ଧାମରା: ଧାମରା ଅଞ୍ଚଳରେ ଥିବା ସମବାୟ ସମିତିମାନଙ୍କରେ ସାରର ଘୋର ଅଭାବ ପରିଲକ୍ଷିତ ହୋଇଥିବା ବେଳେ ନକଲି ସାର ଚାଷୀମାନଙ୍କୁ ଅସୁବିଧାରେ ପକାଉଛି। ଘଟଣାରୁ ପ୍ରକାଶ ବଇଁଚା ରେ ଥିବା ଫକିର ପଟନାୟକ ଙ୍କ ସାର ଦୋକାନରୁ କରଞ୍ଜମାଳ ଗୁଆଁଶୋଳ ଗ୍ରାମର ବହୁଚାଷୀ ଇଫକୋ କମ୍ପାନୀର ଡିଏପି ଏବଂ ନାଗାର୍ଜୁନ କମ୍ପାନୀର ୟୁରିଆ କିଣି ନେଇଥିଲେ। ଡିଏପି ସାର ପ୍ୟାକେଟ(୫୦କିଗ୍ରା) ଉପରେ ୧୨୦୦ଟଙ୍କା ଏବଂ ନାଗାର୍ଜୁନ ୟୁରିଆ(୪୫କିଗ୍ରା) ପ୍ୟାକେଟ ଛାପା ୨୬୬.୫୦ଟଙ୍କା ଥିବା ବେଳେ ଏହାକୁ ସଂପୃକ୍ତ ଦୋକାନୀ ଛାପା ଦରଠାରୁ ଉଚ୍ଚା ଦରରେ ବିକ୍ରି କରିଥିଲା। ସ୍ଥାନୀୟ ଅଂଚଳରେ ବହୁ ଚାଷୀ ସଂପୃକ୍ତ ଦୋକାନୀଠାରୁ ଟନ ଟନ ସାର ନେଇଥିଲେ। ସମସ୍ତ ଚାଷୀ ଏହି ସାର ନେଇ ନିଜ ଗରେ ଓଜନ କରିବା ପରେ ଡିଏପି ସାର ୫୦ କିଗ୍ରା ପରିବର୍ତେ ୫୭.୫କିଗ୍ରା ହୋଇଥିଲା। ଏହି ସାରକୁ ଚାଷୀମାନେ ବିଜ ଧାନ ବିଲରେ ପକାଇବା ପରେ ପାଣିରେ ନ ମିଳାଇବା ସହ ଧାନ ଗଛ ମୂଳରେ ଅଠା ଭଳି ଲାଗି ରହିବା ସହ କିଛି ସ୍ଥାନରେ ଧାନ ଗଛ ମରି ଯାଉଛି ବୋଲି ଅଭିଯୋଗ ଆଣିଛନ୍ତି। ଆଜି ଦିନ ୧୨ଟା ସମୟରେ ଟିକିଲି ଧଳ, ଗୌରହରି ମାଝୀ, ଅରକ୍ଷୀତ ରାଉତ, ଅଚିନ୍ତ ନାୟକ, ମନୋଜ ମଲିକ, ସଞ୍ଜୟ ବେହୁରା, ଅଲେଖ ନାୟକ, ପପୁ ନାୟକ, ମାର୍କଣ୍ଡ ମଲିକ, ବୁନା ମଲିକ, ବାବାଜୀ ଦାସ ପ୍ରମୁଖ ସଂପୃକ୍ତ ଦୋକାନୀ ପାଖକୁ ଯାଇ ଏହି ବିଷୟରେ ପଚାରିବା ପରେ ସେ ଦେଇଥିବା ସାର ବସ୍ତା ସବୁ ନକଲି ବୋଲି ସ୍ୱୀକାର କରିବା ସହ ଦୋକାନ ବନ୍ଦ କରି ପଳାଇ ଯାଇଥିଲା। ପରେ କରଞ୍ଜମାଳ ଅଂଚଳର ଚାଷୀମାନେ କରଞ୍ଜମାଳ ଫାଣ୍ଡିକୁ ଯାଇ ସଂପୃକ୍ତ ବିନା ଲାଇସେନ୍ସରେ ସାର ଓ କୀଟନାଷକ ବିକ୍ରି କରୁଥିବା ଫକିର ପଟନାୟକଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଥିଲେ। ଫାଣ୍ଡି ଅଧିକାରୀ ଏ ବିଷୟରେ ଚାନ୍ଦବାଲି ବ୍ଲକ କୃଷି ସଂପ୍ରସାରଣ ଅଧିକାରୀଙ୍କ ଅବଗତ ନିମନ୍ତେ ଜଣାଇବା ସହ ନକଲି ସାର ସହ ନକଲି ଦୋକାନୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ସେମାନଙ୍କୁ ସେମାନଙ୍କର ପ୍ରାପ୍ୟ ଏବଂ ମରିଥିବା ଧାନ ଗଛର କ୍ଷତିପୂରଣ ଦେବାକୁ ସମସ୍ତ ଚାଷୀ ଅଡ଼ି ବସିଥିଲେ।
