ଶବକୁ କାନ୍ଧ ଦେଲେନି ସାହିଭାଇ, ବୋହିନେଲେ ବାପା-ମା’ ଓ ଦୁଇ ସ୍ତ୍ରୀ

ନବରଙ୍ଗପୁର : ଜାତି ପ୍ରଥା ଯୋଗୁଁ ଶବକୁ ମିଳିଲାନି ଜାତି ଭାଇଙ୍କ  କାନ୍ଧ। ଶେଷରେ ୨ ସ୍ତ୍ରୀ, ବାପା ଓ ମା’ ଦେଲେ କାନ୍ଧ । ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ଅନ୍ତର୍ଗତ କଂଗ୍ରା ଗ୍ରାମରେ ।

ସୂଚନାଯୋଗ୍ୟ ଯେ, ତେନ୍ତୁଳିଖୁଣ୍ଟି ବ୍ଲକ୍ ଅନ୍ତର୍ଗତ କଂଗ୍ରା ପଞ୍ଚାୟତ ଯାନୀ ସାହିରେ ରହୁଥିବା ସାରଥୀ ଯାନୀଙ୍କ ପୁଅ ଜଗବନ୍ଧୁ ଯାନୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିଲା। ଜଗବନ୍ଧୁଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।  ସୋମବାର ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଡାକ୍ତରଖାନାରେ ଜଗବନ୍ଧୁଙ୍କ  ସ୍ତ୍ରୀ ଓ ମା’ ଥିବାବେଳେ ଗ୍ରାମର ଅନ୍ୟ ସମ୍ପ୍ରଦାୟର ୩ ଯୁବକ ସେଠାରେ ପହଞ୍ଚିଥି ଶବକୁ ଗାଁକୁ ଆଣିଥିଲେ। ଗାଁରେ ଶବ ପହଞ୍ଚିବା ପରେ ଅନ୍ୟ ସମ୍ପ୍ରଦାୟର ଯୁବକ ଶବକୁ ଛୁଇଁବା ଅଭିଯୋଗ କରି ଜାତି ଭାଇ ମାନେ ଶବ ସତ୍କାର ପାଇଁ ରୋକ୍ ଠୋକ୍ ମନା କରିଦେଇଥିଲେ । ଫଳରେ ସେହି ୩ ଯୁବକ ଶବ ସତ୍କାର କରିବା ପାଇଁ ଆଗେଇ ଆସିଥିଲେ । କିନ୍ତୁ ସେମାନଙ୍କୁ ବି ସତ୍କାର କରିବା ପାଇଁ ସୁଯୋଗ ଦିଆଯାଇନଥିଲା। ଶେଷରେ ବାଧ୍ୟ ହୋଇ ମୃତକ ଜଗବନ୍ଧୁଙ୍କ ଦୁଇ ସ୍ତ୍ରୀ, ମା’ ଓ ବାପା ୪ କାନ୍ଧ ଦେଇ ଶ୍ମଶାନକୁ ନେଇଥିଲେ। ମୃତକ ଜଗବନ୍ଧୁଙ୍କ ୨ କୁନି କୁନି ପୁଅ ମୁଖାଗ୍ନି ଦେଇଥିଲେ।

ଉଲ୍ଲେଖଯୋଗ୍ୟ ଯେ, ଜଗବନ୍ଧୁ ବିଶାଖାପାଟନାରେ ଦାଦନ ଖଟିବା ପାଇଁ ଯାଇଥିଲେ। ସେଠାରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡିବାରୁ ସେ ଘରକୁ ଗତ ସପ୍ତାହ ରେ ଫେରିଥିଲେ ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *