ସ୍ବର୍ଗଦ୍ବାରରେ ଜିଲା ବାହାର ଲୋକଙ୍କ ଶବ ସତ୍କାର ବନ୍ଦ

ପୁରୀ : ପୁରୀ ସ୍ବର୍ଗଦ୍ବାର ଶ୍ମଶାନରେ ସତ୍କାର ହୋଇପାରିବ ନାହିଁ ଜିଲା ବାହାର ଲୋକଙ୍କ ଶବ । କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏଭଳି କଟକଣା ଜାରି କରିଛି ପ୍ରଶାସନ । କରୋନାରେ ସଂକ୍ରମିତ ନହୋଇ ଜିଲାର ମୃତ ବ୍ୟକ୍ତିଙ୍କ ଶବ ସ୍ବର୍ଗଦ୍ବାର ସତ୍କାର ପାଇଁ ସେଠାରେ ଅନୁମତି ଦିଆଯିବ । କରୋନା ସଂକ୍ରମିତଙ୍କ ଶବସତ୍କାର ପାଇଁ ଗତବର୍ଷ ପରି ଶିପସରୁବାଲି ଜଙ୍ଗଲରେ ଅସ୍ଥାୟୀ ଶ୍ମଶାନ କରାଯିବ । ସ୍ବର୍ଗଦ୍ବାର କର୍ମଚାରୀମାନେ ମୃତ ବ୍ୟକ୍ତିଙ୍କ ଆଧାରକାର୍ଡ, ଭୋଟ ପରିଚୟପତ୍ର ଏବଂ ମୃତ ପ୍ରମାଣପତ୍ର ଯାଞ୍ଚ କରିବେ । ଏହି କଟକଣା ଚଳିତମାସ ୧୦ ତାରିଖ ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ଉପଜିଲାପାଳ ତଥା ସ୍ବର୍ଗଦ୍ବାର ଶବସତ୍କାର କମିଟି ସମ୍ପାଦକ ଭବତାରଣ ସାହୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସ୍ବର୍ଗଦ୍ବାରରେ ଶବସତ୍କାର ଦାୟିତ୍ବରେ ଥିବା ପୁରୋହିତ, ସଂସ୍କାରକ, ଶବବାହକ ଓ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରିଛି ପ୍ରଶାସନ । ସ୍ବର୍ଗଦ୍ବାରର କେତେକ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିବା ବେଳେ ଆଉକିଛି ଘରେ ବିଶ୍ରାମ ନେଇଥିବା ଉପଜିଲାପାଳ ସୂଚନା ଦେଇଛନ୍ତି । ତେଣୁ ଶନିବାର ଏ ସମ୍ପର୍କରେ ଆଲୋଚନା ପାଇଁ ଏକ ବୈଠକ ଡକାଯାଇଛି ।

Leave a Reply

Your email address will not be published. Required fields are marked *