ନୟାଗଡ : ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ନାହାକପଡାର ବସନ୍ତ ବେହେରାକୁ ହାଣିଦେଲେ ବାପା-ମା’ । ବାପା ପଞ୍ଚୁଆ ଏବଂ ମା’ ସରୋଜିନୀ ଥାନାରେ ଅଟକ । ସୂଚନାଯୋଗ୍ୟ ଯେ, ବସନ୍ତ ସବୁ ସମୟରେ ନିଶା ଖାଇ ବାପା-ମା’ଙ୍କୁ ଗାଳିଗୁଲଜ କରିବା ସହ ମାରପିଟ୍ କରନ୍ତି । ଏପରିକି ବସନ୍ତଙ୍କ ଏପରି ଆଚରଣରେ ଅତିଷ୍ଠ ହୋଇ ପିଲାକୁ ଧରି ତାଙ୍କ ସ୍ତ୍ରୀ ବାପଘରକୁ ଚାଲିଯାଇଛନ୍ତି । ଗତ କିଛିଦିନ ହେଲା ବସନ୍ତ ନିଶାରେ ପାଗଳପ୍ରାୟ ହୋଇ ଅତି ଅମାନୁଷିକ ଭାବେ ବୃଦ୍ଧ ବାପା-ମା’ଙ୍କୁ ପିଟୁଥିଲେ । ମଙ୍ଗଳବାର ଭୋରରୁ ବସନ୍ତ ଶୋଇଥିବା ସମୟରେ ସରୋଜିନୀ ଏବଂ ପଞ୍ଚୁ ମାରଣାସ୍ତ୍ରରେ ବସନ୍ତର ଶରୀରର ବିଭିନ୍ନ ସ୍ଥାନକୁ ହାଣିଦେଇଥିଲେ । ବସନ୍ତକୁ ଗୁରୁତର ଅବସ୍ଥାରେ ସାହିଲୋକ ଦଶପଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଚିକିତ୍ସାଧିନ ଅବସ୍ଥାରେ ମଧ୍ୟାହ୍ନରେ ବସନ୍ତର ମୃତ୍ୟୁ ହୋଇଛି । ଦଶପଲ୍ଲା ପୋଲିସ ବାପା-ମା’ଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ।
