ଚୌଦ୍ୱାର : ଚୌଦ୍ୱାର ପୌରପାଳିକା ୧୭ ନମ୍ବର ୱାର୍ଡ଼ ନୂଆସାହିରେ ମାଇକ୍ରୋ କମ୍ପୋଷ୍ଟିଂ କେନ୍ଦ୍ର ନିକଟରେ ଏଆରସି ପାଚେରୀ ପାଖକୁ ଲାଗିଥିବା ଏକ ସରକାରୀ ଜମି ଦଖଲ କରିବାକୁ ନେଇ ସେହି ସାହିର ଦୁଇ ଗୋଷ୍ଠି ମଧ୍ୟରେ ଝଗଡ଼ା, ଗଣ୍ଡଗୋଳ ଓ ମାରପିଟ ଭଳି ଅଭାବନୀୟ ଘଟଣା ଘଟିଛି । ମାଡ଼ପିଟରେ ଉଭୟ ପକ୍ଷରୁ ୨ ଜଣ ଆହତ ହୋଇଥିବା ଜଣା ପଡ଼ିଛି । ଖବରପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ୨ ଜଣଙ୍କୁ ଥାନାକୁ ଆଣି ଅଟକ ରଖିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି । ପ୍ରକାଶ ଯେ, ନୂଆ ସାହିର ଜଣେ ବ୍ୟକ୍ତି ସେହି ବିବାଦୀୟ ଜମିକୁ ଜବର ଦଖଲ କରି ଦୀର୍ଘଦିନ ଧରି ନିଜ ଅକ୍ତିଆରରେ ରଖିବା ସହିତ ଅନ୍ୟ ଜଣକୁ ବିକ୍ରି କରି ଦେଇଥିଲେ। ଜମି କିଣିଥିବା ବ୍ୟକ୍ତି ଜଣକ ଏହା ଉପରେ ଘର ତିଆରି କରି ରହୁଥିଲେ । ହେଲେ ନୂଆ ସାହିର ଅନ୍ୟଜଣେ ବ୍ୟକ୍ତି ଗୁରୁବାର ଘଟଣାସ୍ଥଳକୁ ଆସି ଏହି ବିବାଦୀୟ ଜମିରୁ କିଛି ଅଂଶ ପ୍ରଥମ ପ୍ରଥମ ବ୍ୟକ୍ତି ଠାରୁ କିଣିଥିବା କହି ଜମି ଦଖଲ କରିବାକୁ ଚେଷ୍ଟା କରିଥିଲେ । ଫଳରେ ଘର କରିଥିବା ବ୍ୟକ୍ତିଙ୍କ ପରିବାର ଓ ଦଖଲ ପାଇଁ ଯାଇଥିବା ବ୍ୟକ୍ତିଙ୍କ ପରିବାର ମଧ୍ୟରେ ଝଗଡ଼ା ଓ ମାରପିଟ ହୋଇଥିଲା ।
