କାମାକ୍ଷାନଗର : ମହଙ୍ଗା ପଡ଼ିଲା ଭଣ୍ଡ ସାରଥୀ ପ୍ରେମ । କୋଭିଡ୍ ନିୟମ ଉଲଂଘନ କରିବା ସହ ସାହି ମଝିରେ ଭଣ୍ଡ ନାମରେ ପ୍ରହସନ କରୁଥିବାର ଗ୍ରାମବାସୀଙ୍କ ତରଫରୁ ଥାନାରେ ଲିଖିତ ଅଭିଯୋଗ ପରେ ବାପା-ପୁଅ ଦୁଇ ଜଣଙ୍କୁ ଉଠାଇ ନେଇଛି ପୋଲିସ । ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ କନ୍ଦରସିଂହା ଗ୍ରାମ ଖଳିବାହାଳ ସାହିର ଭଣ୍ଡ ସାରଥୀ ଭକ୍ତ ବାପା ଦିବାକର ନାଥ ଓ ପୁଅ ସୁକାନ୍ତ ନାଥ । ବହୁ ଚର୍ଚ୍ଚିତ ଭଣ୍ଡ ସାରଥୀ ବାବାକୁ ପୂଜା କରିବା ସହିତ ସାରଥୀ ଫଟୋରୁ ମହୁ ଓ ଲହୁଣୀ ବାହାରୁଥିବା ପରିବାର ଲୋକେ ଦାବି କରି ଆସୁଥିଲେ । ଯାହାଦ୍ବାରା ଉକ୍ତ ଘରକୁ ଦୂର ଦୁରାନ୍ତରୁ ସାରଥୀ ଭକ୍ତଙ୍କ ସୁଅ ଛୁଟିଥିଲା । ତେବେ ବୁଧବାର ସନ୍ଧ୍ୟା ସମୟରେ କୁମାର ପୂର୍ଣ୍ଣିମା ଥିବାବେଳେ ସେହି ପରିବାର ଲୋକେ ଦୂର ଦୁରାନ୍ତରୁ କିଛି ଭକ୍ତଙ୍କୁ ଡାକି ଭୋଜି ଭାତର ଆୟୋଜନ କରିଥିଲେ । ଏହାସହ ସାରଥୀ ଫଟୋକୁ ରଖି ପୂଜାର୍ଚ୍ଚନା କରୁଥିଲେ । ଏହାକୁ ପ୍ରଶାସନର କୌଣସି ଅନୁମତି ନଥିଲା । କୋଭିଡ୍ ନିୟମର ଖୋଲାଖୋଲି ଉଲଂଘନ ଓ ବାରମ୍ବାର ଏପରି ପ୍ରହସନରେ ଗ୍ରାମବାସୀ ଲଜ୍ଜିତ ହେବାକୁ ପଡିଥିଲା ।
ତେଣୁ ବୁଧବାର ସନ୍ଧ୍ୟା ସମୟରେ ଭଣ୍ଡ ସାରଥୀର ଭକ୍ତମାନେ ଆସର ଜମାଇଥିବା ବେଳେ ଗ୍ରାମବାସୀ ଏକତ୍ରିତ ହୋଇ ଥାନାର ଦ୍ବାରସ୍ଥ ହୋଇଥିଲେ । ଖବର ପାଇ ଘଟଣାସ୍ଥଳରେ ପରଜଙ୍ଗ ପୋଲିସ ପହଞ୍ଚି ସଂପୃକ୍ତ ବାପା-ପୁଅ ଦୁଇ ଜଣକୁ ପୋଲିସ ଉଠାଇ ନେଇ ଥାନାରେ ଅଟକ ରଖିଛି । ତେବେ ଆଗକୁ ଏପରି ପ୍ରହସସନ ଜାରି ରହିଲେ ଗ୍ରାମବାସୀମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।
