ସୋର : ଆମ ଜୀବନ ଜୀବିକା କ୍ଷେତ୍ରରେ ଗୋରୁଗାଈଙ୍କ ଅନେକ ଯୋଗଦାନ ରହିଛି । କେବଳ କୃଷିକ୍ଷେତ୍ର ନୁହେଁ, ଗୋରୁଗାଈଙ୍କ ଠାରୁ ଆମେ ଶରୀର ପାଇଁ ଆବଶ୍ୟକ କରୁଥିବା କ୍ଷୀର ଏବଂ କ୍ଷୀରରୁ ପ୍ରସ୍ତୁତ ଅନ୍ୟାନ୍ୟ ଦ୍ରବ୍ୟ ପାଇଥାଉ । କେବଳ ସେତିକି ନୁହେଁ, ଗାଈର ଗୋବର ବିଭିନ୍ନ କାର୍ଯ୍ୟରେ ଲାଗିଥାଏ । ଗୋ ମୂତ୍ରରେ ଔଷଧୀୟ ଗୁଣ ବି ରହିଛି । ଗୋରୁଗାଈ ଆମ ପରମ୍ପରାର ଏକ ଅଂଶ ବିଶେଷ । ଗାଈକୁ ଆମେ ଗୋମାତା ରୂପରେ ପୂଜା କରିଥାଉ । ସେହିପରି ବଳଦକୁ ମଧ୍ୟ ଅନ୍ନଦାତା ଭାବେ ପୂଜା କରୁ । ହେଲେ ଏବେ ଗୋରୁଗାଈମାନେ ଅବହେଳିତ ଅବସ୍ଥାରେ ରହୁଛନ୍ତି । ଯେଉଁ ଗୋଶାଳାଗୁଡ଼ିକ ନିର୍ମାଣ କରାଯାଇଛି, ସେଗୁଡ଼ିକ ଠିକ୍ ଭାବେ ପରିଚାଳିତ ହେଉନାହିଁ । ଏପରି ସ୍ଥିତି ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ଗୋଶାଳାରେ ।
ରାଜ୍ୟର ସର୍ବପୁରାତନ ଗୋଶାଳାଗୁଡ଼ିକ ମଧ୍ୟରେ ସୋର ଗୋଶାଳା ଅନ୍ୟତମ । ଯାହା ୧୯୨୪ ମସିହାରେ ମୂଳିସିଂ ଗ୍ରାମରେ ପ୍ରତିଷ୍ଠା ହୋଇଥିଲା । ଏଥିପାଇଁ ଛତ୍ରପୁରର ଜମିଦାର ମଦନମୋହନ କର ଜମି ଦାନ କରିଥିଲେ । ପରବର୍ତ୍ତୀ ସମୟରେ ସୋର ଷ୍ଟେସନ୍ ନିକଟ ଚକରାଇପୁର ଗ୍ରାମକୁ ଉକ୍ତ ଗୋଶାଳାକୁ ସ୍ଥାନାନ୍ତର କରାଯାଇଥିଲା । ୧୯୭୭ ମସିହାରେ ପଞ୍ଜିକୃତ ହୋଇଥିଲା ଏହି ଗୋଶାଳା । ଏଠାରେ ଦାନ ପରେ ଏବଂ ଗୋଚାଲାଣ ବେଳେ, ଉଦ୍ଧାର ହେଉଥିବା ଗୋରୁ ତଥା ଦୁର୍ଘଟଣାର ଶିକାର ହେଉଥିବା ମାଲିକବିହୀନ ଗୋରୁମାନଙ୍କୁ ସେବା ଯୋଗାଇ ଦିଆଯାଉଛି । ବର୍ତ୍ତମାନ ଏଠି ୭୧ଟି ଗୋରୁ ଅଛନ୍ତି । ଯେଉଁମାନଙ୍କ ଖାଦ୍ୟ ଓ ସେବା ବାବଦରେ ମାସକୁ ପ୍ରାୟ ୯୦ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି । ଲୋକଙ୍କ ଦାନ ଅର୍ଥରେ ଗୋଶାଳାଟି ୯୮ ବର୍ଷ ହେଲା ପରିଚାଳିତ ହେଉଛି । ହେଲେ ଏହି ଗୋଶାଳା ଉପରେ ସରକାରଙ୍କ ଶୁଭ ଦୃଷ୍ଟି ପଡ଼ିନାହିଁ । ଗୋଶାଳାର ଉନ୍ନତୀକରଣ ପାଇଁ ଗୋଶାଳା କମିଟି ପକ୍ଷରୁ ସରକାରଙ୍କ ଠାରେ ଆବେଦନ କରାଯାଇଥିଲା । ଏ ବାବଦରେ ବିଭାଗୀୟ ଅନୁମୋଦନ ମଧ୍ୟ ମିଳିଥିଲା । ହେଲେ ଦୁର୍ଭାଗ୍ୟ ସରକାରଙ୍କ ପକ୍ଷରୁ ଏଯାଏ କୌଣସି ପଦକ୍ଷେପ ନିଆଯାଇନାହିଁ । ଫଳରେ ଗୋଶାଳାଟି ଅବହେଳିତ ଓ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି ।
ତେବେ ଏପରି ସମୟରେ ତୁରନ୍ତ ଗୋଶାଳାର ଉନ୍ନତୀକରଣ ପାଇଁ ସରକାର ପଦକ୍ଷେପ ନିଅନ୍ତୁ ବୋଲି ସ୍ଥାନୀୟ ଲୋକ ଦାବି କରିଛନ୍ତି । ଗୋଶାଳା ପରିସରରେ କିପରି ଉନ୍ନତମାନର ଘର, ଘାସଚାଷ, ଗୋରୁଗାଈମାନଙ୍କ ଚରାବୁଲା ପାଇଁ ପଡ଼ିଆ ଏବଂ କଂକ୍ରିଟ୍ ରାସ୍ତା ନିର୍ମାଣ ହୋଇପାରିବ । ସେନେଇ ତୁରନ୍ତ ପଦକ୍ଷେପ ନେବା ଉଚିତ ବୋଲି ବୁଦ୍ଧିଜୀବୀ ମତ ରଖିଛନ୍ତି । କେବଳ ସୋର ଗୋଶାଳା ନୁହେଁ, ରାଜ୍ୟର ଅନ୍ୟ ଗୋଶାଳାଗୁଡ଼ିକର ଉନ୍ନତୀକରଣ ପାଇଁ ସରକାର ପଦକ୍ଷେପ ନେଲେ ଆସନ୍ତାକାଲି ସାରା ରାଜ୍ୟରେ ପାଳିତ ହେଉଥିବା ଗୋଷ୍ଠାଷ୍ଟମୀର ମହତ୍ବକୁ ବଢ଼ାଇବ ନିଶ୍ଚୟ ।
