ରାଉରକେଲା : ସୁନ୍ଦରଗଡ଼ ସମେତ ଝାରସୁଗୁଡା, ସମ୍ବଲପୁର ଓ ବଲାଙ୍ଗୀର ଚାରିଟି ଜିଲ୍ଲା ପାଇଁ କାମ କରୁଥିବା ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ଏକପ୍ରକାର ସ୍ଥାଣୁ ପାଲଟିଛି । ଗତ ୧୫ ବର୍ଷ ମଧ୍ୟରେ ଅର୍ଥାତ୍ ୨୦୦୭ ରୁ ସଂସ୍ଥା ଆପାର୍ଟମେଣ୍ଟ ତ ଦୂରର କଥା ଖଣ୍ଡିଏ ଆବାସିକ ଗୃହ ନିର୍ମାଣ କରିନାହିଁ । ରାଉରକେଲା ବାସନ୍ତୀ କଲୋନିସ୍ଥ ପ୍ରକଳ୍ପ କାର୍ଯ୍ୟାଳୟକୁ ଜଣେ ପରେ ଜଣେ ଯନ୍ତ୍ରୀ ଆସୁଛନ୍ତି । କିଛି ମାସ ଓ ବର୍ଷ ରହିବାପରେ ବଦଳି ହୋଇ ଚାଲିଯାଉଛନ୍ତି । ହେଲେ, କାହାରି ପକ୍ଷରୁ ରାଉରକେଲା ସହର ସମେତ ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କୁ କେମିତି ସରକାରୀ ଧାର୍ଯ୍ୟ ମୂଲ୍ୟରେ ଆବାସିକ ଗୃହ ଓ ଦୋକାନ ଯୋଗାଇ ଦିଆଯିବ ଧ୍ୟାନ ଦିଆଯାଉ ନାହିଁ । ଅନେକ ଦିନରୁ କୁହାଯାଉଛି, ଦୁଇଟି ଆପାର୍ଟମେଣ୍ଟରେ ୩୦୦ ରୁ ଅଧିକ ଆବାସିକ ଗୃହ ନିର୍ମାଣ ହେବ ଓ ତଳ ମହଲାରେ ବାଣିଜ୍ୟିକ ଅନୁଷ୍ଠାନ ଖୋଲିବ । ଏଥିପାଇଁ ବାସନ୍ତୀ କଲୋନି ଜିଏମ୍ ବ୍ଲକ ସମ୍ମୁଖ ୦.୭୫ ଏକର ଓ ନିଜସ୍ବ ଅଫିସ୍ର ୦.୫୨ ଏକର ଜାଗାରେ ଗୋଟିଏ ଲେଖାଏଁ ଚାରି ମହଲା ଆପାର୍ଟମେଣ୍ଟ ନିର୍ମାଣ କରିବାକୁ ଯୋଜନା ରହିଥିଲା । ପରେ ତାହାକୁ ପରିବର୍ତ୍ତନ କରି ୮ ମହଲା କରିବାକୁ ଯୋଜନା ହେଲା । କିନ୍ତୁ ଏଯାଏ
ଉଲ୍ଲେଖଯୋଗ୍ୟ, ରାଉରକେଲାରେ ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ୧୯୬୫ରେ ଖୋଲାଯାଇଥିଲା । ପଶ୍ଚିମ ଓଡ଼ିଶାର ୪ଟି ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର ଓ ବଲାଙ୍ଗୀର ପାଇଁ କାମ କରୁଥିଲେ । ବର୍ତ୍ତମାନ ଅଫିସ୍ରେ ଅନେକ ପଦପଦବୀ ଖାଲି ପଡ଼ିଛି । ଏଥିପ୍ରତି ମଧ୍ୟ ବିଭାଗୀୟ ଉଚ୍ଚ ଅଧିକାରୀ ଧ୍ୟାନ ନାହିଁ । ରାଉରକେଲା ବାସନ୍ତୀ କଲୋନି ଓ ଛେଣ୍ଡ କଲୋନିରେ ମୋଟ୍ ସଂସ୍ଥା ପ୍ରଥମେ ୫,୧୯୩ ଆବାସିକ ଗୃହ ନିର୍ମାଣ କରି ଆବଣ୍ଟନ କରିଥିଲା । ଏଥି ମଧ୍ୟରେ ବାସନ୍ତୀ କଲୋନିରେ ଏଲ୍, ବିଏଲ୍, ସିଏଲ୍, ଡିଏଲ୍, ଇଏଲ୍, ଡିଇ, ଏଫ୍ଇ, ଇଡବ୍ଲ୍ୟୁଏସ୍ ପ୍ଲଟ, ଏମ୍, ବିଏମ୍, ସିଏମ୍, ଡିଏମ୍, ଇଏମ୍, ଏଫ୍ଏପ୍, ଜିଏମ୍, ଇସିଆର୍ରେ ମୋଟ୍ ୨,୩୭୬ ଗୃହ ରହିଛି । ସେମିତି ଛେଣ୍ଡ କଲୋନିରେ ଇସିଆର୍, ଏମ୍ଆଇସିଆର୍, ଏଲ୍୧, ଏଲ୍ ୨, ଏମ୍ଆଇଜି, ଏଚ୍ଆଇଜି, ଡୁପ୍ଲେକ୍ସ ଆଦି ବ୍ଲକରେ ୨,୮୧୭ ଗୃହ ନିର୍ମାଣ କରି ଆବଣ୍ଟନ କରାଯାଇଛି । ଏଥିସହ ବାସନ୍ତୀ କଲୋନି ଓ ଛେଣ୍ଡ ଥାଡ୍ ଫେଜ୍ (କଳିଙ୍ଗ ବିହାର)ରେ ମାର୍କେଟ କମ୍ପ୍ଲେକ୍ସ ରହିଛି । ସେମିତି ସୁନ୍ଦରଗଡରେ ପ୍ରାୟ ୨୫୦ ଗୃହ ନିର୍ମାଣ ହୋଇଛି । ସୁନ୍ଦରଗଡ଼ ପରି ଅନ୍ୟ ୩ଟି ଜିଲ୍ଲାରେ ମଧ୍ୟ ସମାନ ସ୍ଥିତି ଉପୁଜିଛି ।
