ବାଲେଶ୍ବର : ରେଳବାଇର ବିକାଶ ହେଉ, ଆମର କୌଣସି ଅଭିଯୋଗ ନାହିଁ । କିନ୍ତୁ ଦଶନ୍ଧି ଦଶନ୍ଧି ଧରି ରହି ଆସିଥିବା ଶତାଧିକ ପରିବାରକୁ ଆଗ ଥଇଥାନ କରାଯାଉ । ସରକାର ଜାଗା ମିଶନରେ ବାସହରା ଓ ଭୂମିହୀନଙ୍କୁ ଜାଗା ଓ ଘର ଯୋଗାଇ ଦେଉଛନ୍ତି ବୋଲି ଡିଣ୍ଡିମ ପିଟୁଥିବା ବେଳେ ବର୍ଷବର୍ଷ ଧରି ବାଲେଶ୍ବର ରେଳଷ୍ଟେସନ ପାର୍ଶ୍ବରେ ରହୁଥିବା ଗୋଧିବସାବାସୀଙ୍କୁ କାହିଁକି ପ୍ରତାରିତ କରୁଛନ୍ତି ? କୁଆଡ଼େ ଗଲା ଭୂମିହୀନଙ୍କୁ ଜାଗା ଓ ଘର ପ୍ରତିଶ୍ରୁତି ? ବାଲେଶ୍ବର ରେଳ ଷ୍ଟେସନର ନବୀକରଣ ପାଇଁ ଏହି ଅଞ୍ଚଳବାସୀଙ୍କୁ ୧୫ ଦିନ ମଧ୍ୟରେ ଜାଗା ଛାଡ଼ିବାକୁ ଦକ୍ଷିଣ-ପୂର୍ବ ରେଳ ଡିଭିଜନ ପକ୍ଷରୁ ନୋଟିସ୍ ଦିଆଯାଇଥିଲା । ଆଗ ଥଇଥାନ ପରେ ଉଚ୍ଛେଦ ଦାବି ନେଇ ବୁଧବାର ଅପରାହ୍ନରେ ଗୋଧିବସା ଅଞ୍ଚଳର ଶତାଧିକ ମହିଳାପୁରୁଷ ନିଜ ପିଲାଛୁଆଙ୍କୁ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଘଟଣାକ୍ରମରେ ପରିସ୍ଥିତି ଏମିତି ହୋଇଥିଲା ଯେ, ଆନ୍ଦୋଳନସ୍ଥଳରେ ଆଲୋଚନା ବେଳେ ଜଣେ ବ୍ୟକ୍ତି ବିଷ ପିଇଦେଇଥିବା ମଧ୍ୟ ଅଭିଯୋଗ ହୋଇଛି । ଆନ୍ଦୋଳନକାରୀଙ୍କ ଅଭିଯୋଗ ଅନୁଯାୟୀ, ବାଲେଶ୍ବର ରେଳ ଷ୍ଟେସନର ପଶ୍ଚିମପଟେ ଅବସ୍ଥିତ ଗୋଧିବସା ବସ୍ତିରେ ଆଜକୁ ୭୦ ବର୍ଷ ଧରି ଗରିବ ଭୂମିହୀନ ପରିବାର ରହି ଆସୁଛନ୍ତି । ଏହି ପରିବାରଗୁଡ଼ିକର ସଦସ୍ୟମାନଙ୍କ ନାଁ ଭୋଟର ତାଲିକାରେ ରହିଥିବା ଯୋଗୁଁ ସେମାନେ ଭୋଟ ଦେବା ସହ ବିଭିନ୍ନ ପ୍ରକାର ସରକାରୀ ସୁବିଧାସୁଯୋଗ ମଧ୍ୟ ପାଇଆସୁଛନ୍ତି । ଏଥିସହ ଏହି ବସ୍ତି ଭାସ୍କରଗଞ୍ଜ ମୌଜାର ୧୧ ଏକର ଜାଗା ଉପରେ ହୋଇଥିବା ବେଳେ ଏହାର ମାଲିକାନା ରାଜ୍ୟ ସରକାରଙ୍କ ହାତରେ ରହିଥିବା ଯୋଗୁଁ ଏଠାରେ ସ୍କୁଲ, ଅଙ୍ଗନବାଡ଼ି କେନ୍ଦ୍ର, ଡାକ୍ତରଖାନା ଆଦି ସୁବିଧା ରାଜ୍ୟ ସରକାର ଯୋଗାଇ ଦେଇଛନ୍ତି । ହେଲେ ଏହି ଜାଗା ରେଳବାଇର ବୋଲି ଦାବି କରି ବିଭାଗ ପକ୍ଷରୁ ରେଳଷ୍ଟେସନ ବିକାଶ କାର୍ଯ୍ୟ ଆରମ୍ଭ କରିବା ପାଇଁ ଗୋଧିବସାବାସୀଙ୍କୁ ତୁରନ୍ତ ଉକ୍ତ ଜାଗା ଖାଲି କରିବାକୁ ନୋଟିସ ଜାରି କରାଯାଇଛି । ଯେଉଁଥି ପାଇଁ ସେମାନେ ବୁଧବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗକୁ ଆସିଥିବା କହିଛନ୍ତି । ଏହି ମର୍ମରେ ବିକ୍ଷୋଭକାରୀଙ୍କ ମଧ୍ୟରୁ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଥିବା ଜଣାଯାଇଛି । ଉକ୍ତ ପତ୍ରରେ ସେମାନଙ୍କୁ ଆଗ ଥଇଥାନ କରି ପରେ ଉଚ୍ଛେଦ କରିବାକୁ ନିବେଦନ କରାଯାଇଛି । ତେବେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓ ସଦର ବିଧାୟକ ସ୍ୱରୂପ କୁମାର ଦାସ ବିକ୍ଷୋଭସ୍ଥଳକୁ ଆସି ଗୋଧିବସାବାସୀଙ୍କ ସହ ଆଲୋଚନା କରିଥିଲେ । ଅପରପକ୍ଷରେ ଆଲୋଚନା ହେଉଥିବା ସମୟରେ ବିକ୍ଷୋଭକାରୀଙ୍କ ମଧ୍ୟରୁ ଶଙ୍କର୍ଷଣ ଓରଫ୍ ନଣ୍ଡା ରାଉତ ନାମକ ଜଣେ ବ୍ୟକ୍ତି ବିଷପିଇ ବାନ୍ତି କରୁଥିବା ଅଭିଯୋଗ ହୋଇଥିଲା । ବିକ୍ଷୋଭ ସ୍ଥଳରୁ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ନିଆଯାଇ ଚିକିତ୍ସା କରାଯାଉଛି ।
