ଚାରି ମାସରେ ଧୋଇଗଲା ରାସ୍ତା

ରେଙ୍ଗାଲିକେମ୍ପ : ବରଗଡ଼ ଜିଲ୍ଲା ଅତାବିରା ବ୍ଲକର ଅତାବିରାରୁ ପାହାର ଶ୍ରିଗିଡାକୁ ସଂଯୋଗ କରୁଛି ଏକ ପିଚୁ ଆରଡି ରାସ୍ତା। ଏହି ରାସ୍ତାରେ ପ୍ରତିଦିନ ୭ଟି ପଞ୍ଚାୟତର ଲୋକେ ଯିବା ଆସିବା କରିବା ସହ ବଡ ଟ୍ରକ୍, ବସ, ସ୍କୁଲ୍ ଭେନ୍ ଆଦି ଯିବା ଆସିବା କରିଥାଏ। ଅତାବିରା ଟେଲିଫୋନ ଛକରୁ ୫୦୦ ମିଟର ଦୂରରେ ରହିଛି ସରକାରଙ୍କ ଖାଦ୍ୟ ନିଗମ ଶାଖା। ପ୍ରତିଦିନ ଚାଉଳ ବୋଝେଇ ଟ୍ରକ ମାଳ ମାଳ ଯିବା ଆସିବା କରିଥାଏ। ଏମିତିକି ବେଳେ ବେଳେ ରାସ୍ତା ଯୋଗୁଁ ଟ୍ରକଗୁଡ଼ିକୁ ପାରି ହୋଇ ଯିବାକୁ ଦୀର୍ଘ ସମୟ ଧରି ଅଟକାଇବାକୁ ପଡ଼ିଥାଏ ଓ ଖାଲ ଖମାରେ ପୂର୍ଣ୍ଣ ରାସ୍ତାରେ ତାହା ଓଲଟି ପଡ଼ିବାର ସମ୍ଭାବନା ମଧ୍ୟ ରହିଥାଏ।ଏହି ଆରଡି ରାସ୍ତାରେ ଅନେକ ଜୀବନ ମଧ୍ୟ ଗଲାଣି। କିନ୍ତୁ କେବେହେଲେ ରାସ୍ତାଟି ଭଲ ହୋଇପାରୁ ନାହିଁ। ଖାଲ ଖମା ହେଲେ ଠିକାଦାର ମାନେ ଓ ଆରଡି ବିଭାଗ ପିଚୁ ରାସ୍ତାରେ ମାଟି ପୋତିବା ର ବି ନଜିର ରହିଛି। ରାସ୍ତା ମରାମତି ପାଇଁ ଗତ କିଛି ମାସ ତଳେ ୩୫ ଲକ୍ଷ ଟଙ୍କା ଅଟକଳ ରାଶି ଆସିଥିବା ଜଣାପଡ଼ିଛି।ରାସ୍ତାଟି ମରାମତି ହେଲା କିନ୍ତୁ ଦୁଇ ଚାରିମାସ ନ ପୁରୁଣୁ ରାସ୍ତା ଯାହାକୁ ତାହା ହେଇ ପଡ଼ିଛି। ଯେଉଁଠି ଖାଲ ଥିଲା ପୁଣି ସେଇ ଖାଲ ହୋଇ କାୟା ବିସ୍ତାର କରିଚାଲିଛି।ବର୍ଷାରେ ପାଣି ପୂରି ଯାଇ ଅତି ଶୋଚନୀୟ ହୋଇ ପଡ଼ୁଛି। ଅଜଣା ବ୍ୟକ୍ତି ଏହି ରାସ୍ତା ଦେଇ ଯିବାବେଳେ ଅନେକ ସମୟରେ ଖକ୍ଷଳରେ ପଡିଯାଇ ହନ୍ତସନ୍ତ ହେଉଛନ୍ତି। ଏମିତି ନିମ୍ନ ମାନର କାମ ହେଉଛି କିନ୍ତୁ ସେଥିପ୍ରତି କାହାରି ଦୃଷ୍ଟି ପଡୁନାହିଁ। ଠିକାଦାର ଓ ଆରଡି ବିଭାଗର ମଧୁଚନ୍ଦ୍ରିକାରେ ଚାଲିଛି ଏମିତି ନିମ୍ନ ମାନର ରାସ୍ତାକାମ । ଥରକୁ ଥର ଲକ୍ଷ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ଆସୁଥିଲେ ସୁଦ୍ଧା ରାସ୍ତାର ଅବସ୍ଥା ସୁଧୁରି ପାରୁନି। ଏଥିପାଇଁ ଜନସାଧାରଣ ପକ୍ଷରୁ ଭିଜିଲାନ୍ସ ତଦନ୍ତ ଦାବି ହେଉଛି।

Leave a Reply

Your email address will not be published. Required fields are marked *