ଘରେ ଝୁଲୁଛି ନବବଧୂଙ୍କ ମୃତଦେହ

ଆନନ୍ଦପୁର  : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଦୀପପାଳ ଗାଁରେ ଜଣେ ନବ ବିବାହିତା ମହିଳାଙ୍କ ମୃତଦେହ ଶୋଇବା ଘରେ ଝୁଲୁଛି । ଦୀର୍ଘ ୨୦ ଘଣ୍ଟା ପରେ ମଧ୍ୟ ଜିଲ୍ଲା ସୀମା ବିବାଦ ଯୋଗୁଁ ମୃତଦେହକୁ ଉଦ୍ଧାର କରାଯାଇପାରିନାହିଁ ।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଜୁଲାଇ ମାସ ୧୦ ତାରିଖରେ ଯାଜପୁର ଜିଲ୍ଲା କୋରେଇ ଥାନା ପୁରୁଷୋତ୍ତମ ବୋଇତେଇଙ୍କ ଝିଅ ହେମଲତାଙ୍କୁ ଘଷିପୁରା ଥାନା ଦୀପପାଳ ଗାଁର ବାଇଧର ବାରିକଙ୍କ ପୁଅ ହରିହର ବୈଦିକ ରୀତିରେ ବିବାହ କରିଥିଲେ । ବିବାହ ପରେ କୌଣସି କାରଣକୁ ନେଇ ହେମଲତାଙ୍କୁ ଶାଶୁଘର ଲୋକେ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ବାପଘର ଲୋକେ ।

ସୋମବାର ମଧ୍ୟାହ୍ନରୁ ହେମଲତା ନିଜ ଶୋଇବା ଘରେ ଫ୍ୟାନରେ ରଶି ଲଗାଇ ଝୁଲିଥିବା ଦେଖିବାକୁ ମିଳିବା ପରେ ପୋଲିସକୁ ଖବର ଦିଆଯାଇଥିଲା । ବାପଘର ଲୋକେ ଖବର ପାଇ ପହଞ୍ଚିଥିଲେ ମଧ୍ୟ ସମ୍ପୂର୍ଣ୍ଣ ଘରଟି ଅଧା କେନ୍ଦୁଝର ଜିଲ୍ଲାରେ ଓ ଅଧା ଯାଜପୁର ଜିଲ୍ଲାରେ ଥିବାରୁ ବିବାଦ ସୃଷ୍ଟି ହୋଇଥିଲା। ସୀମା ବିବାଦକୁ ନେଇ ଦୀର୍ଘ ୨୦ ଘଣ୍ଟା ହେବ ମୃତଦେହ ପଡିରହିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଚାପା ଉତ୍ତେଜନା ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *