ସାଢେ ୩ କିମି ଖଟରେ ବୁହାହେଲେ ରୋଗୀ

ରେଙ୍ଗାଲିକେମ୍ପ : ସ୍ଵାଧୀନତା ପ୍ରାପ୍ତିର ଦୀର୍ଘ ବର୍ଷ ପରେ ମଧ୍ୟ ଆଜି ରୋଗୀଙ୍କୁ ଖଟିଆରେ ବୁହାଯାଉଛି ଡାକ୍ତରଖାନାକୁ। ଗାଆଁକୁ ପହଞ୍ଚିପାରୁନି ଆମ୍ବୁଲାନ୍ସ । କଦର୍ଯ୍ୟ ରାସ୍ତା। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅତାବିରା ବ୍ଲକ ଵୁଗୁବୁଗା ପଞ୍ଚାୟତ କଁଟାତଳି ଗାଆଁରେ। ଆଜି ପ୍ରାୟ ସକାଳ ୯ଟାରେ ସାଢେ ତିନି କିଲୋମିଟର ଖଟରେ ବୋହି ଚାରି ଜଣ ଲୋକ ଜଣେ ରୋଗୀ ଭକ୍ତ ଚରଣ ନାୟକଙ୍କୁ ପତ୍ରାପାଲି ଡାକ୍ତରଖାନାକୁ ନେଇଥିଲେ। ସେଠାରେ ତାଙ୍କର ଅବସ୍ଥା ନ ସୁଧୁରିବା ଯୋଗୁ ପୁଣି ଖେଦାପାଳି ଡାକ୍ତରଖାନାକୁ ତାଙ୍କୁ ନିଆଯାଇଥିବା ଜଣାପଡିଛି। ଯଦି ଖାଟିଆରେ ଲୋକେ ତାଙ୍କୁ ବୋହିନେଇ ନଥାନ୍ତେ ହୁଏତ ସେ ଆଉ ବଞ୍ଚି ନଥାନ୍ତେ। ଏମିତି ଘଟଣା ଏହି ଗ୍ରାମବାସୀଙ୍କ ପାଇଁ ନୀତି ଦିନିଆ ହୋଇଯାଇଛି। ଆଜିକୁ ଠିକ୍ ଗୋଟିଏ ବର୍ଷ ତଳେ ଏମିତି ଅଗଷ୍ଟ ୧୪ ତାରିଖରେ ସେନାପତି ଝାଙ୍କରଙ୍କୁ ରାସ୍ତା ଯୋଗୁ ଠିକ ସମୟରେ ଡାକ୍ତରଖାନାକୁ ପହଞ୍ଚାଇ ପକ୍ଷରି ନଥିଲେ ତେଣୁ ତାଙ୍କର ମୃତ୍ୟୁ ହୋଇଥିବା ଆଜି ବି ପରିବାର ତଥା ଗାଆଁ ଲୋକେ ଭୁଲି ନାହାନ୍ତି। ଏଇ ରାସ୍ତା ପାଇଁ ଗ୍ରାମବାସୀ ଅନେକ ଥର ଲିଖିତ ଭାବରେ ସରପଞ୍ଚଙ୍କଠାରୁ ଆରମ୍ଭ କରି ପ୍ରଶାସନ ପର୍ୟ୍ୟନ୍ତ ସମସ୍ତଙ୍କୁ ଅଭିଯୋଗ କରି ଆସୁଛନ୍ତି। କେତେ ଥର ଏଇ ରାସ୍ତାରେ ଧାନ ଗଛ ମଧ୍ୟ ଜଗାଇ ପ୍ରତିବାଦ କରିଛନ୍ତି। ହେଲେ ପ୍ରଶାସନ ଚିର ନିଦ୍ରାରେ। ଆଉ କେତେ ଜୀବନକୁ ଅପେକ୍ଷା କରିଛନ୍ତି ସରକାର ବୋଲି ଗ୍ରାମବାସୀ ତଥା ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରିଛନ୍ତି। ଗ୍ରାମ୍ୟ ବିକାଶ ଯୋଜନାରେ ଗ୍ରାମାଞ୍ଚଳ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର ବୋଲି ଡିଣ୍ଡିମ ବାଜୁଥିବା ବେଳେ ଆଜି ବି ଏଇ ଗ୍ରାମବାସୀ ବିକାଶ ଯୋଜନାର କାହିଁ କେତେ ଦୂରରେ। ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଆମ୍ବୁଲାନ୍ସ ସେବା ମାଗଣାରେ ଦେଉଛନ୍ତି, ହେଲେ ରାସ୍ତା ନଥାଇ ଆମ୍ବୁଲାନ୍ସ ସେବାରେ କିଛି ମୂଲ୍ୟ ନାହିଁ। ଏହା କେବଳ ଆଶ୍ୱାସନା ମାତ୍ର। ତେବେ ଆଉ କେତେ ଦିନ ପରେ ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗହେବ ଏବଂ ଦୃଷ୍ଟି ପଡ଼ିବ ଏଇ ରାସ୍ତା ପ୍ରତି ତାରି ଅପେକ୍ଷାରେ ରହିଛନ୍ତି ଗ୍ରାମବାସୀ।

Leave a Reply

Your email address will not be published. Required fields are marked *