ହାଇସ୍କୁଲ ଖେଳ ପଡ଼ିଆରୁ ବସ ଷ୍ଟାଣ୍ଡ ପ୍ରତ୍ୟାହାର ଦାବିରେ ତହସିଲଦାରଙ୍କ ଜରିଆରେ ଜିଲ୍ଲାପଳଙ୍କୁ ଦାବିପତ୍ର ପ୍ରଦାନ

ବାଲିଆପାଳ : ବାଲିଆପାଳ ପଞ୍ଚାୟତର କଚୁଆପଡା ଗ୍ରାମରେ ଥିବା ସୁବର୍ଣ୍ଣରେଖା ହାଇସ୍କୁଲ ଖେଳ ପଡ଼ିଆରେ ନିର୍ମାଣ ହେଉଥିବା ନୂଆ ବସ ଷ୍ଟାଣ୍ଡକୁ ପ୍ରତ୍ୟାହାର ଦାବିରେ ମଙ୍ଗଳବାର ବାଲିଆପାଳ ବ୍ଲକର ଜନସାଧାରଣଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ବାଲିଆପାଳ ତହସିଲଦାର ଦାୟିତ୍ୱରେ ଥିବା ବାଲିଆପାଳ ବିଡ଼ିଓ ଦୀପକ କୁମାର ଦାଶଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଉକ୍ତ ପଡିଆ ୬ ଦଶନ୍ଧିରୁ ଅଧିକ ଦିନ ହେବ ସୁବର୍ଣ୍ଣରେଖା ହାଇସ୍କୁଲର ଖେଳ ପଡିଆ ଭାବରେ ବ୍ୟବହାର ହୋଇଆସୁଥିବା ବେଳେ ଆଞ୍ଚଳିକ ସ୍ତରରେ ଖେଳ ପ୍ରତିଯୋଗିତା ସହିତ ବ୍ଲକ, ଜିଲ୍ଲା ଓ ରାଜ୍ୟ ସ୍ତରୀୟ ଖେଳ କୁଦ ପ୍ରତିଯୋଗିତା ହୋଇ ଆସୁଛି । ଏହା ସହିତ ଉକ୍ତ ପଡିଆରେ ଦଳୀୟ ସଭା ସମିତି, ମହୋତ୍ସବ, ଗ୍ରାମୀଣ ମେଳା ପରି ବହୁ ସାମାଜିକ କାର୍ଯ୍ୟ ଅନୁଷ୍ଠିତ ହୋଇ ଆସୁଅଛି । ଯାହାକି ବାଲିଆପାଳ ପଂଚାୟତର ଆଖପାଖ ୭/୮ ଟି ପଞ୍ଚାୟତର କେନ୍ଦ୍ର ବିନ୍ଦୁରେ ଉକ୍ତ ପଡିଆ ହୋଇଥିବାରୁ ସାର୍ବଜନୀନ ମେଳା ମହୋତ୍ସବ, ନିର୍ବାଚନର ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହୋଇପାରୁଛି । ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ବାଲିଆପାଳ ପଞ୍ଚାୟତରରେ ବହୁ ସରକାରୀ ଜାଗା ଥିଲାବେଳେ ଏମିତି ଏକ ପଡିଆକୁ ବସ ଷ୍ଟାଣ୍ଡ କରି ଦିଆ ଗଲେ ବାଲିଆପାଳ ବାସୀଙ୍କ ବହୁ କ୍ଷତି ହେବ । ଏହା ଛଡା ହାଇସ୍କୁଲ ଖେଳ ପଡିଆକୁ ନେତାଜୀ ଷ୍ଟାଡିୟମ୍ ନାମରେ ନାମକରଣ କରାଯାଇ ସରକାରୀ ଅର୍ଥରେ ଷ୍ଟାଡିୟମ୍ ର ବାଉଣ୍ଡାରୀ ନିର୍ମାଣ କରାଯାଇଛି । ଏହିସବୁ ଦୃଷ୍ଟିରେ ରଖି ବାଲିଆପାଳ ଅଞ୍ଚଳର ଜନସାଧାରଣ ଉକ୍ତ ପଡ଼ିଆରୁ ୧୪୪ ଧରା ଏବଂ ବସ ଷ୍ଟାଣ୍ଡ ନିର୍ମାଣକୁ ପ୍ରତ୍ୟାହାର କରିବା ପାଇଁ ଶ୍ରୀ ଦାଶଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି । ବାଲିଆପାଳ ଥାନ ଭାରାପ୍ରପ୍ତ ଅଧିକାରୀ ସୁବ୍ରତ ବେହେରା, ଏସ ଆଇ ସସ୍ମିତା ମଲ୍ଲିକଙ୍କ ସହିତ ବହୁ ପୋଲିସ ତହସିଲ ଗେଟରେ କଡ଼ା ସୁରକ୍ଷା ବଳୟ ସୃଷ୍ଟି କରୁଥିଲେ । ଫଳରେ ଆନ୍ଦୋଳନ କରି ତହସିଲ ପରିସରକୁ ପଶି ପାରିନଥିଲେ । ବାଲିଆପାଳ ବ୍ଲକ ଅଧ୍ୟକ୍ଷା ରଞ୍ଜିତା ନାୟକ, ମଧୁପୁରା ପଞ୍ଚାୟତର ପୂର୍ବତନ ସରପଞ୍ଚ ମୁରଲୀ ମୋହନ ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଜନ ନାୟକ, ରବି ନାରାୟଣ ମାହାନ୍ତି, ନିଖୀରା ପଞ୍ଚାୟତର ପୁର୍ବତନ ସରପଞ୍ଚ ସପନ ଦାସ, ନରହରୀ ଜେନା, ଦେଉଳ ପଞ୍ଚାୟତ ସରପଞ୍ଚ ସରୋଜ ପିଲା, ଜଗନ୍ନାଥ ମହାନ, ସୁଶାନ୍ତ ପାତ୍ର, ସୁଶାନ୍ତ ରଣା, କରୁଣା କର ଜେନା, ଜଗନ୍ନାଥ ବାରିକ, ଅରୁଣ କୁମାର ପାତ୍ର, ପ୍ରବୀର କୁମାର ସିଙ୍କ ସହିତ ଶତାଧିକ ଲୋକ ବାଲିଆପାଳ ବ୍ଲକ ଛକରୁ ଏକ ବିରାଟ ପଟୁଆରେ ବାହାରି ବାଲିଆପାଳ ତହସିଲ କାର୍ଯ୍ୟାଳୟ ଠାରେ ପହଂଚି ଶାନ୍ତି ଶୃଙ୍ଖଳାର ସହିତ ତହସିଲଦାର ଦାୟିତ୍ୱରେ ଥିବା ଶ୍ରୀ ଦାଶଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *