ଜାଲରେ ଫସିଗଲା ଅଜଗର

ବ୍ରହ୍ମପୁର : ମାଛ ଜାଲରେ ପଡି ଛଟପଟ ହେଉଥିବା ଅଜଗର ସାପକୁ ଉଦ୍ଧାର କରିଛନ୍ତି ସ୍ନେକ ହେଲ୍ପ ଲାଇନ ସଦସ୍ୟ। ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ନିକଟରେ ଥିବା ଡିପ ସନ ହେଚେରୀ ପରିସରରେ ଏକ ଜାଲରେ ଅଜଗର ସାପଟି ବିଳମ୍ବିତ ରାତିରୁ ଛନ୍ଦି ହୋଇ ପଡ଼ିଥିଲା। ଦୀର୍ଘ ସମୟ ହେବ ସାପଟି ବାହାରିବାକୁ ଚେଷ୍ଟା କଲେ ମଧ୍ୟ ସେଥିରୁ ବାହାରି ପାରୁ ନଥିଲା। ଶେଷରେ ହେଚେରୀ ମ୍ୟାନେଜର ସ୍ନେକ ହେଲ୍ପ ଲାଇନକୁ ଯୋଗାଯୋଗ କରିଥିଲେ। ଏହାପରେ ବ୍ରହ୍ମପୁର ସ୍ନେକ ହେଲ୍ପ ଲାଇନ ସଦସ୍ୟ ସ୍ୱାଧୀନ କୁମାର ସାହୁ ଏବଂ ଶ୍ରୀକାନ୍ତ ନାହାକ ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଉଦ୍ଧାର ସାପଟି ଅଜଗର ପ୍ରଜାତିର ହୋଇଥିବା ବେଳେ ଏହାର ମୁଣ୍ଡ ଛୋଟ ଏବଂ ଦେହ ବଡ଼ ହୋଇଥାଏ। ଯାହାଦ୍ୱାରା ପ୍ରଥମେ ଖାଦ୍ୟ ଲୋଭରେ ସେ ଜାଲରେ ଫସି ଯାଇଥିବା କହିଛନ୍ତି। ସାପଟିର ଲମ୍ବ ୪ ଫୁଟ ହୋଇଥିବା ବେଳେ ଏହାକୁ ବନବିଭାଗ ର ପରାମର୍ଶ କ୍ରମେ ସଂରକ୍ଷିତ ଜଙ୍ଗଲରେ ଛଡ଼ାଯିବ ବୋଲି ସ୍ନେକ ହେଲ୍ପ ଲାଇନ ସଦସ୍ୟ କହିଛନ୍ତି।

Leave a Reply

Your email address will not be published. Required fields are marked *