କଟକ : ସରକାରୀ ମେଡିକାଲ କଲେଜରେ ଏବେ ଘରୋଇ ଏଜେଣ୍ଟଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବିଶେଷକରି ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସକେୱାଇ)ରୁ ଫାଇଦା ନେବା ପାଇଁ ଏମାନେ ସକ୍ରିୟ ହୋଇ ଉଠିଛନ୍ତି । ଜାଲ୍ ଦସ୍ତଖତ କରି ଘରୋଇ ମେଡିକାଲକୁ ରୋଗୀଙ୍କୁ ରେଫର୍ କରିଦେଉଛନ୍ତି ।
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସକେୱାଇ)ରେ ପ୍ରତି ପରିବାରକୁ ୫ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟବୀମା ଓ ମହିଳାଙ୍କୁ ୧୦ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟବୀମା ସରକାର ନିଶ୍ଚିତ କରିଛନ୍ତି । ତେବେ, ରାଜ୍ୟ ସରକାରଙ୍କ ଏହି ଯୋଜନାର ଫାଇଦା ନେବାପାଇଁ ଦଲାଲମାନେ ଏବେ ସକ୍ରିୟ ହୋଇପଡ଼ିଛନ୍ତି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡରେ ଚିକିତ୍ସା ସୁବିଧା ଯୋଗାଇ ଦେବାପାଇଁ ଅନୁବନ୍ଧିତ ଘରୋଇ ଡାକ୍ତରଖାନାଗୁଡ଼ିକ ଏବେ ଲାଭଖୋର ମନୋବୃତ୍ତି ରଖି ପ୍ରତି ସରକାରୀ ମେଡିକାଲରେ ନିଜର ଏଜେଣ୍ଟ୍ ରଖୁଛନ୍ତି । ଡାକ୍ତରଙ୍କୁ ପ୍ରଭାବିତ କରି ରେଫର କରାଇବା ଯୋଜନା କରୁଛନ୍ତି । ଏପରିକି ଏଥିପାଇଁ ଆବଶ୍ୟକ ଥିବା ସିଡିଏମ୍ଓ ବା ମେଡିକାଲ ଏଡିଏମ୍ଓଙ୍କ ଦସ୍ତଖତକୁ ଜାଲ୍ କରି ରୋଗୀଙ୍କୁ ରେଫର୍ କରି ନେଉଥିବା ଅଭିଯୋଗ ହେଉଛି । ଯେଉଁଥିପାଇଁ ସାଧାରଣ ଅର୍ଶ, ପିସ୍ତୁଲା, ସନ୍ତାନ ପ୍ରସବ ପାଇଁ ବି ଏବେ ଘରୋଇ ମେଡିକାଲକୁ ରେଫର ସଂଖ୍ୟା ମାତ୍ରାଧିକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ରୋଗୀର ଆଡ୍ମିସନ କରାଇ ସାମାନ୍ୟ ରୋଗର ଚିକିତ୍ସା ପାଇଁ ବି ଲକ୍ଷାଧିକ ଟଙ୍କାର ଦାବି(କ୍ଲେମ୍) କରି ଘରୋଇ ମେଡିକାଲ ମାଲାମାଲ ହେଉଛନ୍ତି । ସେପଟେ ସବୁ ସୁବିଧା ଥାଇ ବି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ଚିକିତ୍ସାଳୟଗୁଡ଼ିକରେ ରୋଗୀ ନାହାନ୍ତି ।
ଏମିତି ଜଣେ ରୋଗୀ ହେଉଛନ୍ତି ବାବୁଲା ଷେଣ୍ଢ(୪୭) । ବାବୁଲାଙ୍କୁ ଢେଙ୍କାନାଳ ମେଡିକାଲର ଶଲ୍ୟ ବିଭାଗରୁ ରେଫର କରାଯାଇଥିଲା । ମାତ୍ର ତାଙ୍କ ସ୍ଲିପ୍ରେ କୌଣସି ଓପିଡି(ରେଜିଷ୍ଟ୍ରେସନ୍ ନମ୍ବର) ପକାଯାଇ ନାହିଁ । ଢେଙ୍କାନାଳ ମେଡିକାଲରୁ ଏଭଳି ଏକାଧିକ ରେଫରାଲ ଆସିଥିବା ବେଳେ, ରାଜ୍ୟର ଅନ୍ୟ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରୁ ଏଭଳି ରେଫର ଆସୁଥିବାର ଗୁରୁତର ଅଭିଯୋଗ ସାମ୍ନାକୁ ଆସୁଛି । କଟକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ ଏଭଳି କିଛି ରେଫରାଲ୍ ପ୍ରମାଣପତ୍ରକୁ ନେଇ ଆପତ୍ତି ଏବେ ଉଠିଛି । ସିଡିଏମ୍ଓ ଅଫିସ୍ ପକ୍ଷରୁ କିଛି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଦସ୍ତଖତ ଜାଲ୍ କରାଯାଇ ରେଫର୍ କରାଯିବା, ଓପିଡି ଟିକେଟ ନମ୍ବର ପକାଇ ରେଫର କରାଯାଇଥିବା ଭଳି ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି । ଗତ ୨୦ ତାରିଖରେ ଏନେଇ କଟକ ସିଡିଏମ୍ଓଙ୍କ ଅଫିସ ପକ୍ଷରୁ ଚିଠି ନଂ ୧୭୮୭୨ ରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଏକ ଚିଠି କରାଯାଇଛି । ରେଫରାଲ୍ ସ୍ଲିପ୍ରେ ଜାଲିଆତିର ତର୍ଜମା କରିବାକୁ ଚିଠିରେ ପରାମର୍ଶ ଦିଆଯାଇଛି । ରେଫରାଲ୍ ସ୍ଲିପରେ କୌଣସି ଓପିଡି ନମ୍ବର ନପଡିବା, ସେହିଭଳି ସିଲ୍ ଓ ଦସ୍ତଖତରେ ମଧ୍ୟ ଜାଲିଆତି ହୋଇଥିବା ଦର୍ଶାଯାଇଛି । କଟକ ଜିଲ୍ଲାରେ ବିଏସ୍କେୱାଇ ଯୋଜନାରେ ଚିକିତ୍ସା ଯୋଗାଇ ଦେବାପାଇଁ କଟକ ସହରର ୩୯ଟି ମେଡିକାଲକୁ ଅନୁବନ୍ଧିତ କରାଯାଇଛି । ବହୁ ବଡ଼ ଘରୋଇ ମେଡିକାଲ ବି ଏହି ତାଲିକାରେ ରହିଛନ୍ତି । ମାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହାର ଠିକ୍ ଯାଞ୍ଚ କରାନଯିବା ଫଳରେ ଏହିଭଳି ଅନିୟମିତତା ଦେଖିବାକୁ ମିଳିଛି ।
ଗୋଟିଏ ପଟେ ସରକାର ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡିକର ବିକାଶ କରିବା ସହିତ ବିଶେଷଜ୍ଞ ଡାକ୍ତର, ଓଟି ସୁବିଧା ଓ ଅତ୍ୟାଧୁନିକ ମେସିନ୍, ନିଦାନ ବ୍ୟବସ୍ଥା କରିଛନ୍ତି । ମାତ୍ର ଏଥିରେ ଘରୋଇ ମେଡିକାଲଗୁଡ଼ିକ ଲାଭବାନ ହେବାସହିତ ଦଲାଲଙ୍କ ସଂଖ୍ୟା ବି ବୃଦ୍ଧି ପାଇବା ଭଳି ଘଟଣା ଏବେ ଦେଖିବାକୁ ମିଳୁଛି । ସେହିଭଳି ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକର ଆଧୁନିକୀକରଣରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ଏଭଳି ସାଧାରଣ ରୋଗ ପାଇଁ ଘରୋଇ ହସ୍ପିଟାଲକୁ କାହିଁକି ରେଫର୍ କରାଯାଉଛି, ତାହାକୁ ନେଇ ପ୍ରଶ୍ନ ଉଠୁଛି ।
