ମୁକ୍ତା ଯୋଜନା ପାଣ୍ଠିରେ ଠିକାଦାର ପୋଷା !

ରାଉରକେଲା : ମହିଳାଙ୍କ ସଶକ୍ତିକରଣକୁ ପ୍ରାଥମିକତା ଦେଉଛନ୍ତି ରାଜ୍ୟ ସରକାର । ବିଭିନ୍ନ ଯୋଜନାରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ (ଏସ୍‌ଏଚ୍‌ଜି)ଙ୍କୁ ମିଳୁଛି ଲକ୍ଷ ଲକ୍ଷ ଟଙ୍କା । ଅନେକ ସମୟରେ ପାଣ୍ଠିର ସଦ୍‌ବିନିଯୋଗ ହେଉ ନଥିବା ନେଇ ପ୍ରଶ୍ନ ଉଠୁଛି । ଏଭଳି ବ୍ୟତିକ୍ରମ ଉପୁଜିଛି ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି)ରେ । ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ଯୋଜନାରେ ଆର୍‌ଏମ୍‌ସିକୁ ପ୍ରଥମ ପର୍ଯ୍ୟାୟରେ ୧୩ କୋଟି ଟଙ୍କା ମିଳିଛି । ଦ୍ବିତୀୟ ପର୍ଯ୍ୟାୟରେ ୧୨ କୋଟି ଟଙ୍କା ମିଳିବାକୁ ଯାଉଛି । ଏହି ପାଣ୍ଠିରେ ସହରର ଶିଶୁ ଉଦ୍ୟାନ, ଚଲାପଥ ନିର୍ମାଣ, ଓପନ୍‌ ଜିମ୍‌, ପୋଖରୀ ପୁନଃରୁଦ୍ଧାର, ପାର୍କର ବିକାଶ, ଶୌଚାଳୟ, କମ୍ୟୁନିଟି ସେଣ୍ଟର ଆଦି ବିକାଶମୂଳକ କାମ ହେବାକୁ ଯାଉଛି ।

ଏସ୍‌ଏଚ୍‌ଜି ମହିଳାମାନେ ଏହିସବୁ କାମ କରିବାକୁ ସରକାରଙ୍କ ସ୍ପଷ୍ଟ ନିର୍ଦ୍ଦେଶନାମା ରହିଛି । ଆର୍‌ଏମ୍‌ସିରେ ସରକାରଙ୍କ ଏହି ନିର୍ଦ୍ଦେଶନାମାକୁ ଫୁଃ କରି ଦିଆଯାଇଛି । ‘ମୁକ୍ତା’ ଯୋଜନାରେ କାମ ବଣ୍ଟନ ଓ ପରିଚାଳନା ସରକାରଙ୍କ ପକ୍ଷରୁ ତିନି କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି । କିନ୍ତୁ ଏମାନଙ୍କ କାମ ପରିଚାଳନା କରୁଛନ୍ତି ଜଣେ ଠିକା କର୍ମଚାରୀ । କେବଳ ଏତିକି ନୁହେଁ, କେଉଁ ଏସ୍‌ଏଚ୍‌ଜି ଗ୍ରୁପ୍‌କୁ କେଉଁ କାମ ଦିଆଯିବ, ତାହା ଅଫିସର ନୁହେଁ, ଦୁଇଜଣ ରାଜେନୖତିକ ନେତା ନିର୍ଦ୍ଧାରଣ କରୁଛନ୍ତି । ଏହି ଦୁଇ ନେତା ଏସ୍‌ଏଚ୍‌ଜି ଗ୍ରୁପ୍‌କୁ କାମ ବାଣ୍ଟିବା ପରେ କର୍ତ୍ତୃପକ୍ଷଙ୍କ ନିକଟରେ ଫାଇଲ୍‌ ଆପ୍ରୁଫାଲ୍‌ କରୁଛନ୍ତି ସେହି ଠିକା ମହିଳା କର୍ମଚାରୀ । ଦୁଇ ନେତା ଓ ମହିଳା କର୍ମଚାରୀଙ୍କ ଏଭଳି ବେଆଇନ କାମକୁ ଅନେକ ମହିଳା ଏସ୍‌ଏଚ୍‌ଜି ଗ୍ରୁପ୍‌ର ବିରୋଧ କରୁଛନ୍ତି ।

ଏପରିକି କିଛି ଏସ୍‌ଏଚ୍‌ଜି ଗ୍ରୁପ୍‌ ପାଇଥିବା ୱାର୍କ ଅର୍ଡରକୁ ଫେରାଇ ‌ଦେବାକୁ ବାଧ୍ୟ ହୋଇଛନ୍ତି । ତଥାପି କର୍ତ୍ତୃପକ୍ଷ ଏଭଳି ବେଆଇନ କାମକୁ ବନ୍ଦ କରିବାକୁ କୌଣସି ପଦକ୍ଷେପ ନ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସେପଟେ ମୁକ୍ତା ଯୋଜନାର କାର୍ଯ୍ୟରତ କର୍ମଚାରୀ ରାଜନୈତିକ ଚାପରେ ପ୍ରତିବାଦ କରିବାକୁ ସାହସ ଜୁଟାଇ ପାରୁ ନାହାନ୍ତି । ଅନ୍ୟପଟେ ଏସ୍‌ଏଚ୍‌ଜି ଗ୍ରୁପ୍‌ର ଏସବୁ କାମର ଅଭିଜ୍ଞତା ନଥିବାରୁ ସେମାନେ କିଛି ଠିକାସଂସ୍ଥା ସହ ହାତ ମିଳାଇଛନ୍ତି । ଠିକାସଂସ୍ଥା ଏଭଳି କାମ କରିବା ସମ୍ପୂର୍ଣ୍ଣ ବେଆଇନ ଥିବା ସତ୍ବେ ପ୍ରାୟ ଅଧିକାଂଶ କାମ ଏମାନେ କରିବାକୁ ଯାଉଛନ୍ତି । ଆର୍‌ଏମ୍‌ସିରୁ ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୧୫ ଏସ୍‌ଏଚ୍‌ଜି ଗ୍ରୁପକୁ କାମ ବଣ୍ଟନ ସରିଛି । ୱାର୍କ ଅର୍ଡର ବି ମିଳି ସାରିଛି । ଠିକାସଂସ୍ଥାଙ୍କ ଜରିଆରେ କିଛି ଏସ୍‌ଏଚ୍‌ଜି ଗ୍ରୁପ୍‌  କାମ ଆରମ୍ଭ କରି ଦେଇଥିବାବେଳେ ଅନ୍ୟ କିଛି ଖୁବ୍‌ ଶୀଘ୍ର କରିବାକୁ ଯାଉଛନ୍ତି ।

ଯେଉଁ ଏସ୍‌ଏଚ୍‌ଜି ଗ୍ରୁପ୍‌ଗୁଡ଼ିକ କାମ ମିଳିଛି, ସେମାନେ ବାସ୍ତବରେ କରୁଛନ୍ତି କି ନାହିଁ, ତା’ର ସଠିକ୍‌ ତଦନ୍ତ ହେବାର ଆବଶ୍ୟକତା ରହିଛି । ନ ହେଲେ ମୁକ୍ତା ଯୋଜନା ପାଣ୍ଠି ହରିଲୁଟ୍‌ ହେବା ସହ କେବଳ ଠିକାଦାର ପୋଷାରେ ଚାଲିଯିବ, ଏଥିରେ ଦ୍ବିମତ ନାହିଁ । ଉଲ୍ଲେଖଯୋଗ୍ୟ, ମୁକ୍ତା ଯୋଜନାରେ ଏସ୍‌ଏଚ୍‌ଜି ଗ୍ରୁପକୁ ୨ ଲକ୍ଷ ରୁ ଆରମ୍ଭ କରି ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାମ ଦିଆଯାଉଛି । ଲକ୍ଷେ ଟଙ୍କା କାମରେ ଏସ୍‌ଏଚ୍‌ଜି ଗ୍ରୁପ୍‌କୁ ୭.୫%, ଅର୍ଥାତ୍‌ ୭, ୫୦୦ ଟଙ୍କା ପାରିଶ୍ରମିକ ମିଳିବାର ନିୟମ ରହିଛି । ଏମିତି ଭାବେ ୨୦ ଲକ୍ଷ କାମ ପାଉଥିବା ଏସ୍‌ଏଚ୍‌ଜି ଗ୍ରୁପ୍‌କୁ ୧ ଲକ୍ଷ ୫୦ ହଜାର ଟଙ୍କା ମିଳିବ । ଗତବର୍ଷ ମୁକ୍ତା ଯୋଜନାରେ ଆର୍‌ଏମ୍‌ସିକୁ ୧୦ କୋଟି ମିଳିଥିଲା । ଚଳିତ ଥର ଦୁଇଟି ପର୍ଯ୍ୟାୟରେ ୨୫ କୋଟି ଟଙ୍କା ମିଳିବ ।

Leave a Reply

Your email address will not be published. Required fields are marked *