ନୂଆଦିଲ୍ଲୀ : କୋଭିଡ୍-୧୯ ସମୟରେ ବି ବଢ଼ିଛି ବ୍ୟାଙ୍କ ଠକେଇ ଘଟଣା। ଚଳିତ ଆର୍ଥିକବର୍ଷର ପ୍ରଥମ ତିନି ମାସରେ ଏହିଭଳି ଠକେଇ ଯୋଗୁ ଦେଶର ସରକାରୀ ବ୍ୟାଙ୍କଗୁଡିକୁ ଲାଗିଛି ପାଖାପାଖି ୨୦,୦୦୦ କୋଟି ଟଙ୍କାର ଚୂନ। ତେବେ ଏହି ତିନି ମାସରେ ୨,୮୬୭ଟି ବ୍ୟାଙ୍କ ଠକେଇ ମାମଲାର ପର୍ଦାଫାଶ ହୋଇଥିବା ସୂଚନା ଅଧିକାର ଆଇନ (ଆର୍ଟିଆଇ)ରେ ମଗାଯାଇଥିବା ରିପୋର୍ଟରୁ ଜଣାଯାଇଛି।
ଚଳିତ ଆର୍ଥିକବର୍ଷର ପ୍ରଥମ ତ୍ରୈମାସ (ଏପ୍ରିଲ-ଜୁନ୍)ରେ ଦେଶର ୧୨ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ୧୯,୯୬୪ କୋଟି ଟଙ୍କାର ଠକେଇ କରାଯାଇଛି। ତେବେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସ୍ବିଆଇ)ରେ ସବୁଠାରୁ ଅଧିକ ବ୍ୟାଙ୍କ ଠକେଇ ହୋଇଛି। ମୂଲ୍ୟ ଦୃଷ୍ଟିରୁ ଦେଖିଲେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅଫ୍ ଇଣ୍ଡିଆ (ବିଓଆଇ) ଏଭଳି ଠକେଇ ଯୋଗୁ ସର୍ବାଧିକ ପ୍ରଭାବିତ ହୋଇଥିବା ଜଣାଯାଇଛି। ସାମାଜିକ କର୍ମୀ ଚନ୍ଦ୍ରଶେଖର ଗୌଡଙ୍କ ପକ୍ଷରୁ ଆର୍ଟିଆଇ ଜରିଆରେ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ସରକାରୀ ବ୍ୟାଙ୍କରେ ହୋଇଥିବା ଠକେଇ ସମ୍ପର୍କରେ ତଥ୍ୟ ମାଗିଥିଲେ। ଏହି ଅନୁଯାୟୀ, ଚଳିତ ଆର୍ଥିକବର୍ଷର ପ୍ରଥମ ତିନି ମାସରେ ଏସ୍ବିଆଇରେ ସର୍ବାଧିକ ୨,୦୫୦ ଠକେଇ ମାମଲା ପଦାକୁ ଆସିଛି। ଏହି ଠକେଇ ପରିମାଣ ୨,୩୨୫.୮୮ କୋଟି ଟଙ୍କା ହେବ। ସେହିଭଳି ଏହି ସମୟରେ ବିଓଆଇରେ ୫,୧୨୪.୮୭ କୋଟି ଟଙ୍କାର ୪୭ ଠକେଇ ମାମଲା ସାମ୍ନାକୁ ଆସିଛି। ବ୍ୟାଙ୍କ ଠକେଇ କ୍ଷେତ୍ରରେ କାନାରା ବ୍ୟାଙ୍କରେ ୩୩ ମାମଲାରେ ୩୮୮୫.୨୬ କୋଟି ଟଙ୍କା, ବ୍ୟାଙ୍କ ଅଫ୍ ବାରୋଦାରେ (ବିଓବି)ରେ ୬୦ ମାମଲାରେ ୨୮୪୨.୯୪ କୋଟି ଟଙ୍କା, ଇଣ୍ଡିଆନ୍ ବ୍ୟାଙ୍କରେ ୪୫ ମାମଲାରେ ୧୪୬୯.୭୯ କୋଟି ଟଙ୍କା, ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ (ଆଇଓବି) ୩୭ ମାମଲାରେ ୧୨୦୭.୬୫ କୋଟି ଟଙ୍କା ଏବଂ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରରେ ୯ମାମଲାରେ ୧,୧୪୦.୩୭ କୋଟି ଟଙ୍କା। ତେବେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍ବି)ରେ ୨୪୦ ମାମଲାରେ ୨୭୦.୬୫ କୋଟି ଟଙ୍କା ଠକେଇ ଘଟଣା ହୋଇଥିବା ଜଣାଯାଇଛି। ଅନ୍ୟ ବ୍ୟାଙ୍କଗୁଡିକୁ ବିଚାରକୁ ନେଲେ ୟୁକୋ ବ୍ୟାଙ୍କ ୧୩୦ ମାମଲାରେ ୮୩୧.୩୫ କୋଟି ଟଙ୍କା, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ୧୪୯ ମାମଲାରେ ୬୫୫.୮୪ କୋଟି ଟଙ୍କା, ପଞ୍ଜାବ ଆଣ୍ଡ୍ ସିନ୍ଧ୍ ବ୍ୟାଙ୍କରେ ୧୮ ମାମଲାରେ ୧୬୩.୩ କୋଟି ଟଙ୍କା ଏବଂ ୟୁନିଅନ୍ ବ୍ୟାଙ୍କରେ ୪୯ ମାମଲାରେ ୪୬.୫୨ କୋଟି ଟଙ୍କାର ଠକେଇ ହୋଇଛି।
