ବିଶ୍ବ ପାଇଁ ସତର୍କ ଘଣ୍ଟି

ପୋଙ୍ଗୟାଙ୍ଗ ୩୦/୦୮: ଉତ୍ତର କୋରିଆର ଏକଛତ୍ରବାଦ ଶାସକ କିମ ଜୋଙ୍ଗ ଉନ୍‌ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି।  କିମ୍‌ ନିଜ ଦେଶର ପରାମଣୁ ରିଆକ୍ଟର ପୁଣି ଥରେ ଆରମ୍ଭ କରିଥିବା ଜଣାପଡ଼ିଛି । ଏହାକୁ ନେଇ ବିଶ୍ବରେ ଏବେ ଭୟ ସୃଷ୍ଟି ହୋଇଛି । ୩ ବର୍ଷ ପରେ ଉତ୍ତର କୋରିଆ ଆଣବିକ ଗତିବଧି କାହିଁକି ଆରମ୍ଭ କରିଛି ବୋଲି ମଧ୍ୟ ପ୍ରଶ୍ନ ଉପୁଜିଛି। ଏହି ରିଆକ୍ଟର ୫ ମେଗାଓ୍ବାଟ୍‌ର ହୋଇଥିବା ବେଳେ ଏହା ଉତ୍ତର କୋରିଆର ୟଙ୍ଗବାୟନ୍‌ରେ ଅବସ୍ଥିତ । ଯୁକ୍ତ ରାଷ୍ଟ୍ର ପରମାଣୁ ଏଜେନ୍ସି (ଆଇଏଇଏ) ନିଜ ରିପୋର୍ଟରେ ଦର୍ଶାଇଛି, ଏମିତି ପ୍ରତୀତ ହେଉଛି ଯେ ଉତ୍ତର କୋରିଆ ନିଜର ନ୍ୟୁକ୍ଲିୟର ରିଆକ୍ଟର ପୁଣି ଥରେ ଆରମ୍ଭ କରିଛି । ଆଣବିକ ଅସ୍ତ୍ର ତିଆରି କରିବା ପାଇଁ ଏହାର ବ୍ୟବହାର କରାଯାଉଛି।

ଉତ୍ତର ପୋଙ୍ଗୟାଙ୍ଗରେ ୟଙ୍ଗବାୟନ୍‌ରେ ଥିବା ଉତ୍ତର କୋରିଆର ମୁଖ୍ୟ ପରମାଣୁ ପରିସରରେ ପାଞ୍ଚ ମେଗାଓ୍ବାଟ୍‌ର ରିଆକ୍ଟର ନେଇ ଅନ୍ତରାଷ୍ଟ୍ରୀୟ ପରମାଣୁ ଉର୍ଜା ଏଜେନ୍ସିର ବାର୍ଷିକ ରିପୋର୍ଟରେ କୁହାଯାଇଛି। ରିଏକ୍ଟର ମାଧ୍ୟମରେ  ପ୍ଲୁଟୋନିୟମ ତିଆରି ହେଉଛି। ଯାହାକୁ ୟୁରାନିୟମ ସହ ମିଶାଇ ଆଣବିକ ଅସ୍ତ୍ର ପ୍ରସ୍ତୁତ କରାଯାଏ। ଏନେଇ ଖୁଲାସା ହେବା ପରେ ବିଶ୍ବ ପାଇଁ ଚିନ୍ତା ବୃଦ୍ଧି ପାଇଛି। ଆଇଏଇଏ ରିପୋର୍ଟ ଅନୁସାରେ, ଜୁଲାଇ ୨୦୨୧ରୁ ରିଆକ୍ଟର ସଂଚାଳନ ପାଇଁ ଶୀତଳ ଜଳ ନିର୍ଗମନ ନେଇ ସଂକେତ ମିଳିଛି। ଉତ୍ତର କୋରିଆ ପୁଣି ଥରେ ଆଣବିକ କାର୍ଯ୍ୟକଳାପ ଆରମ୍ଭ କରିଥିବାରୁ ଏହା ଗମ୍ଭୀର ଚିନ୍ତାର ବିଷୟ ପାଲଟିଛି।

ଏହା ବ୍ୟତୀତ ଅଧିକ ଚିନ୍ତାର କାରଣ ପାଲଟିଛି, ୫ ମେଗାଓ୍ବାଟ୍‌ ରିଆକ୍ଟର ଏବଂ ରେଡିଓକେମିକାଲ୍‌ ପ୍ରୟୋଗଶାଳା। ଉତ୍ତର କୋରିଆ ନିଜର ଆଣବିକ ଶକ୍ତି ବୃଦ୍ଧି କରିଚାଲିଛି। କିମ୍‌ଙ୍କ ସେନା ପାଖରେ ୬୦ରୁ ଅଧିକ ପରମାଣୁ ବୋମା ରହିଛି ଏବଂ ତାଙ୍କ ନଜରରେ ରହିଛନ୍ତି ଆମେରିକା, ଜାପାନ ଏବଂ ଦକ୍ଷିଣ କୋରିଆ। ଏନେଇ ଆମେରିକାର ଏକ ଗୁଇନ୍ଦା ରିପୋର୍ଟରେ ଦର୍ଶାଯାଇଛି। ରସାୟନିକ ଯୁଦ୍ଧାସ୍ତ୍ର ମାମଲାରେ ଉତ୍ତର କୋରିଆ ବିଶ୍ବର ତୃତୀୟ ସ୍ଥାନରେ ରହିଛି। ଦେଶରେ ୫ ହଜାର ଟନ୍‌ରୁ ଅଧିକ ଆଣବିକ ଅସ୍ତ୍ର ଅଛି।  ଉତ୍ତର କୋରିଆ ପାଖରେ ୨୦ରୁ ୬୦ ପରମାଣୁ ବୋମା ଥିବା ନେଇ ଅନୁମାନ କରାଯାଉଥିବା ବେଳେ ପ୍ରତି ବର୍ଷ ୬ ପରମାଣୁ ବୋମା ତିଆରି କରିବାରେ ସକ୍ଷମ କିମ୍‌ ଜୋଙ୍ଗ ଉନ୍‌ଙ୍କ ଦେଶ ।

Leave a Reply

Your email address will not be published. Required fields are marked *