ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାକୁ କୁହାଯାଏ ନଦୀନାଳର ଜିଲ୍ଲା । ମହାନଦୀ, ଦେବୀ, ଚିତ୍ରୋତ୍ପଳା, ପାଇକା ଭଳି ପ୍ରମୁଖ ନଦୀ ସମେତ ୧୫ ରୁ ଅଧିକ ନଦୀ, ତାଳଦଣ୍ଡା କେନାଲ ଓ ମାଛଗାଁ କେନାଲ ଭଳି ପ୍ରମୁଖ କେନାଲ ଏହି ଜିଲ୍ଲାରେ ପ୍ରବାହିତ। କିନ୍ତୁ, ଏବେ ୬ଟି ନଦୀ ମୃତବତ୍ ସ୍ଥିତିରେ ରହିଥିବା ବେଳେ ୪ ନଦୀ ମୃତ୍ୟୁ ଅପେକ୍ଷାରେ ରହିଛନ୍ତି । ଏହାର ସିଧାସଳଖ ପ୍ରଭାବ ପଡ଼ିଛି ପରିବେଶ ଓ ସାଧାରଣ ଜନଜୀବନରେ । ଜିଲ୍ଲାରେ ପ୍ରବାହିତ ହଂସୁଆ, ଅଳକା, ଧନୁଆ, ଗୋବରୀ ଓ ବୃଦ୍ଧା ନଦୀ ଏବେ ମୃତ ପ୍ରାୟ । ଏହି ନଦୀ ଗୁଡ଼ିକ ପଠା ଉପରେ ଜବରଦଖଲ କରି ଲୋକ ଗୃହନିର୍ମାଣ କଲେଣି । ଏହି ନଦୀର ସ୍ରୋତ ହଜିଗଲାଣି । ଶଯ୍ୟା ପୋତି ହୋଇଗଲାଣି । ଜଳଧାରଣ କ୍ଷମତା ମଧ୍ୟ ହ୍ରାସ ପାଇ ଚାଲିଛି । ପୁନରୁଦ୍ଧାର ହୋଇ ପାରୁ ନଥିବାରୁ କେତେକ ଦଳଭର୍ତ୍ତି ଶଯ୍ୟାରେ ପରିଣତ ହୋଇଛି । ଏ ନେଇ ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି ।
୨୦୧୮ରେ ସାମାଜିକ କର୍ମୀ ରତ୍ନାକର ନାୟକ ବିରିଡ଼ି ବ୍ଲକ୍ ବୀରବରପାଟଣାରୁ ଏରସମା ପର୍ଯ୍ୟନ୍ତ ଅଳକା ନଦୀରୁ ଜବରଦଖଲ ହଟାଇବା ପାଇଁ ଦାବି କରିଥିଲେ । ପରେ ସେଣ୍ଟ୍ରାଲ ଇନ୍ଲାଣ୍ତ ଫିସରିଜ୍ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ର ଛଅ ଜଣ ବରିଷ୍ଠ ଗବେଷକ ଜଗତସିଂହପୁର ଜିଲ୍ଲାକୁ ଆସିଥିଲେ । ବରିଷ୍ଠ ଗବେଷକ ଏସ୍.କେ ଦାସଙ୍କ ନେତୃତ୍ବରେ ଆସିଥିବା ଏହି ଟିମ୍ ବିରିଡ଼ି ବ୍ଲକ୍ର ବିଭିନ୍ନ ଅଞ୍ଚଳ ବୁଲିବା ସହ ମୃତ ଅଳକା ନଦୀର ନବୀକରଣ ନିମନ୍ତେ ଯୋଜନା ପ୍ରସ୍ତୁତ କରିଥିଲେ । ସେମାନେ ଏହାର ରିପୋର୍ଟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦେଇଥିଲେ । କେବଳ ସେତିକି ନୁହେଁ; ୨୦୧୯ରେ ମଧ୍ୟ ମତ୍ସ୍ୟ ବିଭାଗ ମୃତ ନଦୀଗୁଡ଼ିକ ନବୀକରଣ ପାଇଁ ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତ କରିବା ପାଇଁ ଯୋଜନା କରିଥିଲା । ମାତ୍ର ତାହା ଆଜି ପର୍ଯ୍ୟନ୍ତ ପ୍ରସ୍ତୁତ ହେଇପାରିଲା ନାହିଁ କି କେନ୍ଦ୍ର ସରକାରଙ୍କ ଅନୁମୋଦନ ପାଇଁ ଯାଇପାରିଲା ନାହିଁ। ଫଳରେ, ଏହି ମୃତ ନଦୀ ଗୁଡ଼ିକ ନିମନ୍ତେ କିଛି ବି ଯୋଜନା କରାଯାଇପାରି ନାହିଁ ।
ଗତବର୍ଷ ଅଳକା ନଦୀର ନବୀକରଣ ପାଇଁ ୩୮ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ବ୍ୟୟ ଅଟକଳ କରାଯାଇଥିବାବେଳେ ପ୍ରାଥମିକ ସ୍ତରରେ ୧୩ କୋଟି ଟଙ୍କା ଅନୁଦାନ ଆସିଥିବା କୁହାଯାଇଥିଲା । ଓଡ଼ିଶୋ–ଅଢ଼ଙ୍ଗ ନିକଟରେ ନଦୀ ଅବବାହିକାର ନବୀକରଣ ପାଇଁ ୬.୬୦ କୋଟି ଓ ଅଢ଼ଙ୍ଗ–ଅସିଲୋ ପର୍ଯ୍ୟନ୍ତ ୬.୪୨ କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ଯୋଜନା କରାଯାଇଛି । ମାତ୍ର ବିଭିନ୍ନ କାରଣରୁ ଏହି ନବୀକରଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇ ପାରି ନାହିଁ। ମହାନଦୀ, ଦେବୀ, ଚିତ୍ରୋତ୍ପଳା ଓ ପାଇକା ଜଗତସିଂହପୁର ଜିଲ୍ଲାବାସୀଙ୍କ ‘ଜୀବନରେଖା’ ବୋଲି କୁହାଯାଏ । କେବଳ ବର୍ଷା ଋତୁରେ ଦୁଇ–ତିନି ମାସ ଏଥିରେ ପାଣି ରୁହେ । ମାତ୍ର ଗ୍ରୀଷ୍ମ ଓ ଶୀତ ଋତୁରେ ଏହି ନଦୀଗୁଡ଼ିକର କ୍ରମାଗତ ଭାବେ ଜଳସ୍ତର ହ୍ରାସ ପାଇ ଚାଲିଛି । ଏଣୁ ସ୍ଥାନୀୟ ଲୋକ, କୃଷକ ଓ ମତ୍ସ୍ୟଜୀବୀଙ୍କ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ୁଛି । ଜଳସେଚନ ପାଇଁ କୃଷକ ଓ ମତ୍ସ୍ୟଜୀବୀମାନେ ଏବେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି । ଗୃହପାଳିତ ପଶୁ ମଧ୍ୟ ପାଣି ଟୋପେ ପାଇଁ ଡହଳ ବିକଳ ହେଉଛନ୍ତି ।
ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରାଇ ମଧ୍ୟ ମୃତ ନଦୀ ଗୁଡ଼ିକୁ ଜିଲ୍ଲାରେ ପ୍ରବାହିତ ନଦୀଗୁଡ଼ିକୁ ଯୋଡ଼ିବା ପାଇଁ ପ୍ରସ୍ତାବ ଦେଇଥିଲେ । ଏହା ଦ୍ବାରା ମୃତ ନଦୀରେ ଜଳ ସଂରକ୍ଷିତ ରଖାଯାଇ ଚାଷ, ମାଛ ଧରା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ କରାଯାଇ ପାରିବ ବୋଲି ଶ୍ରୀ ତରାଇ କହିଥିଲେ । ରାଜ୍ୟ ସରକାର ଏ ଦିଗରେ କୌଣସି ପଦକ୍ଷେପ ନେଇନାହାନ୍ତି । ଜିଲ୍ଲା ମତ୍ସ୍ୟ ବିଭାଗ ଏ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଏକ ଚିଠି ଲେଖି ଏମ୍ଜିଏନ୍ଆରଇଜିଏସ୍ ଯୋଜନାରେ ନଦୀ ଅବବାହିକାକୁ ଖୋଳିବା ପାଇଁ ଏକ ପ୍ରସ୍ତାବ ରଖିଥିଲେ । ଏତେ ଅଭିଯୋଗ ଓ ଦାବି ପରେ ବି ରାଜ୍ୟ ସରକାର ଚୁପ୍ ରହିବା ସମସ୍ୟାକୁ ଗୁରୁତର କରିଛି ।
