ତେଲକୋଇ ରେଞ୍ଜରେ ଥମୁନି ହାତୀ ଉପଦ୍ରବ

ତେଲକୋଇ : ତେଲକୋଇ ରେଞ୍ଜରେ ଥମୁନି ହାତୀ ଉପଦ୍ରବ । ସଞ୍ଜ ନଇଁଲେ ଚାଷୀଙ୍କୁ ଘାରୁଛି ହାତୀ ଭୟ । ଦଳିଚକଟି ନଷ୍ଟ କରୁଛନ୍ତି ଏକର ଏକର ଧାନ ଫସଲ । ହାତୀ ଘଉଡାଇବାରେ ବନବିଭାଗର ବିଫଳତା ଲାଗି ଅସନ୍ତୋଷ ଜାହିର କରିଛନ୍ତି ଗ୍ରାମବାସୀ । ଖବର ଅନୁଯାୟୀ, ତେଲକୋଇ ଫରେଷ୍ଟ ବିଟର ଖୁଣ୍ଟାପଡା ଗାଁରେ ୨୫ ଟିକିଆ ହାତୀପଲଙ୍କ ଉପଦ୍ରବ ଜାରିରହିଛି । ହାତୀପଲରେ ୪ ଛୁଆ ହାତୀ ଥିବାବେଳେ ଦୁଇ ଦନ୍ତାହାତୀ ରହିଛନ୍ତି । ଗତ ୬ ଦିନ ହେବ ଖୁଣ୍ଟାପଡା, କନ୍ତଲେଇ, ଦୁଲ୍ଲଭପୁର ଆଦି ଗାଁରେ ପଶି ଧାନଫସଲକୁ ଦଳି ଚକଟି ନଷ୍ଟ କରୁଛନ୍ତି ହାତୀପଲ । ଦିନ ବେଳା ଗାଁ ନିକଟ କାଜୁ ବଗିଚାରେ ଡେରା ପକାଉ ଥିବାବେଳେ ସଞ୍ଜ ନଇଁଲେ ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହେଉଛନ୍ତି । ଜମିରେ କଟା ହୋଇଥିବା ଧାନ ବିଡାକୁ ଖାଇବା ସହ ନଷ୍ଟ କରୁଛନ୍ତି । ଧାର କରଜ କରି  କରିଥିବା ଧାନଫସଲକୁ ଏବେ ହାତୀପଲ ଉଜାଡି ଦେଉଥିବାରୁ ଚିନ୍ତାରେ ପଡିଛି ଚାଷୀ । କରଜ କେମିତି ସୁଝିବ, ମୁଣ୍ଡରେ ହାତଦେଇ ବସିଛି ଚାଷୀ । ପ୍ରତିଦିନ ହାତୀପଲଙ୍କ ଉପଦ୍ରବ ଯୋଗୁଁ ଲୋକେ ଭୟଭୀତ ଅବସ୍ଥାରେ ଦିନ କାଟୁଥିବା ବେଳେ ସଂଧ୍ୟା ହେଲେ ବିଦ୍ୟୁତ କାଟ ଯୋଗୁଁ ନାହିଁ ନଥିବା ଅସୁବିଧାର ଭୋଗୁଛନ୍ତି ଲୋକେ । ଅନ୍ୟପଟରେ ହାତୀଙ୍କୁ ଘଉଡ଼ାଇ ବାର ବନବିଭାଗ ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି ଚାଷୀ । ଯଥାଶୀଘ୍ର କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ କ୍ଷତିପୁରଣ ଯୋଗାଇ ଦେବା ସହ ହାତୀପଲଙ୍କୁ ଘଉଡାଇବା ପାଇଁ ଦାବି ହୋଇଛି । ଆଗାମୀ ଦିନରେ ହାତୀପଲଙ୍କୁ  ନ ଘଉଡାଇଲେ ଚାଷୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *