ରାଉରକେଲା : ଗତ ୩ ଦିନ ଧରି ପାଉଁଶକଣା ଓ ଧଳାଧୂଆଁରେ ଆଚ୍ଛାଦିତ ହୋଇଯାଉଛି ଇସ୍ପାତ ସହର । ଘରଦ୍ୱାର, ସବୁଜିମା ଯୁ୍ଆଡ଼େ ଦେଖିବ ଧଳାଧୂଆଁ । ଏହି ଧୂଆଁର ପ୍ରଭାବରେ ସହରର ଅନେକ ଅଞ୍ଚଳରେ ବୃଦ୍ଧବୃଦ୍ଧା ଓ ପିଲାମାନେ ଘରୁ ବାହାରି ପାରୁନାହାନ୍ତି । ସମସ୍ତଙ୍କର ଆଖି ଜଳୁଛି । ଠିକ୍ ଭାବେ ବାଟ ଦିଶୁନି । ସକାଳୁ ଆରମ୍ଭ ହୋଇ ମଧ୍ୟାହ୍ନ ପର୍ଯ୍ୟନ୍ତ, ଏପରିକି ତା’ର ଆହୁରି ଘଣ୍ଟେ ଦୁଇଘଣ୍ଟା ପର୍ଯ୍ୟନ୍ତ ଧୂଆଁ ରାଉରକେଲା ଓ ଆଖପାଖ ଅଞ୍ଚଳର ଆକାଶରୁ ହଟୁନି କି ଲୋକଙ୍କ କଷ୍ଟ କମୁନି । ଉଲ୍ଲେଖନୀୟ ଯେ ପ୍ରାୟ ୪ ଦିନ ତଳେ ରାଉରକେଲା ଭିତରେ ଥିବା ଦୁର୍ଗାପୁର ପାହାଡ଼ରେ ନିଆଁ ଲାଗିଥିଲା । ଧୂଆଁ ସେହି କାରଣରୁ ହେଉଛି ବୋଲି କେହି କେହି କହୁଥିବାବେଳେ, କେହି କେହି ସନ୍ଦେହ କରୁଛନ୍ତି ଯେ ରାଉରକେଲା ଇସ୍ପାତ କାରଖାନାରୁ ଏହି ଧୂଆଁ ନିର୍ଗତ ହେଉଛି ! ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ନିର୍ଦ୍ଦିଷ୍ଟ ଭାବେ କେଉଁ କାରଣରୁ ସମସ୍ୟା ଉପୁଜିଛି ଜାଣିପାରୁନି ପ୍ରଦୂଷଣ ବିଭାଗ । ବିଷାକ୍ତ ଧୂଆଁରେ ସହରବାସୀ ଘାଣ୍ଟି ହେଉଥିଲେ ମଧ୍ୟ ବନବିଭାଗ, ଜିଲ୍ଲା ପ୍ରଶାସନ କିମ୍ବା ପ୍ରଦୂଷଣ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଉନାହୁଁ । ଯାହାକୁ ନେଉ ଜନ ଅସନ୍ତୋଷ ବଢୁଛି ।
ଦୁର୍ଗାପୁର ପାହାଡ଼ରେ ପ୍ରାୟ ପ୍ରତିବର୍ଷ ନିଆଁ ଲାଗୁଛି । ଏହି ନିଆଁରେ ପ୍ରତିବର୍ଷ ଅନେକ ମୂଲ୍ୟବାନ ଗଛ ସହ ପାହାଡ଼ରେ ରହୁଥିବା ଛୋଟ ଛୋଟ ଜୀବଜନ୍ତୁ ପୋଡି ଛାରଖାର ହେଉଛନ୍ତି । କିନ୍ତୁ ସହର ଭିତରେ ଥିବା ଏହି ପାହାଡ଼ର ରିଜର୍ଭ ଜଙ୍ଗଲରେ ମଧ୍ୟ ନିଆଁ ନିୟନ୍ତ୍ରଣ କରିବାରେ ସଂପୃକ୍ତ ବିଭାଗ ସଫଳ ହୋଇ ପାରୁନାହିଁ । ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ସ୍ୱତନ୍ତ୍ର ପାଣ୍ଠି ରହିଥିବାବେଳେ ନିଆଁ ଲିଭାଇବାକୁ ବନବିଭାଗର ଏକ ସ୍ୱତନ୍ତ୍ର ସ୍କ୍ୱାଡ ରହିଛି । ସେମାନଙ୍କୁ ତାଲିମ ମଧ୍ୟ ଦିଆଯାଇଛି । ଜିଲ୍ଲାର ବାଙ୍କୀ ଫରେଷ୍ଟ ରେଞ୍ଜର ଚମ୍ପାଝରଣ ନିକଟ କରଡା ଜଙ୍ଗଲରେ ଜଣେ ବ୍ୟକ୍ତି ଜଙ୍ଗଲରେ ନିଆଁ ଲଗାଉଥିବାବେଳେ ବନବିଭାଗ କର୍ମଚାରୀଙ୍କ ହାତରେ ଧରାପଡିଛି । ଏହି ନିଆଁ ଲଗାଇବା ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ରାଉରକେଲା ବନବିଭାଗ ତାର ତଦନ୍ତ କରୁଛି ।
ଅନ୍ୟପକ୍ଷରେ ଜଙ୍ଗଲରେ ଲାଗୁଥିବା ନିଆଁ ଆୟତ୍ତ କରିବାକୁ ସମସ୍ତ ପଦକ୍ଷେପ ନିଆଯାଇଛି ବୋଲି ରାଉରକେଲା ଡିଏଫଓ କହିଛନ୍ତି । ରାଉରକେଲା ପ୍ରଦୂଷଣ ବିଭାଗର ସହକାରୀ ପରିବେଶ ଯନ୍ତ୍ରୀ ବିଜୟ ଭୋଇ କହିଛନ୍ତି, କ’ଣ ପାଇଁ ଏମିତି ସମସ୍ୟା ସୃଷ୍ଟି ହୋଇଛି ଜଣାପଡୁନି । ବିଭାଗର ସ୍ୱତନ୍ତ୍ର ଟିମ୍ ଆଜି ରାଉରକେଲା ଇସ୍ପାତ କାରଖାନା ଅଞ୍ଚଳ, ସିଭିଲ ଟାଉନସିପ ଓ ଅନ୍ୟାନ ଇଲାକା ବୁଲି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଧୂଆଁକୁ ଯାଞ୍ଚ କରା ଯାଉଛି। ରିପୋର୍ଟ ଆସିବା ପରେ କାର୍ଯାନୁଷ୍ଠାନ ନିଆଯିବ ।
ସୂଚନାଯୋଗ୍ୟ ଯେ ଏଇ କିଛିଦିନ ହେଲା ସୁନ୍ଦରଗଡ଼ ଜିଲ୍ଲାର ଅନେକ ଅଞ୍ଚଳରେ ଜଙ୍ଗଲରେ ନିଆଁ ଲାଗିଛି । କେବଳ ରାଉରକେଲା ନୁହେଁ, ଉପାନ୍ତ ଇଲାକାର କିଛି ଗାଁର ଲୋକମାନେ ମଧ୍ୟ ଜଙ୍ଗଲ ନିଆଁର ପ୍ରଭାବରେ ଉତ୍ତାପ ଓ ଧୂଆଁରେ ଘାଣ୍ଟି ହେଉଛନ୍ତି । ନିଆଁରେ ମୂଲ୍ୟବାନ ଗଛଲତା ପୋଡ଼ି ପାଉଁଶ ହେଉଥିବାବେଳେ ଅସଂଖ୍ୟ ବନ୍ୟପ୍ରାଣୀଙ୍କ ଜୀବନ ଯାଉଛି । ମହୁଲ ଗୋଟାଇବାଲାଗି ଲୋକେ ଜଙ୍ଗଲରେ ନିଆଁ ଲଗାଇ ଦେଉଛନ୍ତି ବୋଲି କୁହାଯାଉଛି।
