ଦୋକାନ ଉପରକୁ ବୋମା ମାଡ଼

ବଡ଼ବିଲ, : ବଡବିଲରେ ହାର୍ଡୱେର ଦୋକାନ ଉପରକୁ ବୋମା ମାଡ ଘଟଣାରେ ପୋଲିସକୁ ସଫଳତା । ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ ଅଢେଇ ଲକ୍ଷ ଟଙ୍କା, ଦୁଇଟି ବନ୍ଧୁକ, ୧ଟି ଗୁଳି, ୫ଟି ସୁତୁଲି ବୋମା ଏବଂ ଗୋଟିଏ ମୋଟର ସାଇକେଲ ଜବତ କରିଛି ବଡବିଲ ପୋଲିସ । ଦାଦାବଟି ଆଦାୟ ପାଇଁ ବୋମାମାଡ଼ କରାଯାଇଥିଲା ବୋଲି ପୋଲିସ୍ କହିଛି । ଗତ ୩ ତାରିଖରେ ବଡବିଲ ମେନ୍ ରୋଡରେ ଥିବା ଓଡିଶା ହାର୍ଡୱେର ଷ୍ଟୋର ଉପରକୁ ବୋମା ମାଡ କରି ଆତଙ୍କ ସୃଷ୍ଟି କରିଥିଲେ ଦୁର୍ବୃତ୍ତ । ଉଦ୍ଦେଶ୍ୟ ଥିଲା ଦାଦା ବଟି ଆଦାୟ । ସେତେବେଳେ ବୋମା ବିସ୍ଫୋରଣର ଦୃଶ୍ୟ ସିସି ଟିଭିରେ କଏଦ ହୋଇଥିଲା ।

ତେବେ ଅଳ୍ପକେ ବର୍ତିଯାଇଥିଲେ ଦୋକାନ ମାଲିକ ଓ କର୍ମଚାରୀ । ବୋମା ମାଡ ପୂର୍ବରୁ ସେପ୍ଟେମ୍ବର ୨୧ ତାରିଖରେ ଏକ ଧମକପୂର୍ଣ୍ଣ ଚିଠି ଦ୍ୱାରା ଦାଦାବଟି ମଗାଯାଇଥିଲେ ମଧ୍ୟ ଦୋକାନ ମାଲିକ ଟଙ୍କା ନ ଦେବାରୁ ଆତଙ୍କିତ କରିବାକୁ ଏଭଳି କାଣ୍ଡ ଭିଆଇଥିଲେ ଦୁର୍ବୃତ୍ତ । ଏହାପରେ ବାରର ଦୋକାନୀଙ୍କୁ ଫୋନ ଯୋଗେ ଅଢେଇ ଲକ୍ଷ ଟଙ୍କା ମାଗିଥିଲେ । ଏ ନେଇ ପୋଲିସ ସୂଚନା ପାଇବା ପରେ ଅପରାଧୀଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା । ଯୋଜନା ମୁତାବକ ଦୋକାନ ମାଲିକ ଦିନେଶ ଅଟଳଙ୍କ ଭାଇ ରମେଶ ଅଟଳ, ଅପରାଧୀଙ୍କୁ ଦାଦା ବଟି ବାବଦକୁ ଅଢ଼େଇ ଲକ୍ଷ ଟଙ୍କା ଦେବାକୁ ଯାଇଥିଲେ । ଠିକ୍ ଏତିକିବେଳେ ଟଙ୍କା ନେବା ସମୟରେ ଦୁର୍ବୃତ୍ତଙ୍କୁ ମାଡିବସିଥିଲା ପୋଲିସ୍ ।   ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଝାଡଖଣ୍ଡର ଏମ୍‌ଡି ହୁସେନ ଓ ପରବେଜ ଅଖତର ।

ଘଟଣାରେ ସଂପୃକ୍ତ ଆଉଜଣେ ଅଭିଯୁକ୍ତ ଝାଡଖଣ୍ଡର ବାସୁଦେବ ମହାନ୍ତ ଏବେବି ଫେରାର ଥିବା ପୋଲିସ କହିଛି । ଏମାନଙ୍କ ନାଁରେ ପଶ୍ଚିମବଙ୍ଗ, ବିହାର ଏବଂ ଝାଡଖଣ୍ଡରେ ଏକାଧିକ ମାମଲା ରହିଥିବା ନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ବଡବିଲ ଏସଡିପିଓ ହିମାଂଶୁ ଭୂଷଣ ବେହେରା ।

Leave a Reply

Your email address will not be published. Required fields are marked *