ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବ୍ଲକ ଦେଇ ଯାଇଥିବା ବୈତରଣୀ ନଦୀରେ ଜଳସ୍ତର ଦିନକୁ ଦିନ ହ୍ରାସ ପାଉଛି । ଫଳରେ କେନାଲ ପାଣି ଉପରେ ନିର୍ଭର କରି ଯେଉଁ ଚାଷୀ ଭାଇମାନେ ଖରିଫ ଧାନ ଚାଷ କରିଥିଲେ ତାହା ଏବେ ମରୁଡି ଆଶଙ୍କାରେ । ସୂଚନା ଅନୁଯାୟୀ ନଦୀର ଆଖୁଆପଦା ଆନିକଟ ଠାରୁ ୩ ନଂ ମୁଖ୍ୟ କେନାଲରେ ପାଣି ଆସୁଥିବା ବେଳେ, ଏହା ଦ୍ୱାରା ଭଣ୍ଡାରିପୋଖରୀ ସମେତ ଭଦ୍ରକ, ଧାମନଗର ଓ ବନ୍ତ ବ୍ଲକର ଅନେକ ଚାଷ ଜମି ଜଳ ପ୍ଲାବିତ ହୋଇଥାଏ । ଦୁର୍ଗାପୂଜା ଠାରୁ ବର୍ଷା ନଥିବାରୁ ଚାଷୀମାନେ ଲଗାତର ଭାବେ କେନାଲ ପାଣି ଉପରେ ନିର୍ଭର କରିଆସୁଥିଲେ । ଏବେ ଧାନର ଥୋଡ଼ ସମୟ ହୋଇଥିବା ବେଳେ କେନାଲ ପାଣି କମିଯିବା ଯୋଗୁ ଚାଷୀ ଭାଇମାନେ ଚିନ୍ତା ପ୍ରକଟ କରିଛନ୍ତି । ବିଶେଷ କରି ହାଇଲେବୁଲ କେନାଲ ପାର୍ଶ୍ୱ ବୟାବନାପୁର, ଚନ୍ଦ୍ରଭାନୁପୁର, ହାଟଡ଼ିହି, ସୁନାହାର ପ୍ରମୁଖ ଅଞ୍ଚଳର ଚାଷ ଜମିଗୁଡିକ ଏବେ ଶୁଖିବାକୁ ବସିଲାଣି ।
କେନାଲରେ ପାଣି କମ୍ ଆସୁଥିବାରୁ ହୋମ୍ ପାଇପ୍ ଜରିଆରେ ଏହା ଚାଷ ଜମିକୁ ଯାଉନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ମୁଖ୍ୟ କେନାଲ ସଂଲଗ୍ନ ଶାଖା ଓ ମାଇନର କେନାଲ ଅବସ୍ଥା ତଦ୍ରୁପ ହୋଇଛି । ଅପେକ୍ଷାକୃତ କମ୍ ପାଣି ଆସିବା ଯୋଗୁ ସମସ୍ତ ଚାଷ ଜମିକୁ ଏହା ମାଡିବା ସମ୍ଭବ ହେଉନାହିଁ । ତେଣୁ ଧାନ ଥୋଡ଼ ବେଳକୁ ଜମିରେ ଜଳାଭାବ ମରୁଡି ଆଶଙ୍କା ସୃଷ୍ଟି କରିଛି । ଏପଟେ ନଦୀରେ ଯଦି ଜଳସ୍ତର କମିଥାଏ ତା’ହେଲେ ଆଉ କିଛିଦିନ କବାଟ ପକାଇ ପାଣି ଗଛିତ କରି କେନାଲରେ ଛାଡିବାକୁ ଚାଷୀମାନେ ଦାବି କରିଛନ୍ତି । ଏ ସମ୍ପର୍କରେ ଭଣ୍ଡାରିପୋଖରୀ କନିଷ୍ଠ ଯନ୍ତ୍ରୀଙ୍କ ମତାମତ ନେବାରୁ ବୈତରଣୀରେ ଜଳସ୍ତର କମିବା ହେତୁ କେନାଲକୁ ଯେତିକି ପାଣି ନିଷ୍କାସିତ ହେବା କଥା ତାହା ହୋଇପାରୁନାହିଁ । ତେଣୁ କେନାଲରେ ଯେତିକି ପାଣି ଯାଉଛି ତାହା ଦ୍ୱାରା ଯେତିକି ସମ୍ଭବ କ୍ଷେତକୁ ମଡ଼ାଯାଇ ପାରିବ ବୋଲି କହିଛନ୍ତି । ମୋଟାମୋଟି ଭାବେ ଏ ବାବଦରେ ବୈତରଣୀ ନଦୀର ଜଳ ପରିଚାଳନା କରୁଥିବା ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀମାନେ ଦୃଷ୍ଟି ଦେଲେ ଆସନ୍ନ ମରୁଡ଼ିରୁ ଅନେକ ଚାଷ ଜମି ବର୍ତ୍ତି ଯାଇ ପାରନ୍ତା ବୋଲି ମତ ପ୍ରକାଶ ପାଇଛି ।
