ଧାମନଗର : ଅନଲାଇନ ଖେଳ ହେଲା କାଳ । ଅକାଳରେ ଚାଲିଗଲା ଭେଣ୍ଡିଆ ପୁଅର ଜୀବନ । ଅନଲାଇନ ଖେଳ ଖେଳି ବାପାଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି କରି ଘର ଛାଡ଼ିଥିବା ଯୁବକଙ୍କ ଅସ୍ଥିକଙ୍କାଳ ଦେଢମାସ ପରେ ଉଦ୍ଧାର ହୋଇଛି । ଭଦ୍ରକ ଜିଲା ଧାମନଗର ଥାନା ଦିହୁଡି ଆନନ୍ଦପୁର ପଞ୍ଚାୟତ ଚମ୍ପାବାଗ ଗାଁର ପଦ୍ମନାଭ ନାୟକଙ୍କ ପୁଅ ଖଗେଶ୍ବର ନାୟକ (୧୯) ମୋବାଇଲରେ ‘ଫ୍ରି ଫାୟାର’ ଓ ‘ଲୁଡୋ’ ଭଳି ଅନଲାଇନ ଖେଳ ଖେଳୁଥିଲେ । ଏପରିକି ଏହି ଖେଳରେ ସେ ବାପାଙ୍କ ଆକାଉଣ୍ଟରୁ ପ୍ରାୟ ୨୪ ହଜାରରୁ ଊର୍ଦ୍ଧ୍ବ ଟଙ୍କା କାଟି ଦେଇଥିଲେ । ପରିବାର ଲୋକଙ୍କ ଗାଳି ଭୟରେ ଗତ ଡିସେମ୍ବର ମାସ ୧୭ ତାରିଖରୁ ଘର ଛାଡ଼ି କେଉଁ ଆଡେ ପଳାଇଯାଇଥିଲେ । ପରିବାର ଲୋକ ବନ୍ଧୁ ବାନ୍ଧବ ଓ ସାଙ୍ଗ ସାଥୀଙ୍କୁ ପଚରାଉଚରା କରିଥିଲେ ବି ତାଙ୍କର କୌଣସି ସନ୍ଧାନ ମିଳିନଥିଲା । ଶେଷରେ ଥାନାରେ ଅଭିଯୋଗ କରିଥିଲେ ତାଙ୍କ ବାପା । ତଥାପି କୌଣସି ଖୋଜଖବର ମିଳିନଥିଲା । ତେବେ ବୁଧବାର ସମ୍ପୃକ୍ତ ଯୁବକଙ୍କ ଅସ୍ଥିକଙ୍କାଳ ଘରଠାରୁ ପ୍ରାୟ ତିନିଶହ ମିଟର ଦୂରରେ ଉଦ୍ଧାର ହୋଇଛି । ପଦ୍ମନାଭଙ୍କ ଘର ସମ୍ମୁଖରେ ଥିବା ଜଙ୍ଗଲିଆ ସ୍ଥାନରେ ଏକ ଗଛରେ ଖଗେଶ୍ବରଙ୍କ ଖପୁରି ଝୁଲୁଥିବା ସ୍ଥାନୀୟ ଲୋକେ ଆଜି ଦେଖିଥିଲେ । ତଳେ ତା’ର ଚପଲ, କିଛି ହାଡ ଓ ଖପୁରି ଝୁଲୁଥିବା ତାଙ୍କ ବାପାଙ୍କ ଲୁଗାରୁ ଏହା ଖଗେଶ୍ବରଙ୍କ ଅସ୍ଥିକଙ୍କାଳ ବୋଲି ପରିବାର ଲୋକ ଚିହ୍ନଟ କରିଛନ୍ତି । ଥାନାଧିକାରୀ ଶ୍ରୀବଲ୍ଲଭ ସାହୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଗୁରୁବାର ବିଜ୍ଞାନଭିତ୍ତିକ ତଦନ୍ତକାରୀ ଦଳ ଆସି ନମୁନା ସଂଗ୍ରହ କରିବା ସହିତ ଡିଏନଏ ପରୀକ୍ଷା ପରେ ଅସ୍ଥିକଙ୍କାଳର ସଠିକ ତଥ୍ୟ ଜଣାପଡ଼ିବ ବୋଲି ତଦନ୍ତକାରୀ ଅଧିକାରୀ ସୂଚନା ଦେଇଛନ୍ତି । ଆଜି ସେଠାରେ ଦୁଇ ଜଣ ପୁଲିସ କର୍ମଚାରୀ ନିୟୋଜିତ ଅଛନ୍ତି । ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।
