ରାଜକୋଟ ୩୦/୦୮ : ପତ୍ନୀଙ୍କ ନିର୍ଯ୍ୟାତନାରେ ପୀଡିତ ସ୍ୱାମୀ ଅଧିକ ଦିନ ପାଇଁ ଜେଲ ଯିବାକୁ ଚାହୁଁଥିଲେ। ସେଥିପାଇଁ ସେ ଥାନାରେ ନିଆଁ ଲଗାଇଦେଲେ ଯେପରି ପତ୍ନୀଠୁ ତ୍ରାହି ମିଳିବ। ଏହା କୌଣସି କାଳ୍ପନିକ କାହାଣୀ ନୁହେଁ, ବରଂ ଗୁଜରାଟ ରାଜକୋଟରେ ଘଟିଥିବା ଏକା ସତ ଘଟଣା। ପୋଲିସ ସାର୍ବଜନୀନ ସମ୍ପତ୍ତିକୁ କ୍ଷତି ପହଞ୍ଚାଇଥିବା ଯୋଗୁଁ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି। ବ୍ୟକ୍ତି ଜଣକ ରବିବାର ଦିନ ରାଜକୋଟ ଜାମନଗର ରୋଡ଼ରେ ସ୍ଥିତ ବଜରଙ୍ଗବାଡ଼ି ପୋଲିସ ଆଉଟପୋଷ୍ଟରେ ନିଆଁ ଲଗାଇ ଦେଇଥିଲେ। ନିଆଁ ଲଗାଇବା ପରେ ସେ ଥାନା ବାହାରେ ଛିଡା ହୋଇଥିଲେ।
ଗାନ୍ଧୀଗ୍ରାମ ଥାନା ଇନ୍ସପେକ୍ଟର ଖୁମାନ ସିଂହ କହିଛନ୍ତି, ବଜରଙ୍ଗବାଡ଼ି ପୋଲିସ ପୋଷ୍ଟରେ ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ନାଁ ଦେବ ଚାବଡା। ଆର୍ଥିକ ସମସ୍ୟା ଓ ଘରୋଇ ମାମଲାକୁ ନେଇ ତାଙ୍କ ପତ୍ନୀ ଗତ କିଛି ଦିନ ହେଲା ତାଙ୍କ ସହ ଲଗାତାର ଝଗଡା କରୁଥିଲେ ଓ ନାନା କଥା ଶୁଣାଉଥିଲେ। ଗିରଫ ପରେ ପୋଲିସ ପଚରାଉଚୁରା ପରେ ଦେବ କହିଛନ୍ତି ଯେ ଏହିସବୁ ସମସ୍ୟା ଯୋଗୁଁ ସେ ପୋଲିସ ଥାନାରେ ନିଆଁ ଲଗାଇଥିଲେ। ସେ କହିଛନ୍ତି ଯେ ପତ୍ନୀ ଯୋଗୁଁ ବହୁତ ବିରକ୍ତ ହୋଇଯାଇଛନ୍ତି ଓ ଅଧିକ ଦିନ ପାଇଁ ଜେଲ ଯିବାକୁ ଚାହୁଁଥିଲେ, ସେଥିପାଇଁ ଥାନାରେ ନିଆଁ ଲଗାଇଦେଲେ।
ମାମଲାରେ ଗାନ୍ଧୀଗ୍ରାମ ପୋଲିସ ଦେବ ଚାବଡା ବିରୋଧରେ ସରକାରୀ ସମ୍ପତ୍ତି ନଷ୍ଟ କରିବା ଅଭିଯୋଗରେ ଆଇପିସି ଧାରା ୪୩୬ ଅନୁସାରେ ଗିରଫ କରିଛି। ଆଇପିସି ଧାରା ୪୩୬ ଅନୁସାରେ ବ୍ୟକ୍ତିକୁ ଦୁଇ ବର୍ଷ ଜେଲ କିମ୍ବା ଜରିମାନା ବ୍ୟବସ୍ଥା ରହିଛି। ତେବେ ଅଭିଯୁକ୍ତ ଜଣକ କେତେ ଦିନ ପାଇଁ ଜେଲରେ ସଜ୍ଜା କାଟୁଛନ୍ତି ତାହା ଦେଖିବା ବାକି ରହିଲା।
