ହରଭଙ୍ଗା : ହରଭଙ୍ଗା ବ୍ଲକ ଆଡେଣିଗଡ ପଂଚାୟତର ମାଧପୁର ଗ୍ରାମରେ ଦୀର୍ଘ ୧୭ ଦିନହେଲା ପାଈପ୍ ଜଳ ଯୋଗାଣ ବନ୍ଦ ଯୋଗୁଁ ଗ୍ରାମର ତିନୋଟି ସାହିର ୭ ଶହ ଲୋକ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଥିବା ଜଣାପଡିଛି । ପ୍ରକାଶ ଯେ ପଂଚାୟତର ୬ ନଂ ଓାର୍ଡ ଅର୍ନ୍ତଗତ ମାଧପୁର କୋଲନୀ ସାହି, ଛକ ସାହି, ମାଧପୁର ସାହି ଭଳି ୩ ଟି ବସ୍ତିକୁ ପାଇପ୍ ଜଳ ଯୋଗାଣ ସୁବିଧା କରାଯାଇଛି । ଗତ ୧୫ ଦିନ ତଳେ ପମ୍ପ ହାଉସ ଇଲେକ୍ଟ୍ରି ମଟରଟି ପୋଡିଯାଇଥିବାରୁ ଜଳ ଯୋଗାଣରେ ବ୍ୟାଘାତ ସୃଷ୍ଟି ହୋଇଛି । ଏ ସର୍ମ୍ପକରେ ଗାଁ ଲୋକେ ବି.ଡି.ଓଙ୍କୁ ଲିଖିତଭାବେ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ମିଲିନଥିବାରୁ ଅସନ୍ତୋଷ ଦାନା ବାନ୍ଧୁଛି । ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ ନହେଲେ ଗାଁ ଲୋକେ ରାଜରାସ୍ତାକୁ ଓହ୍ଲେଇବେ ବୋଲି ଧମକ ଦେଇଛନ୍ତି । ଏ ସର୍ମ୍ପକରେ ବୌଦ୍ଧ ଜଳ ଓ ପରିମଳ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭଞ୍ଜକିଶୋର ମନୋହରୀଙ୍କୁ ପଚାରିବାରୁ ଇଲେକ୍ଟ୍ରି ମଟର ପୋଡିଯାଇଥିବାରୁ ଜଳ ଯୋଗାଣ ହୋଇପାରୁନଥିବା ସ୍ୱୀକାର କରିଛନ୍ତି । ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି । ସେହିପରି ପମ୍ପ ଚାଳକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ହରଭଙ୍ଗା ବ୍ଲକ ପୁରୁଣାକଟକ ବଜାର ଅଂଚଳରେ ଆଠଦିନ ହେଲା ପାଇପ୍ ଜଳ ଯୋଗାଣ ଠପ୍ ହୋଇଯାଇଛି । ଫଳରେ ସ୍ଥାନୀୟ ବଜାରର ୭ ଟି ୱାର୍ଡର ୫ ହଜାର ଲୋକ ପିଇବା ପାଣିରୁ ବଂଚିତ ହୋଇଥିବା ଦେଖିବାକୁ ମିଳିଛି । ତୁରନ୍ତ ଏ ଦିଗରେ ବିକଳ୍ପ ବ୍ୟବସ୍ଥା କରା ନଗଲେ ବଜାରବାସୀ ରାଜରାସ୍ତାକୁ ଓହ୍ଲେଇବା ପାଇଁ ସ୍ଥାନୀୟ ବାସିନ୍ଦା ସତ୍ୟନାରାୟଣ ସାହୁ, ସୁନିଲ କୁମାର ଅଗ୍ରୱାଲା, ଦେବପ୍ରସାଦ ଦିକ୍ଷୀତ, ଘନଶ୍ୟାମ ମହାରଣା, ଶ୍ରୀଧର ବିଶ୍ୱାଳ, ଅଜିତ କୁମାର ଭୋଇ ଚେତାବନୀ ଦେଇଛନ୍ତି ।
