ଶୁଦ୍ଧ ପାନୀୟଜଳ ପାଲଟିଛି ସାତ ସପନ, ବର୍ଷ ବର୍ଷ ଧରି ନଦୀ ପାଣି ପିଉଛନ୍ତି ଲୋକେ

ମାଲକାନଗିରି : ଶୁଦ୍ଧ ପାନୀୟଜଳ ଘରେ ଘରେ ପହଞ୍ଚେଇବା ପାଇଁ ରାଜ୍ୟ ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି । ସେଥିପାଇଁ ସରକାରଙ୍କ ରାଜ କୋଷରୁ କୋଟି କୋଟି ଅର୍ଥ ବ୍ୟୟ କରୁଛନ୍ତି । କିନ୍ତୁ ବାସ୍ତବରେ ତାହା କେତେ ସଫଳ ହେଉଛି ତାହାର ସଠିକ ନିରୂପଣ କରିବା ପାଇଁ ସରକାରଙ୍କ ଯେଉଁ ବ୍ୟବସ୍ଥା ରହିବା କଥା ତାହା ବାସ୍ତବ ଚିତ୍ର ଅଲଗା ଦେଖିବାକୁ ମିଳୁଛି ।

ସରକାରୀ କର୍ମଚାରୀଙ୍କ ଉଦାସୀନତା ପାଇଁ ମୁନ୍ଦିଏ ପାନୀୟଜଳ ପାଇଁ ଡହଳ ବିକଳ ହେଉଛନ୍ତି ସାଧାରଣ ନିରୀହ ଲୋକେ । ଏପରି ଦୃଶ୍ୟ ଦେଖିଲେ ସ୍ପଷ୍ଟ ଜାଣି ହେଉଛି ଯେ ସରକାରଙ୍କ ପାନୀୟଜଳ ଯୋଜନାଗୁଡିକ ସମ୍ପୂର୍ଣ୍ଣ ଭାବେ ଫେଲ ମାରିଛି ।

ଏପରି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଉପାନ୍ତ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ହାଣ୍ଡରାହାଲ ପଞ୍ଚାୟତର ସନୁଗୁଡ଼ା ଗ୍ରାମରେ । ଗ୍ରାମରେ ୩୦ ରୁ ଉର୍ଦ୍ଧ୍ବ ପରିବାର ରହୁଥିବା ବେଳେ, ପ୍ରାୟ ୧୫୦ ଲୋକ ବସବାସ କରୁଛନ୍ତି । ଗାଁରେ ଗୋଟିଏ ହେଲେ ନଳକୂପ ନାହିଁ ଯାହା ଫଳରେ ବର୍ଷ ବର୍ଷ ଧରି ନଦୀ ପାଣି ଉପରେ ନିର୍ଭର କରି ଆସୁଛନ୍ତି । ଗାଁ ପାଖରେ ଥିବା ନଦୀରେ ସବୁ ଦିନ ମହିଳାମାନଙ୍କ ଭିଡ଼ ଜମି ଥାଏ ।

ଗାଧେଇବା, ଲୁଗାପଟା ସଫା କରିବା ଠାରୁ ଆରମ୍ଭ କରି ସବୁ କାମରେ ଲଗାଇଥାନ୍ତି ସେହି ପାଣିକୁ । ପର୍ବପର୍ବାଣୀ ହେଉ ବା ଭୋଜି କିମ୍ବା ଗାଁରେ ବନ୍ଧୁବାନ୍ଧବ ଆସିଲେ ନଦୀ ପାଣି ହିଁ ପିଇବାକୁ ଦିଅନ୍ତି । ନଦୀରେ ଓହ୍ଲାଇ ପାଣି ହାଣ୍ଡି ଧରି ଚଡ଼ିବା ବେଳେ ଅନେକ ସମୟରେ ମହିଳାମାନେ ପାଣି ହାଣ୍ଡି ସହିତ ପଡିଯାଇଛନ୍ତି ବୋଲି କହନ୍ତି ।

ପାଣି ଟୁପାଏ ପାଇଁ ଗର୍ଭବତୀ ମହିଳାମାନେ ମଧ୍ୟ ମୁଣ୍ଡରେ ପାଣି ହାଣ୍ଡି ଧରି ଘାଟି ଚଢ଼ନ୍ତି । କେତେବେଳେ ଅଘଟଣା ଘଟି ପାରେ କହିବା ମୁସ୍କିଲ । ବର୍ଷ ବର୍ଷ ଧରି ଏ ପରିସ୍ଥିତିରେ ଦୁର୍ଗମ ଅଞ୍ଚଳର ଲୋକେ ପାଣି ସଂଗ୍ରହ କରୁଛନ୍ତି, କିନ୍ତୁ ପ୍ରଶାସନର ଦୃଷ୍ଟି ନାହି । ବର୍ଷା ଦିନରେ ନଦୀ ପାଣି ଦୂଷିତ ହେଲେ ମଧ୍ୟ କୌଣସି ବିକଳ୍ପ ନାହିଁ ।

ଦୂଷିତ ପାଣି ପିଉଥିବା ହେତୁ ନାନା ପ୍ରକାର ରୋଗରେ ଶିକାର ହେଉଛନ୍ତି । କିନ୍ତୁ ଏଥିପ୍ରତି ପ୍ରଶାସନର ଦୃଷ୍ଟି ନାହିଁ । କିନ୍ତୁ ରାଜ୍ୟ ସରକାର ପ୍ରତେକ ଗ୍ରାମରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେଉଥିବା ଡିଙ୍ଗୁରା ପିଟୁଛନ୍ତି । ଗାଁ ଗାଁରେ ବସୁଧା ଯୋଜନାର ବୁର୍ଡ ମରାଯାଇଛି ।

କିନ୍ତୁ ଟୁପାଏ ବିଶୁଦ୍ଧ ଜଳ ପାଇଁ ଦୁର୍ଗମ ଅଞ୍ଚଳବାସୀ ଡହଳ ବିକଳ ହୋଇଛନ୍ତି । ଏଥିପ୍ରତି ରାଜ୍ୟ ସରକାରଙ୍କ ଦୃଷ୍ଟି ନାହିଁ । ତେବେ ସରକାର କେବେ ବୁଝିବ ଏମାନଙ୍କ ଦୁଃଖ ଏବଂ କେବେ ଏମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେଉଛି ତାହା ଦେଖିବାର ବାକି ରହିଲା ।

Leave a Reply

Your email address will not be published. Required fields are marked *