ଚାରା ରୋପଣରେ ବଡ଼ଧରଣର ଦୁର୍ନୀତି

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାରେ ଜାତୀୟ ରାଜପଥ ନଂ.୧୪୩ ର ବୀରମିତ୍ରପୁରରୁ ବାରକୋଟ୍‌ ଭିତର ରାସ୍ତାର ଦୁଇପାର୍ଶ୍ବରେ ‌ହୋଇଥିବା ଚାରାରୋପଣରେ ଏକ ବଡ଼ଧରଣର ଦୁର୍ନୀତି ହୋଇଛି ! ୩ ଲକ୍ଷ ୨୪ ହଜାର ଚାରା ଲାଗିଥିବା କୁହାଯାଉଥିବାବେଳେ ୨ ଲକ୍ଷ ୫୮ ହଜାର ଚାରାର କୌଣସି ହିସାବ ନାହିଁ । ଫଳରେ, ଏବାବଦରେ ଆସିଥିବା ଅର୍ଥ ମଧ୍ୟରୁ ୨୫.୫୭ କୋଟି ଟଙ୍କା କୁଆଡ଼େ ଗଲା, ତାହାକୁ ନେଇ ପ୍ରଶ୍ନ ଉଠିଛି । ସରକାରୀ ତଥ୍ୟ ଅନୁସାରେ, ଉକ୍ତ ସ୍ଥାନରେ ଓଡ଼ିଶା ବନ ଉନ୍ନୟନ ନିଗମ (ଓଏଫ୍‌ଡିସି), ରାଉରକେଲାଙ୍କ ଦ୍ବାରା ୨୦୧୯-୨୦, ୨୦୨୦-୨୧ ଓ ୨୦୨୧-୨୨ ତିନି ବର୍ଷରେ ଲଗାଯାଇଛି ମୋଟ୍‌ ୩ ଲକ୍ଷ ୨୪ ହଜାର ୩୫୦ ଚାରା । ସେଥିପାଇଁ ଖର୍ଚ୍ଚ ହୋଇଛି ମୋଟ୍‌ ୩୨ କୋଟି ୭ ଲକ୍ଷ ୯୮ ହଜାର ୩୦ ଟଙ୍କା । ଅର୍ଥାତ୍‌ ଗୋଟିଏ ଚାରା ଲଗାଇବା ଓ ରକ୍ଷଣାବେକ୍ଷଣ ପାଇଁ ଓଡ଼ିଶା ବନ ଉନ୍ନୟନ ନିଗମ (ଓଏଫ୍‌ଡିସି) ରାଉରକେଲା ଖର୍ଚ୍ଚ କରିଛନ୍ତି ୯୯୦ ଟଙ୍କା । ବୀରମିତ୍ରପୁର-ବାରକୋଟ ୧୨୯ କି.ମି. ରାସ୍ତାର ଦୁଇ ପାର୍ଶ୍ବ ଏସବୁ ଚାରା ଲଗାଯାଇଥିବା ବିଭାଗ ତଥ୍ୟ ଦେଉଛନ୍ତି । ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଅଲଗା । ଏହି ରାସ୍ତାରେ ଥିବା ଅନେକ ସ୍ଥାନରେ ଥିବା ଛୋଟବଡ଼ ଗାଁ, ସହର ଓ ବଜାରରେ ଚାରା ଲଗା ଯାଇନାହିଁ । ଏହା ବାହାରେ ଅନେକ ସ୍ଥାନରେ କିଲୋମିଟର କିଲୋମିଟର ପର୍ଯ୍ୟନ୍ତ ଚାରାରୋପଣର ଚିହ୍ନବର୍ଣ୍ଣ ନାହିଁ। ଦିଶୁନି । ଯେଉଁଠି ବି ଚାରାରୋପଣ କରା ଯାଇଥିବା ଜଣା ପଡୁଛି, ସେ ଚାରା ଭିତରୁ ଅର୍ଦ୍ଧାଧିକ ମରିଗଲାଣି । ରାଉରକେଲା ସହର ପାଖର ଉଦାହରଣ ଦେଖିଲେ, ବେଦବ୍ୟାସରୁ ଯମୁନାନାକି ପ୍ରାୟ ୫ କି.ମି., ଜମୁନାନାକିରୁ କୁଆରମୁଣ୍ଡା ଲାସେ ପ୍ରାୟ ୯ କି.ମି ଓ ଚାର୍ଡିହରିହରପୁରରୁ କୁମଝରିଆରେ ପ୍ରାୟ ୪ କି.ମିରୁ ଅଧିକ ଏନ୍‌ଏଚ୍‌ ପାର୍ଶ୍ବରେ ଗୋଟିଏ ବି ଚାରା ଲାଗିନି । ସେମିତି ଲାଠିକଟାରୁ ଜଲଦା ପ୍ରାୟ ୨ କି.ମି., ତରକେରାରୁ ଗାନ୍ଧି କଲେଜ ଓ ତରକେରାରୁ ଚାନ୍ଦିପୋଷ ପର୍ଯ୍ୟନ୍ତ ଏନ୍‌ଏଚ୍‌ ପାର୍ଶ୍ବରେ ସେହି ସମାନସ୍ଥିତି ଦେଖିବାକୁ ମିଳୁଛି । ବୀରମିତ୍ରପୁରରୁ ବାରକୋଟ ପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ମଧ୍ୟ ସେହି ସମାନ ଚିତ୍ର । ଆହୁରି ଆଶ୍ଚର୍ଯ୍ୟ କଥା ହେଉଚି, କେଉଁ ଅଞ୍ଚଳରେ କେତେ ଚାରାରୋପଣ କରାଯାଇଛି ବିଭାଗ ପାଖରେ ସୂଚନା ନାହିଁ । ଗୋଟିଏ ପଟେ ୩ ବର୍ଷରେ ମୋଟ୍‌ ୩ ଲକ୍ଷ ୨୪ ହଜାର ୩୫୦ ଚାରା ଲଗାଯାଇଥିବା ବିଭାଗ ପକ୍ଷରୁ ତଥ୍ୟ ଦିଆଯାଉଛି, ଅନ୍ୟପଟେ ୨୦୧୯-୨୦ ରେ ୨୩୩୦, ୨୦୧୯-୨୦ ରେ ୩୬୭୦, ୨୦୨୦-୨୧ ଓ ୨୦୨୧-୨୨ ରେ ଯଥାକ୍ରମେ ୩୦ ହଜାର ଲେଖାଏଁ ଏମିତି ମୋଟ୍‌ ୬୬ ହଜାର ଚାରା ଲାଗିଛି ବୋଲି କାଗଜପତ୍ରରେ ଦର୍ଶାଯାଉଛି । ଅବଶିଷ୍ଟ ୨ ଲକ୍ଷ ୫୮ ହଜାର ୩୫୦ ଚାରା କିଛି ହିସାବ ନାହିଁ । ଅର୍ଥାତ୍‌ ଏସବୁ ଚାରା କେଉଁଠି ଲାଗିଛି ବିଭାଗୀୟ ଅଧିକାରୀଙ୍କ ପାଖରେ ସୂଚନା ନାହିଁ । ଅର୍ଥାତ୍‌ ହିସାବ କଲେ, ସେହି ୨ ଲକ୍ଷ ୫୮ ହଜାର ୩୫୦ ଚାରା ଲଗାଇବା ନାଁରେ ଖର୍ଚ୍ଚ ହୋଇଥିବା ୨୫ କୋଟି, ୫୭ ଲକ୍ଷ ୬୬ ହଜାର ୫୦ ୦ ଟଙ୍କାର ବ୍ୟୟ ବାବଦରେ ସୂଚନା ନାହିଁ ବା ତାହାକୁ ବିଭାଗ ଗୋପନ ରଖିବାକୁ ଚେଷ୍ଟା କରୁଛି । ସେମିତି ନିଗମ କୌଣସି ଠିକା ସଂସ୍ଥା କିମ୍ବା ଏଜେନ୍ସି ଜରିଆରେ ନୁହେଁ, ଏହି ଲକ୍ଷ ଲକ୍ଷ ଚାରା ନିଜ କର୍ମଚାରୀଙ୍କ ଦ୍ବାରା ଲଗାଯାଇଥିବା ସଫେଇ ଦିଆଯାଇଛି । ତେଣୁ ଚାରାରୋପଣରେ ଏକ ବଡ଼ଧରଣର ଦୁର୍ନୀତିକୁ ଲୁଚାଇବାକୁ ନିଗମ କର୍ତ୍ତୃପକ୍ଷ ଏଭଳି ବାଟ ଆପଣାଇଥିବା ସନ୍ଦେହ ସୃଷ୍ଟି ହୋଇଛି । କେବଳ ଏତିକି ନୁହେଁ, ନିଗମ ଯେଉଁମାନଙ୍କ ଦ୍ବାରା ଲକ୍ଷ ଲକ୍ଷ ଚାରା ଲଗାଇଛନ୍ତି ବୋଲି କୁହାଯାଉଛି, ସେମାନଙ୍କ ଆକାଉଣ୍ଟକୁ ଅନ୍‌ଲାଇନ୍‌ରେ ପେମେଣ୍ଟ କରିବା ସରକାରୀ ନିୟମ ରହିଛି । ନିଗମ କିନ୍ତୁ ଏହି ନିୟମକୁ ଆଦୌ ପାଳନ କରିନାହିଁ । ବରଂ ସିଧାସଳଖ ସେମାନଙ୍କୁ କ୍ୟାସ୍‌ ଆକାରରେ ଦିଆଯାଇଥିବା କୁହାଯାଉଛି । ଏହି ଦୁର୍ନୀତିର ଚେର ରାଉରକେଲାରୁ ଭୁବନେଶ୍ବର ପର୍ଯ୍ୟନ୍ତ ଲମ୍ବିଥିବା କୁହାଯାଉଛି । ଭିଜିଲାନ୍ସ ତଦନ୍ତ କରାଗଲେ ଓଡ଼ିଶା ବନ ଉନ୍ନୟନ ନିଗମ, ରାଉରକେଲାରେ ଚାଲିଥିବା ଏକ ବଡ଼ଧରଣର ଦୁର୍ନୀତିର ପର୍ଦ୍ଦାଫାସ ହୋଇପାରନ୍ତା ।

Leave a Reply

Your email address will not be published. Required fields are marked *