକ୍ରି କରିବାକୁ ଟୋକନ ପାଇଛନ୍ତି । ଘରେ ଅଖା ନ ଥିବାରୁ ସେ ହରିଚନ୍ଦନପୁର ବଜାରରୁ ୨୦୦ ଟି ଅଖା କିଣିଛନ୍ତି । ଅଖା ପିଛା ଦାମ ୩୫ ଟଙ୍କା ହିସାବରେ ସେ ୭ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି । ୧୦୦ କୁଇଣ୍ଟାଲ ଧାନ ଭର୍ତ୍ତି କରି ରଖିଛନ୍ତି । ମାତ୍ର ସେ ମଣ୍ଡିରେ ଧାନ ବିକ୍ରି କଲାବେଳେ ଧାନ ସହ ଅଖା ବିକ୍ରିର ପରମ୍ପରା ଚାଲିଥିବାରୁ ସେଠାରେ ସେ ଆଖା ବାବଦକୁ ଗୋଟିକ ପିଛା ମାତ୍ର ୧୦ ଟଙ୍କା ପାଇବେ । ୨୦୦ ଅଖା ବାବଦକୁ ତାଙ୍କୁ ମାତ୍ର ୨ହଜାର ଟଙ୍କା ମିଳିବ । ୫ ହଜାର ଟଙ୍କା କ୍ଷତି ସହିବେ ବସନ୍ତ । ଗତବର୍ଷ କେନ୍ଦୁଝର ଜିଲ୍ଲାର ଧାନ ବିକ୍ରି ତଥ୍ୟକୁ ହିସାବକୁ ନେଲେ, ଜିଲ୍ଲାରେ ୪୯ ହଜାର ୨୨୦ ଜଣ ଚାଷୀ ମୋଟ ୧୬ ଲକ୍ଷ ୫୧ ହଜାର ୧୮ କୁଇଣ୍ଟାଲ ଧାନ ବିକ୍ରି କରିଥିଲେ । ଗୋଟିଏ ବସ୍ତାରେ ୫୦ କେଜି ଧାନ ରହିଲେ ଏଥିପାଇଁ ୩୩ ଲକ୍ଷ ୨ ହଜାର ୩୬ଟି ଅଖା ବ୍ୟବହାର ହୋଇଥିଲା । ଗୋଟିଏ ଅଖା ପିଛା ୨୫ ଟଙ୍କା ହିସାବରେ ୩୩ ଲକ୍ଷ ୨ ହଜାର ୩୬ ଟି ଅଖା ପାଇଁ ଚାଷୀମାନେ ୮ କୋଟି ୨୫ ଲକ୍ଷ ୫୦ ହଜାର ଟଙ୍କା କ୍ଷତି ସହିଥିବା ଜଣାପଡ଼ିଛି । ଚାଷୀମାନେ ମଣ୍ଡିରେ ଧାନ ସହ ଅଖା ଦେବା ପାଇଁ ଆଗ୍ରହ ପ୍ରକାଶ କରୁ ନଥିଲେ ବି ମିଲର୍‌ ଏବଂ ଯୋଗାଣ ବିଭାଗର ଚାପ ଯୋଗୁଁ ସେମାନେ ବାଧ୍ୟ ହେଉଛନ୍ତି । କୌଣସି ଚାଷୀ ମଣ୍ଡିରେ ଧାନ ଗଦା କରି ଓଜନ କରିବାକୁ କୁହେ, ତେବେ ଉପସ୍ଥିତ କର୍ମଚାରୀମାନେ ତତ୍କାଳ ତାଙ୍କ ଧାନ ଓଜନ କରନ୍ତି ନାହିଁ । ଧାନର ସୁରକ୍ଷା ଦୃଷ୍ଟିରୁ ଚାଷୀ ସେଠାରେ ଗଦା ନ କରି ଅଖା ସହ ବିକ୍ରି କରିଦେଇଥାନ୍ତି । ଧାନ ସହ ଅଖା ବିକ୍ରି କରିବା ପରେ ମିଲ୍‌ର ଉକ୍ତ ଅଖାକୁ ନେଇ ପୁଣି ଗୋଦାମ ଜରିଆରରେ ପରବର୍ଷ ୩୫ ଟଙ୍କା ହିସାବରେ ଚାଷୀଙ୍କୁ ବିକ୍ରି କରିଦିଏ । ଏହି ପ୍ରକ୍ରିୟାରେ ମିଲର୍‌ ମାଲାମାଲ ହେଉଥିବା ବେଳେ ଚାଷୀମାନେ କୋଟିକୋଟି ଟଙ୍କା କ୍ଷତି ସହୁଛନ୍ତି ।

Leave a Reply

Your email address will not be published. Required fields are marked *