ଜଣେ ମୃତ, ୩ ଆହତ

ଦାନଗଦି : ଫୁଟବଲ ଅଭ୍ୟାସ ଖେଳ ଚାଲିଥିବା ବେଳେ ହଠାତ୍ ବଜ୍ରପାତ ଘଟି ଜଣେ ଖେଳାଳିଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ୩ ଜଣ ସାଥୀ ଖେଳାଳି ଆହତ ହୋଇଛନ୍ତି l ଆହତ ମାନେ କଳିଙ୍ଗନଗର ଶିଳ୍ପାଞ୍ଚଳର ଟାଟା ମେଡିକା ଡ଼ାକ୍ତରଖାନାରେ ଚିକିତ୍ସାଧିନ ରହିଛନ୍ତି।ଖବର ମୁତାବକ ଟାଟା ଫେଜ-୨ ପରିସରରେ ଥିବା ଖେଳ ପଡିଆରେ ଏହି ଦୁର୍ଘଟଣା ଘଟିଥିଲା । ଝାଡ଼ଖଣ୍ଡ ଅଞ୍ଚଳର କିଛି ଯୁବକ ଟାଟା ଦକ୍ଷତା ବିକାଶ ତାଲିମ କେନ୍ଦ୍ରରେ ଆପେଣ୍ଡିସାଇଟିସ ଶିକ୍ଷା ନେଉଥିଲେ। ସେମାନଙ୍କ ମଧ୍ୟରୁ କେତେକ ଯୁବକ ପ୍ରଶିକ୍ଷଣ ପରିସରରେ ଥିବା ଖେଳ ପଡିଆରେ ଫୁଟବଲ ଅଭ୍ୟାସ ମ୍ୟାଚ ଖେଳୁଥିବା ବେଳେ ସନ୍ଧ୍ୟା ପ୍ରାୟ ୬ଟା ବେଳେ ପଡିଆ ମଝିରେ ହଠାତ୍ ବଜ୍ରପାତ ଘଟିଥିଲା। ଏଥିରେ ଆଦର୍ଶ ଶର୍ମା ନାମକ ଜଣେ ଖେଳାଳିଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ସାଥୀ ଖେଳାଳି ସାହିଲ ରାମ୍, ପ୍ରଦୀପ କୁମାର ଓ ସୂରଜ କୁମାର ସୋରେନ ବଜ୍ରପାତରେ ଗୁରୁତର ଭାବେ ଆହତ ହୋଇଥିଲେ। ମୃତ ଓ ଆହତ ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ କଳିଙ୍ଗନଗର ଟାଟା ମେଡିକା ହସପିଟାଲକୁ ନିଆଯାଇଥିଲା। ସେଠାରେ ଡ଼ାକ୍ତର ଆଦର୍ଶଙ୍କୁ ମୃତ ଘୋଷଣା କରିଥିଲେ। ରିପୋର୍ଟ ଲେଖା ହେବା ବେଳକୁ ପର୍ଯ୍ୟନ୍ତ ଆହତ ଅନ୍ୟ ୩ ଜଣ ଯୁବକ ସେଠାରେ ଚିକିତ୍ସାଧିନ ରହିଛନ୍ତି। ଖବର ପାଇ ପୁଲିସ ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *