୧୫ ଟନ୍ ଗୋମାଂସ ବୋଝେଇ ଗାଡ଼ି ଜବତ, ଚାଳକ ଓ ହେଲପର ଗିରଫ

ତିଗିରିଆ : ତିଗିରିଆ ପୁଲିସର ବଡ଼ ସଫଳତା ଦେଖିବାକୁ ମିଳିଛି । ୧୫ ଟନ୍ ଗୋମାଂସ ବୋଝେଇ ଏକ କଣ୍ଟେନରକୁ ଥାନା ପୁଲିସ ଜବତ କରିବା ସହିତ ଏକ ମାମଲା ରୁଜୁ କରି ଏହି ଗାଡ଼ିର ଚାଳକ ଓ ହେଲପରକୁ ଗିରଫ କରିଛି । ଉଭୟ ଅଭିଯୁକ୍ତଙ୍କୁ ଥାନାରେ ରଖି ପଚରା ଉଚରା କରିବା ସହିତ ବେଆଇନ ଚାଲାଣ ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛି । ତିଗିରିଆ ଅଞ୍ଚଳରେ ବେଆଇନ ଭାବେ ବିପୁଳ ପରିମାଣର ଗୋମାଂସ ଚାଲାଣ ହେଉଥିବା ବିଶେଷ ସୂତ୍ରରୁ ଖବର ପାଇବା ପରେ ଥାନା ଅଧିକାରୀ ସୁଚିତ୍ରା ଜେନାଙ୍କ ତତ୍ତ୍ୱାବଧାନରେ ପୁରା ଥାନା ପୁଲିସ ଏହି ଚଢ଼ାଉ କାର୍ଯ୍ୟରେ ଲାଗିଥିଲେ । କୌଶଳ କରି ଗାଡ଼ିକୁ ପିଛା କରି ତିଗିରିଆ ନିଜିଗଡ଼ ଶବରସାହି ନିକଟରେ କାବୁ କରିବାରେ ସକ୍ଷମ ହୋଇଥିଲେ ।

ପୁଲିସ ଦ୍ୱାରା ଜବତ ଗୋମାଂସ ସବୁ ତିଗିରିଆ ଥାନା ଅନ୍ତର୍ଗତ କରଡ଼ାପଲ୍ଲୀ ନିକଟ ଜଙ୍ଗଲରେ କଟାଯାଇ କଲିକତାକୁ ଚାଲାଣ ହେଉଥିବା ପୁଲିସ ଜାଣିବାକୁ ପାଇଛି । ଚାଲାଣରେ ସମ୍ପୃକ୍ତ ଅଟକ ଥିବା ୨ ଜଣ ଆନ୍ଧ୍ରପ୍ରଦେଶ କ୍ରିଷ୍ଣା ଜିଲ୍ଲାର ଭାଲିଭର୍ତ୍ତିପାଡ଼ୁ ଅଞ୍ଚଳର ବାଜି ସାଏଦ ପିତା ସାୟଦ ମସ୍ତାନ, ସକିଲ ଖାଁ ପିତା ବସିର ଖାଁ । ଏ ସଂକ୍ରାନ୍ତରେ ତିଗିରିଆ ପୁଲିସ ଏକ ମାମଲା ରୁଜୁ କରିବା ସହିତ ଆନିମଲ ଆକ୍ଟ ଲଗାଇ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ଶ୍ରୀମତୀ ଜେନାଙ୍କ ଠାରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି । ସମଗ୍ର କଣ୍ଟେନର ମଧ୍ୟରେ ପରସ୍ତ ପରସ୍ତ ବରଫ ସହିତ ଗୋମାଂସକୁ ବୋଝେଇ କରାଯାଇ ଚାଲାଣ ହେଉଥିଲା । ଅପରାହ୍ଣରେ ତିଗିରିଆ ତହସିଲଦାର ତଥା କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ପ୍ରମୋଦ କୁମାର ବାସ୍କେ ଏବଂ ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ବିଜୟ କୁମାର ବିଶିଙ୍କ ଉପସ୍ଥିତିରେ ଜବତ ମାଂସ ପରୀକ୍ଷା ପାଇଁ ରାଜ୍ୟ ଫରେନସିକ୍ ଲାବୋରେଟୋରୀକୁ ପଠାଯିବା ପାଇଁ ବ୍ଲକ ପ୍ରାଣୀ ଚିକିତ୍ସକ ସତ୍ୟବ୍ରତ ଦାଶଙ୍କ ଦ୍ୱାରା ବିଭିନ୍ନ ଶୈଳୀରେ ମାଂସ ଖଣ୍ଡ ସଂଗ୍ରହ କରାଯାଇଥିଲା । ଏହାପରେ ସନ୍ଧ୍ୟାରେ କଡ଼ା ପୁଲିସ ସୁରକ୍ଷା ବଳୟ ମଧ୍ୟରେ ନିକଟସ୍ଥ ବାରମାଣ ଜଙ୍ଗଲକୁୁ ଜବତ କଣ୍ଟେନକୁ ନିଆଯାଇ ସେଠାରେ ଜେସିବି ମେସିନରେ ଗାତ ଖୋଳାଯାଇ ଗୋମାଂସକୁ ପୋତି ଦିଆଯାଇଥିବା ଜଣାପଡ଼ିଛି । ତେବେ ଜବତ ହୋଇଥିବା ମାଂସ ପ୍ରାୟ ୧୫୦ ଗୋରୁଙ୍କର ବୋଲି ଅନୁମାନ କରାଯାଇଛି ।

ଦୀର୍ଘଦିନ ହେଲା କରଡ଼ାପଲ୍ଲୀ ନିକଟ ଜଙ୍ଗଲରେ ବହୁଳ ପରିମାଣରେ ବେଆଇନ ଭାବେ ଗୋହତ୍ୟା କରାଯାଇ ତାହାକୁ ରାଜ୍ୟ ବାହାରକୁ ଚାଲାଣ ହେଉଥିବା ନେଇ ଲୋକେ ବାରମ୍ବାର ଅଭିଯୋଗ କରିଆସୁଥିଲେ । ମାଂସ ଚାଲାଣ ପରେ ଗୋରୁଙ୍କ କଟାମୁଣ୍ଡ ଓ ପୁଟା ଜଙ୍ଗଲ ମଧ୍ୟରେ ପଚିସଢ଼ି ପାଖ ପଡ଼ୋଶୀ ଗ୍ରାମଗୁଡ଼ିକରେ ଉତ୍କଟ ଗନ୍ଧ ସୃଷ୍ଟି କରିଆସୁଥିବା ଲୋକେ ଅଭିଯୋଗ କରିଆସୁଥିଲେ । ଏପରିକି ଗତ ୧୧ ତାରିଖରେ ଗୋଚାଲାଣ ଓ ହତ୍ୟା ବନ୍ଦ କରିବାକୁ ଦାବି କରି ବିନ୍ଧାଣିମା ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଥିବା ବେଳେ, ଉଭୟ ବିନ୍ଧାଣିମା ଓ ବାଲିପୁଟ ପଞ୍ଚାୟତ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ସମେତ ଉଚ୍ଚ ପଦସ୍ଥ ପ୍ରଶାସନିକ ଅଧିକାରୀଙ୍କ ନିକଟକୁ ଏ ସମ୍ପର୍କରେ ଏକ ସ୍ମାରକ ପତ୍ର ଆନ୍ଦୋଳନ ସ୍ଥଳରେ ଉପସ୍ଥିତ ତହସିଲଦାରଙ୍କୁ ପ୍ରଦାନ କରିଥିଲେ । ସେତେବେଳେ ଆନ୍ଦୋଳନ ସ୍ଥଳରେ ପୁଲିସ ଓ ପ୍ରଶାସନ ପକ୍ଷରୁ ୧୫ ଦିନ ମଧ୍ୟରେ ଏହି ବେଆଇନ କାରବାର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଭର ପ୍ରତିଶୃତି ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *