ଆଜି ୫ଟିଯାକ ରାଫେଲ ଯୁଦ୍ଧ ବିମାନକୁ ଆନୁଷ୍ଠାନିକ ଭାବେ ଭାରତୀୟ ବାୟୁସେନାରେ ସାମିଲ କରାଯିବ। ରାଫେଲ ଯୁଦ୍ଧ ବିମାନ ସାମିଲ ଅବସରରେ ହରିଆଣାର ଆମ୍ବାଲା ଏୟାରବେସ୍ରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ସକାଳ ୧୦ ଟାରେ ଆୟାଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଫ୍ରାନ୍ସ ପ୍ରତିରକ୍ଷାମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲି ଯୋଗ ଦେବେ । ଭାରତର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଅମ୍ବାଲା ବିମାନଘାଟୀଠାରେ ୫ଟିଯାକ ରାଫେଲ ଯୁଦ୍ଧ ବିମାନକୁ ଭାରତୀୟ ବାୟୁ ସେନାକୁ ହସ୍ତାନ୍ତର କରିବେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଏବଂ ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀଙ୍କ ଯୋଗଦାନ ଯୋଗୁଁ ଅମ୍ବାଲା ବାୟୁସେନା ଷ୍ଟେସନ ତଥା ଏହାର ଆଖପାଖ ଅଞ୍ଚଳର ସୁରକ୍ଷା ବୃଦ୍ଧି କରାଯାଇଛି। ଗୁପ୍ତଚର ଏଜେନ୍ସିଗୁଡ଼ିକ ପ୍ରତି ସେକେଣ୍ଡରେ ଖବର ସଂଗ୍ରହ କରୁଛନ୍ତି ।
ସୂଚନାଯୋଗ୍ୟ ଗତ ମାସ ୨୯ ତାରିଖରେ ୫ଟି ଯାକ ରାଫେଲ ଯୁଦ୍ଧବିମାନ ଭାରତରେ ଆସି ପହଞ୍ଚିଥିଲା। ସେଗୁଡ଼ିକୁ ଆନୁଷ୍ଠାନିକ ଭାବେ ବିମାନବାହିନୀରେ ସାମିଲ କରାଯିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ। ଭାରତ ପ୍ରଥମ ଦଫାରେ ଫ୍ରାନ୍ସରୁ ୫ଟି ରାଫେଲ ଯୁଦ୍ଧବିମାନ ପାଇଛି। ସେଗୁଡ଼ିକ ମଧ୍ୟରେ ୩ଟି ସିଙ୍ଗିଲ ସିଟେଡ୍ ବିମାନ ଥିବାବେଳେ ୨ଟି ଡବଲ ସିଟେଡ୍ ବିମାନ ରହିଛି।
ରାଫେଲ୍ ବିମାନର ୧୦ ବିଶେଷତ୍ବ
୧ – ଏହା ୩୬ ହଜାର ଫୁଟରୁ ୫୦ ହଜାର ଫୁଟ ପର୍ୟ୍ୟନ୍ତ ଉଚ୍ଚତାରେ ଉଡ଼ିବାରେ ସକ୍ଷମ । କେବଳ ଏତିକି ନୁହେଁ, ଏହା ୧ ମିନିଟରେ ୫୦ ହଜାର ଫୁଟରେ ପହଞ୍ଚିବ ।
୨- ଏଥିରେ ଥରେ ଇନ୍ଧନ ଭର୍ତ୍ତି ହେଲେ ୩, ୭୦୦ କିମି ପର୍ୟ୍ୟନ୍ତ ଉଡିପାରିବ ।
୩- ଏହାର ଘଣ୍ଟା ପ୍ରତି ଗତି ୧୯୨୦ କିଲୋମିଟର ।
୪ – ଏହା ୧,୩୧୨ ଫୁଟର ଅତି କ୍ଷୁଦ୍ର ରନୱେରୁ ଉଡ଼ିବାରେ ସକ୍ଷମ ।
୫- ଏହାର ୧୫, ୫୯୦ ଗ୍ୟାଲନ୍ ଇନ୍ଧନ ବହନ କରିବାର କ୍ଷମତା ଅଛି ।
୬– ରାଫେଲ ଆକାଶ ମାର୍ଗରେ ମଧ୍ୟ ମାରାତ୍ମକ କ୍ଷେପଣାସ୍ତ୍ର ପରିବହନ ଓ ନିକ୍ଷେପ କରିବାରେ ସକ୍ଷମ ।
୭- ରାଫେଲ୍ ଏକ ସମୟରେ ୨, ୦୦୦ ସାମୁଦ୍ରିକ ମାଇଲ୍ ପର୍ୟ୍ୟନ୍ତ ଉଡିପାରେ ।
୮- ରାଫେଲ୍ ଆମେରିକୀୟ ୠ-୧୬ ଠାରୁ ୦.୮୨ ଫୁଟ ଉଚ୍ଚ ଅଟେ ।
୯-ରାଫେଲ୍ ଆମେରିକୀୟ ୠ-୧୬ ଠାରୁ ୦.୭୯ ଫୁଟ ଲମ୍ବା ଅଟେ ।
୧୦- ଏହାର ଡେଣାର ଲମ୍ବ ୧୦.୯୦ ମିଟର, ଜେଟର ଉଚ୍ଚତା ୫.୩୦ ମିଟର ଏବଂ ଲମ୍ବ ୧୫ .୩୦ ମିଟର ।
ଏହି ଅବସରରେ ଯୁଦ୍ଧବିମାନର ଆନୁଷ୍ଠାନିକ ପ୍ରବେଶ ଉତ୍ସବରେ ଯୋଗଦେବା ନିମନ୍ତେ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲି ଭାରତ ଗସ୍ତରେ ଆସୁଛନ୍ତି। ସେ ଗୁରୁବାର ଏଠାରେ ପହଞ୍ଚିବେ। ଏହି ଅବସରରେ ସେ ଭାରତ-ପ୍ରଶାନ୍ତ ମହାସାଗରୀୟ ଦ୍ବିପାକ୍ଷିକ ସହଯୋଗ ଓ ମିଳିତ ସମରାଭ୍ୟାସ ଇତ୍ୟାଦି ସମ୍ପର୍କରେ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ସେ ତାଙ୍କର ଭାରତୀୟ ପ୍ରତିପକ୍ଷ ରାଜନାଥ ସିଂହ ଏବଂ ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲ୍ଙ୍କୁ ମଧ୍ୟ ସାକ୍ଷାତ୍ କରିବେ। ବୁଧବାର ନୂଆଦିଲ୍ଲୀସ୍ଥିତ ଫ୍ରାନ୍ସ ଦୂତାବାସ ପକ୍ଷରୁ ଜାରି ଏକ ବିବୃତିରେ ଏହି ସୂଚନା ଦିଆଯାଇଛି।
