ବିପୁଳ ପରିମାଣର ବାରହା ମାଂସ ଜବତ, ୪ ଶିକାରୀ ଗିରଫ

ବଣାଇ : ବଣାଇ ରେଞ୍ଜ ଟିକାୟତପାଲି ସେକ୍ସନ ଅନ୍ତର୍ଗତ ତିଳେଇସରା ଗ୍ରାମରୁ ବିପୁଳ ପରିମାଣର ବାରହା ମାଂସ ଜବତ କରିବା ସହିତ ଚାରି ଜଣକୁ ଗିରଫ କଲା ବନବିଭାଗ ।

ଘଟଣାରୁ ପ୍ରକାଶ, ବଣାଇ ରେଞ୍ଜ ଅନ୍ତର୍ଗତ ତିଳେଇସରା ଗ୍ରାମରେ ବାରହା ଶିକାର ପାଇଁ ଜଙ୍ଗଲରେ ଫାସ ବୁଣା ହୋଇଥିବା ନେଇ କୌଣସି ସୂତ୍ରରୁ ବଣାଇ ବନବିଭାଗ ନିକଟରେ ଖବର ପହଞ୍ଚିଥିଲା । ସୂଚନାପାଇ ବଣାଇ ରେଞ୍ଜର ମନୋଜ କୁମାର ପାତ୍ର ଏବଂ ସେକ୍ସନ ଫରେଷ୍ଟର, ଦୁର୍ଯୋଧନ ପ୍ରଧାନ, ବନରକ୍ଷୀ ରୁନୁଵାଳା ରାୟଙ୍କ ସମେତ ସମସ୍ତ କର୍ମଚାରୀଙ୍କୁ ନେଇ ତିଳେଇସରା ଗ୍ରାମ ନିକଟ ଜପ୍ତି ଜଙ୍ଗଲକୁ ଚଢ଼ାଉ କରି ଯାଉଥିବା ସମୟରେ ତିଲେଇସରା ଗ୍ରାମ ରାସ୍ତା ଉପରେ ଚାଲି ଚାଲି ଯାଉଥିବା ଚାରିଜଣ ବ୍ୟକ୍ତିଙ୍କୁ ସନ୍ଦେହ କରି ପଚରାଉଚୁରା କରିବା ସହିତ ସେମାନେ ଧରିଥିବା ବ୍ୟାଗ ଯାଞ୍ଚ କରିବା ବେଳେ ତାଙ୍କ ପାଖରେ ବାରହା ମାଂସ ଓ ଶିକାର ପାଇଁ ବ୍ୟବହୃତ ହେଉଥିବା ସରଞ୍ଜାମ ପାଇଥିଲେ । ତେଣୁ ତାଙ୍କ ଠାରୁ ବାରହା ମାଂସ ଜବତ କରିବା ସହ ସମସ୍ତଙ୍କୁ ଗିରଫ କରି କାର୍ଯ୍ୟାଳୟକୁ ଆଣିଥିବା ଜଣାପଡିଛି । ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ତିଳେଇସରା ଗ୍ରାମର କୁବେର ମହାକୁଳ(୨୫), ବୁଟୁ କିଷାନ(୫୨), ମୁଞ୍ଚୁରାୟ ମୁଣ୍ଡା(୩୧) ଓ ହରି କିଷାନ(୨୭) ବୋଲି ଜଣାପଡିଛି । ରେଞ୍ଜରଙ୍କ କହିବା ଅନୁଯାୟୀ ଦିନକୁ ଦିନ ବାରହା ଶିକାରୀଙ୍କ ଦୌରତ୍ମା ବଢ଼ିଚାଲୁଥିବା ବେଳେ, ତାଙ୍କ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ସଂଯୋଗ ଫାସରେ ବିଗତ ଦିନରେ ଅନେକ ନୀରିହ ପଶୁପକ୍ଷୀ ଏବଂ ମଣିଷ ଅଜାଣତରେ ପଡି ମୃତ୍ୟୁବରଣ କରିଥିବା ଦେଖାଯାଇଛି ଏବଂ ଏହି ଘଟଣାରେ ଶିକାରୀମାନଙ୍କ ସହିତ ଆଉ କିଛି ବ୍ୟକ୍ତି ସମ୍ପୃକ୍ତ ଥିବା ନେଇ ଜଣାପଡ଼ିଛି ଏବଂ ତାର ତଦନ୍ତ ଚାଲିଛି ବୋଲି ରେଞ୍ଜର ମନୋଜ ପାତ୍ର ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *