ବାଲିଆପାଳ : ବାଲିଆପାଳ ଗ୍ରାମ ପଞ୍ଚାୟତ ସାମ୍ନା ଖେଳ ପଡ଼ିଆରେ ବସ ଷ୍ଟାଣ୍ଡ ନିର୍ମାଣକୁ କେନ୍ଦ୍ର କରି ମଙ୍ଗଳବାର ସାନି ଉତ୍ତେଜନା ପ୍ରକାଶ ପାଇଛି । ପ୍ରଶାସନ ଓ ପୁଲିସ ନୀରବ ରହୁଥିବାରୁ ଘଟଣା ସ୍ଥଳରେ ସ୍ଥିତି ଜଟିଳ ହେଉଛି । ଶାସକ ଦଳ ପକ୍ଷରୁ ସେଠାରେ ଯେକୌଣସି ପ୍ରକାରେ ବସ ଷ୍ଟାଣ୍ଡ ହେବା ଲାଗି ଉଦ୍ୟମ ଜାରି ରହିଥିବା ବେଳେ କଂଗ୍ରେସ ଦଳ ଓ କିଛି ସ୍ଥାନୀୟ ଲୋକ ବସ ଷ୍ଟାଣ୍ଡ ନିର୍ମାଣକୁ ବିରୋଧ କରୁଛନ୍ତି ।ସେମାନଙ୍କ କହିବା କଥା ଯେ ଖେଳ ପଡିଆରେ ବସ ଷ୍ଟାଣ୍ଡ ନ ହୋଇ ଅନ୍ୟତ୍ର ହେଉ । ଶାସକ ଦଳ ବସ ଷ୍ଟାଣ୍ଡ ପାଇଁ ସେହି ସ୍ଥାନଟି ଉପଯୁକ୍ତ ବୋଲି କହିଛି । ଦଳ ପକ୍ଷରୁ ସେଠାରେ ଭିତ୍ତି ପ୍ରସ୍ତର ସ୍ଥାପନ ଇତି ମଧ୍ୟରେ ସରିଯାଇଛି । କଂଗ୍ରେସ ପକ୍ଷରୁ ବସ ଷ୍ଟାଣ୍ଡକୁ ବିରୋଧ କରି ଏକ ସର୍ବଦଳୀୟ କମିଟି ମଧ୍ୟ ଗଠନ କରାଯାଇଛି ।

ଖେଳ ପଡିଆ ଚତୁଃପାର୍ଶ୍ୱରେ ଥିବା ସରକାରୀ ଜାଗାରୁ ଜବର ଦଖଲ ଉଚ୍ଛେଦ ପାଇଁ ମଧ୍ୟ ଦଳ ପକ୍ଷରୁ କୁହାଯାଇଛି । ତେବେ କ’ଣ ପାଇଁ କାହା ସ୍ୱାର୍ଥରେ ତହସିଲଦାର ପଦକ୍ଷେପ ନେଉ ନାହାଁନ୍ତି ତାହା ବୁଝା ପଡୁନାହିଁ । ଖେଳ ପଡିଆ ପାଇଁ ବାସ୍ତବରେ କେତେ ଜାଗା ଦରକାର । ସେହିପରି ବସ ଷ୍ଟାଣ୍ଡ ପାଇଁ କେତେ ଜାଗା ଦରକାର ତାହା ସ୍ପଷ୍ଟ ହେବା ଦରକାର ।ପୂର୍ବରୁ ଠିକାଦାର ବସ ଷ୍ଟାଣ୍ଡ ପାଇଁ ଲେ ଆଉଟ ଦେଇଥିବା ବେଳେ ବିରୋଧ ଯୋଗୁଁ କାମ ବନ୍ଦ ହୋଇ ଯାଇଥିଲା । ଠିକାଦାର ଆଜି ଜେସିବି ଲଗାଇ କାମ କରୁଥିବା ବେଳେ ସ୍ଥାନୀୟ ଲୋକ କାମ ବନ୍ଦ କରିଛନ୍ତି । ଏବେ ସେଠାରେ ଚାପା ଉତ୍ତେଜନା ପ୍ରକାଶ ପାଇଛି । ତେବେ ବସ ଷ୍ଟାଣ୍ଡ ବିରୋଧୀ କମିଟି ପକ୍ଷରୁ ତହସିଲଦାରଙ୍କ ସହିତ ଆଲୋଚନା ହୋଇ ନିଷ୍ପତ୍ତି ନିଆ ଯିବ ବୋଲି ସୂଚନା ମିଳିଛି ।
