ଗୋପାଳପୁର : ଅଗଷ୍ଟ ୧୬ ଓ ଅଗଷ୍ଟ ୧୭ ତାରିଖରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ଯୁକ୍ତ ତିନି ଶେଷ ବର୍ଷର ପରୀକ୍ଷା ଏବଂ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ଅଧିନରେ ଥିବା ମହାବିଦ୍ୟାଳୟମାନଙ୍କ ଯୁକ୍ତ ତିନି ପରୀକ୍ଷା ଫଳ ପ୍ରକାଶିତ ହୋଇଥିଲା । ଏହା ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ ହେବାର ଅଢେଇ ମାସ ବିତିବାକୁ ବସିଥିବା ବେଳେ, ଆଜି ଯାଏଁ ବିଦ୍ୟାର୍ଥୀମାନେ ନିଜର ଅରଜିନାଲ ମାର୍କସିଟ ପାଇ ପାରିନାହାନ୍ତି । ଯଦ୍ୱାରା ଅନେକ ବିଦ୍ୟାର୍ଥୀ ଉଚ୍ଚଶିକ୍ଷାରେ ନାମ ଲେଖା ସମୟରେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ।
ସୂଚନା ଯୋଗ୍ୟ ଯେ, ୨୦୧୯-୨୨ ଶିକ୍ଷା ବର୍ଷରେ ଯୁକ୍ତ ତିନି କଳାରେ ୧୩୫୫୮ ଜଣ ବିଦ୍ୟାର୍ଥୀଙ୍କ ସମେତ ବାଣିଜ୍ୟରେ ୯୪୩ ଓ ବିଜ୍ଞାନରେ ୫୩୩୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ଏହା ମଧ୍ୟରେ ବିଭିନ୍ନ ବିଶ୍ଵବିଦ୍ୟାଳୟରେ ପିଜି ନାମଲେଖା ସରି ଯାଇଥିବାବେଳେ, ବିଦ୍ୟାର୍ଥୀମାନେ ବିଶ୍ଵବିଦ୍ୟାଳୟ ଓ୍ବେବ ସାଇଟରୁ ଡାଉନଲୋଡ କରିଥିବା ମାର୍କସିଟ ଦେଇ ନାମ ଲେଖାଇଥିବା ବେଳେ ଅନ୍ୟ ଉଚ୍ଚ ଶିକ୍ଷା ନିମନ୍ତେ ବିଦ୍ୟାର୍ଥୀମାନେ ଅରଜିନାଲ ମାର୍କସିଟ ନଥିବାରୁ ନାମ ଲେଖାରୁ ବଞ୍ଚିତ ରହିଥିବା ଅଭିଯୋଗ ହୋଇଛି । ଏହି ଘଟଣା ନେଇ ପରୀକ୍ଷା ନିୟନ୍ତ୍ରକ ଡ଼ ସୁରେନ୍ଦ୍ର ସେଠୀଙ୍କ ସହ ଯୋଗାଯୋଗ ବେଳେ ସେ ସୂଚନା ଦେଇଛନ୍ତି ଯେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଗ୍ରେଡ ଲିଷ୍ଟ ଆକାରରେ ପରୀକ୍ଷା ଫଳ ପ୍ରକାଶିତ ହୋଇଥିବାରୁ ପୂର୍ବରୁ ବିଶ୍ବବିଦ୍ୟାଳୟ ବ୍ୟବହାର କରୁଥିବା ମାର୍କସିଟ ଫରମାଟରେ ପରିବର୍ତ୍ତନ ହୋଇଛି । ଏଣୁ ବିଦ୍ୟାର୍ଥୀଙ୍କୁ ମାର୍କସିଟ ଦେବାରେ ବିଳମ୍ବ ଘଟିଛି । ଏହା ମଧ୍ୟରେ ବିଶ୍ବବିଦ୍ୟାଳୟ ପକ୍ଷରୁ ବିଦ୍ୟାର୍ଥୀଙ୍କୁ ମାର୍କସିଟ ଯୋଗାଣ ନିମନ୍ତେ ଟେଣ୍ଡର ଆହ୍ବାନ କରାଯିବା ନିମନ୍ତେ ସ୍ଥିର କରାଯାଇଥିବା ବେଳେ ଏହି ପ୍ରକିୟା ସରିଲେ ବିଦ୍ୟାର୍ଥୀଙ୍କୁ ତୁରନ୍ତ ମାର୍କସିଟ ଦେଇଦିଆଯିବ ବୋଲି କହିଥିଲେ । ଏଣୁ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ବିଦ୍ୟାର୍ଥୀମାନଙ୍କୁ ନିଜର ଅରଜିନାଲ ମାର୍କସିଟ ପ୍ରଦାନ କରିବାକୁ ଅଭିଭାବକମାନେ ଦାବି ଜଣାଇଛନ୍ତି ।
