ପୁରୀ : ଶ୍ରୀମନ୍ଦିର ଭଳି ଶ୍ରୀଗୁଣ୍ଡିଚା ମନ୍ଦିରର ନାଟମଣ୍ଡପ ବି ଅସୁରକ୍ଷିତ ହୋଇପଡ଼ିଛି । ଶ୍ରୀଗୁଣ୍ଡିଚା ମନ୍ଦିରର ପିଲାର୍ ଓ ବିମ୍ରେ ଏକାଧିକ ଫାଟ ସୃଷ୍ଟି ହୋଇଛି । ଏହା ସହ ଅନ୍ୟାନ୍ୟ ସ୍ଥାନରେ ବି ଛୋଟବଡ଼ ସମସ୍ୟା ରହିଛି । ଶନିବାର ଦିନ ଶ୍ରୀମନ୍ଦିର ବୈଷୟିକ କୋର୍ କମିଟି ଶ୍ରୀଗୁଣ୍ଡିଚା ମନ୍ଦିର ସ୍ଥିତି ଅନୁଧ୍ୟାନ ବେଳେ ଏଭଳି ସମ୍ବେଦନଶୀଳ ସ୍ଥିତି ଦେଖିବାକୁ ମିଳିଛି । ଶ୍ରୀମନ୍ଦିର ପ୍ରଶାସନ ସହ ଆବଶ୍ୟକ ଆଲୋଚନା କରି ଆସନ୍ତା ୧୦ ଦିନ ଭିତରେ ଏହାର ମରାମତିର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ହୋଇଛି । ସେହି ଅନୁଯାୟୀ ଆଗାମୀ ରଥଯାତ୍ରା ପୂର୍ବରୁ ଆବଶ୍ୟକ ମରାମତି କାମ ସାରିବାକୁ କୋର କମିଟି ଲକ୍ଷ୍ୟ ରଖିଛି ।
ଶ୍ରୀମନ୍ଦିର କୋର କମିଟି ସଦସ୍ୟ ଏନ୍ ସି ପାଲ, ରୁର୍କୀ ସେଣ୍ଟ୍ରାଲ ବିଲ୍ଡିଂ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ର ଫ୍ରଫେସର ଏସ୍ କେ ଭଟ୍ଟାଚାର୍ଯ୍ୟଙ୍କ ସମେତ ୭ ଜଣିଆ ଟିମ୍ ଆଜି ମଧ୍ୟାହ୍ନରେ ଶ୍ରୀଗୁଣ୍ଡିଚା ମନ୍ଦିର ସ୍ଥିତି ଅନୁଧ୍ୟାନ କରିଥିଲେ । ପରେ ଶ୍ରୀଗୁଣ୍ଡିଚା ମନ୍ଦିର ଠାରେ ପରିଚାଳନା କମିଟି ସଦସ୍ୟ ଦୁର୍ଗାପ୍ରସାଦ ଦାସମହାପାତ୍ର, ମାଧବ ଚନ୍ଦ୍ର ପୂଜାପଣ୍ଡା ସାମନ୍ତ ପ୍ରମୁଖଙ୍କ ସହ ଏକ ବୈଠକ କରାଯାଇଥିଲା । ବୈଠକରେ ଶ୍ରୀଗୁଣ୍ଡିଚା ମନ୍ଦିର ମରାମତି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ଶ୍ରୀଗୁଣ୍ଡିଚା ମନ୍ଦିର ସ୍ଥିତି ସମ୍ପର୍କରେ ଶ୍ରୀ ପାଲ୍ କହିଛନ୍ତି, ଶ୍ରୀଗୁଣ୍ଡିଚା ମନ୍ଦିର ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଅଧୀନରେ ରହିଛି । ଶ୍ରୀମନ୍ଦିର ପ୍ରଶାସନ ଏହାର ଆବଶ୍ୟକ ମରାମତି କରୁଛି । ଶ୍ରୀଗୁଣ୍ଡିଚା ମନ୍ଦିର ଗର୍ଭଗୃହ ଶେଷଥର ୧୯୯୪ ମସିହାରେ ମରାମତି ହୋଇଥିଲା । ଶ୍ରୀମନ୍ଦିର ଗର୍ଭଗୃହ ମରାମତି ସମୟରେ ଏହି ମରାମତି ହୋଇଥିଲା ।
ଶ୍ରୀଗୁଣ୍ଡିଚା ମନ୍ଦିର ନାଟମଣ୍ଡପ ୪ଟି ପଥର ପିଲାର୍ ଓ ୪ଟି ପଥର ବିମ୍ ଉପରେ ଠିଆ ହୋଇଛି । ଶ୍ରୀମନ୍ଦିରରେ ବି ସମାନ ଢଙ୍ଗରେ ନାଟମଣ୍ଡପ ତିଆରି ହୋଇଛି । ଚଳିତବର୍ଷ ରଥଯାତ୍ରା ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ନାଟମଣ୍ଡପରେ ଫାଟ ଥିବା ଜଣାପଡ଼ିଥିଲା । ଯେହେତୁ ରଥଯାତ୍ରା ଥିଲା, ସେ ଦୃଷ୍ଟିରୁ ଏହାର ଅସ୍ଥାୟୀ ମରାମତି କରାଯାଇଥିଲା । ଉପଯୁକ୍ତ ଅନୁଧ୍ୟାନ ପରେ ଏହି ଫାଟର ସ୍ଥାୟୀ ମରାମତି ରଥଯାତ୍ରା ପରେ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ସେହି ଅନୁଯାୟୀ ଆଜି ଶ୍ରୀଗୁଣ୍ଡିଚା ମନ୍ଦିର ନାଟମଣ୍ଡପ ଅନୁଧ୍ୟାନ କରାଯାଇଛି । ୪ଟି ପିଲାର୍ରୁ ୩ଟି ରେ ଫାଟ ରହିଛି । ସେହିଭଳି ଗୋଟିଏ ବିମ୍ରେ ଫାଟ ରହିଛି । କିଛି ସ୍ଥାନ ଖରାପ ଥିବା ବି ଅନୁଧ୍ୟାନ ବେଳେ ଜଣାପଡ଼ିଛି । ଆଗାମୀ ରଥଯାତ୍ରା ପୂର୍ବରୁ ସମସ୍ତ ମରାମତି କାମ ସରିବ । ଏହା ଉପରେ ଆଜି ପ୍ରାଥମିକ ଆଲୋଚନା ହୋଇଛି । କେବେଠୁ ଓ କିଭଳି ମରାମତି କାମ ହେବ, ତାର ସମ୍ପୂର୍ଣ୍ଣ ରୂପରେଖ ୧୦ ଦିନ ଭିତରେ ପ୍ରସ୍ତୁତ ହେବ । ଏହାପରେ ପରେ ମରାମତି କାମ ଆରମ୍ଭ ହୋଇଯିବ ବୋଲି ଶ୍ରୀ ପାଲ କହିଛନ୍ତି ।
ଶ୍ରୀମନ୍ଦିର ପ୍ରଶାସନ ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିରର ଆବଶ୍ୟକ ମରାମତି ପାଇଁ ଯେଉଁ କମିଟି କରିଛି, ପ୍ରଫେସର ଭଟ୍ଟାଚାର୍ଯ୍ୟ ତାର ମୁଖ୍ୟ ଅଛନ୍ତି । ପ୍ରଫେସର ଭଟ୍ଟାଚାର୍ଯ୍ୟଙ୍କ କହିବା ଅନୁସାରେ, ଏହି ଫାଟ ସେଭଳି ଜଟିଳ ସମସ୍ୟା ସୃଷ୍ଟି କରିବ ନାହିଁ । ଏହାକୁ ପର୍ଯ୍ୟାୟକ୍ରମେ ମରାମତି କରାଯାଇପାରିବ । ପଥର, ପିଲାର୍, ବିମ୍ ଆଦିରେ ଯେଉଁ ସମସ୍ୟା ରହିଛି, ଆମେ ଅତ୍ୟାଧୁନିକ ଜ୍ଞାନକୌଶଳ ସହ ପୁରୁଣା ପ୍ରତ୍ନତତ୍ତ୍ବ ଶୈଳୀ ଆଧାରରେ ଏହାର ମରାମତି କରିବୁ ବୋଲି ଶ୍ରୀ ଭଟାଚାର୍ଯ୍ୟ କହିଛନ୍ତି ।
