୬୦୦ ରୁ ଉର୍ଦ୍ଧ୍ବ ବିଜେପି କର୍ମୀ ବିଜେଡି ରେ ଯୋଗଦେଲେ

ଯାଜପୁର:ଧର୍ମଶାଳା:-ଧର୍ମଶାଳା ବିଜେପି କୁ ଶକ୍ତ ଧକା ଲାଗିଛି ।ରାଜନୀତି ଯେତେ ସରଗରମ ହେଉଛି ,ବିଜେପି ରୁ ଦଳ ଛାଡି ବିଜେଡ଼ି ରେ ଯୋଗ ଦେଉଛନ୍ତି। ଯାଜପୁର ଜିଲ୍ଲା ଧର୍ମଶାଳା ରେ ହୋଇଛି ବିଜେଡିର ମହାମିଶ୍ରଣ ପର୍ବ । ବିଜେଡିରେ ସାମିଲ ହୋଇଛନ୍ତି 6ଶହରୁ ଉର୍ଦ୍ଧ୍ୱ କର୍ମୀ । ଏନେଇ ଜାରକାସ୍ଥିତ କଳ୍ପତରୁ ଦାସ ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହୋଇଥିଲା ଏହି ମିଶ୍ରଣ ପର୍ବ ।ନିକଟରେ ଧର୍ମଶାଳାର ବିଜେପି ପ୍ରାର୍ଥୀ ରମେଶ ଚନ୍ଦ୍ର ପରିଡା ବିଜେପି ଦଳ ପରିତ୍ୟାଗ କରି ବିଜେଡିରେ ସାମିଲ ହୋଇଥିଲେ । ତାଙ୍କ ନେତୃତ୍ୱରେ ଧର୍ମଶାଳା ନିର୍ବାଚନମଣ୍ଡଳୀର ୫୪ଗୋଟି ପଂଚାୟତରୁ ଆଜି 6ଶହ ଉର୍ଦ୍ଧ୍ୱ କର୍ମୀ ଏକ ଶୋଭାଯାତ୍ରାରେ ଆସି ଷ୍ଟାଡିୟମ ପରିସରରେ ପହଂଚିଥିଲେ । ଆୟୋଜିତ ମିଶ୍ରଣ ପର୍ବରେ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଯୋଗଦେଇ ଦଳରେ ସାମିଲ ହୋଇଥିବା କର୍ମୀମାନଙ୍କୁ ପୁଷ୍ପଗୁଚ୍ଛ ଓ ଦଳୀୟ ଉ ତ୍ତରୀୟ ପ୍ରଦାନ କରି ଦଳକୁ ସ୍ୱାଗତ କରିଥିଲେ ।ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ ଶାସନ ଓ ଧର୍ମଶାଳା ବିଧାୟକଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି କର୍ମୀମାନେ ଦଳରେ ସାମିଲ ହୋଇଥିବା କହିଛନ୍ତି। ଏହି ମିଶ୍ରଣ ଫଳରେ ବିଜୁ ଜନତା ଦଳ ସଂଗଠନ ଧର୍ମଶାଳାରେ ଆହୁରି ମଜବୁତ ହେବ ବୋଲି ବିଧାୟକ କହିଛନ୍ତି । ଅନ୍ୟପକ୍ଷରେ ଏହି ମିଶ୍ରଣ ପର୍ବ ଦ୍ୱାରା ଧର୍ମଶାଳାରେ ବିଜେପି ତାର ଅସ୍ଥିତ୍ୱ ହରାଇବ ବୋଲି ନିକଟରେ ବିଜେଡିରେ ସାମିଲ ହୋଇଥିବା ବିଜେପି ବିଧାୟକ ପ୍ରାର୍ଥୀ ରମେଶ ଚନ୍ଦ୍ର ପରିଡା କହିଛନ୍ତି।ଏହି କାର୍ଯ୍ୟକ୍ରମରେ ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟ, ବ୍ଲକ ବିଜେଡି ସଭାପତି ଜଳଧର ମହାନ୍ତି, ବରିଷ୍ଠ ନେତା ଡ଼. ପ୍ରିୟନାଥ ମହାପାତ୍ର, ଜଳଧର ସାହୁଙ୍କ ସମେତ ଯୁବ, ଛାତ୍ର ଓ ମହିଳା ଶାଖାର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *