ଧାମନଗର : ଧାମନଗର ଉପନିର୍ବାଚନ ଫଳାଫଳ ନିର୍ଣ୍ଣୟ କରିବାରେ ରାଜୁ ଦାସ ଯେମିତି ବର୍ତମାନ ଏକ ଗୁରୁତ୍ୱପୁର୍ଣ୍ଣ ଭୂମିକାରେ ଠିକ ସେମିତି ସଂଖ୍ୟାଲଘୁ ଭୋଟ ମଧ୍ୟ ଏକ ସମାନ ଗୁରୁତ୍ୱପୁର୍ଣ୍ଣ ସ୍ଥିତିର । ଧାମନଗର ବିଧାନସଭାରେ ସଂଖ୍ୟାଲଘୁ ଭୋଟ ସଂଖ୍ୟା ହେଉଛି ପାଖାପାଖି ୧୩ ହଜାର । ଉପନିର୍ବାଚନର ଏଭଳି କଡା ମୁକାବିଲା ଭିତରେ ୧୩ ହଜାର ଏକ ବଡ ସଂଖ୍ୟା । ହେଲେ ସେହି ଭୋଟରୁ କେତେ କାହା ପାଖକୁ ଯାଉଛି ତାହା ହେଉଛି ଗୁରୁତ୍ୱପୁର୍ଣ୍ଣ । କାରଣ ଚାରି ଜଣ ଯାକ ପାର୍ଥୀ ସଂଖ୍ୟାଲଘୁ ଭୋଟରଙ୍କ ପାଖରେ ସଙ୍ଗଠନ ରଖିଛନ୍ତି ।
କଂଗ୍ରସରୁ ପାର୍ଥୀ ହୋଇଥିବା ବାବା ସେଠୀ ସଂଖ୍ୟାଲଘୁଙ୍କ ପାଖରେ ଆଗରେ ଅଛନ୍ତି । ସେ ନିଜେ ମୁସଲିମମାନଙ୍କ ସହ ରୋଜା ରଖନ୍ତି, ସେମାନଙ୍କ ଜୁଲୁସରେ ସାମିଲ ହୁଅନ୍ତି । ତାଙ୍କର ନିଜର ପକେଟ ଭୋଟ ଭାବରେ କିଛି ସଂଖ୍ୟାଲଘୁ ଭୋଟ ଅଛି । ସେହିଭଳି ରାଜୁ ଦାସ ମଧ୍ୟ ପ୍ରଥମ ଦିନରୁ ସଂଖ୍ୟାଲଘୁ ଭୋଟର ଉପରେ ନଜର ରଖିଛନ୍ତି । ତାଙ୍କର ପ୍ରଚାରରେ ସେ ସବୁବେଳେ ସଂଖ୍ୟାଲଘୁ ଭୋଟରଙ୍କ ଉଦ୍ଦେଶ୍ୟରେ କିଛି ନା କିଛି କହୁଛନ୍ତି । ତେଣୁ ରାଜୁ ଦାସଙ୍କ ଆଡେ ମଧ୍ୟ କିଛି ସଂଖ୍ୟା ଲଘୁ ଭୋଟ ଯାଇପାରେ । ସେହିଭଳି ବିଜେପି ମଧ୍ୟ ସଂଖ୍ୟାଲଘୁ ଭୋଟ ହାତେଇବା ପାଇଁ ରାଜ୍ୟ ସଂଖ୍ୟାଲଘୁ ସେଲର ପୁରା ଟିମ୍ କୁ ଏଠାରେ ପ୍ରଚାରରେ ଲଗାଇଛି ।
ସଂଖ୍ୟାଲଘୁ ଭୋଟରଙ୍କ ଭିତରୁ ବିଶେଷ ଭାବରେ ଯୁବା ବର୍ଗର ଭୋଟରମାନେ ଏବେ ବିଜେପି ମୁହାଁ ବୋଲି ଜଣାପଡୁଛି । ସଂଖ୍ୟାଲଘୁ ମହିଳାମାନଙ୍କୁ ମଧ୍ୟ ବିଜେପି ନିଜର ନୀରବ ଭୋଟର ଭାବରେ ଭାବି ପ୍ରଚାର ଚଲାଇଛି । ଆଉ ଶାସକ ଦଳ ମଧ୍ୟ କେମିତି ସଂଖ୍ୟାଲଘୁ ଭୋଟକୁ ପୁରା ହାତେଇବ ସେନେଇ ରଣକୌଶଳ ଆରମ୍ଭ କରିଦେଇଛି । ନିର୍ବାଚନରେ ସଂଖ୍ୟାଲଘୁମାନଙ୍କର ଏକମାତ୍ର ପ୍ରସଙ୍ଗ ହେଉଛି ବିକାଶ । ଓଡିଶା ଓାକଫ ବୋର୍ଡ, ମଦ୍ରାସା ବୋର୍ଡର ମୁଖ୍ୟ ପଦ ୮ ବର୍ଷ ହେଲାଣି ଫାଙ୍କା ପଡିଛି । ସେହିଭଳି ହଜ କମିଟି, ଉର୍ଦ୍ଦୁ ବୋର୍ଡର ମୁଖ୍ୟ ପଦ ମଧ୍ୟ ଖାଲି ପଡିଛି ।
ଏଭଳି ଗୁରୁତ୍ୱପୁର୍ଣ୍ଣ ପଦବୀ ସବୁ ଖାଲି ପଡିବା ମଧ୍ୟ ଧାମନଗରରେ ଏକ ନିର୍ବାଚନ ପ୍ରସଙ୍ଗ ପାଲଟିଥିବା ଦେଖିବାକୁ ମିଳୁଛି । ସେହିଭଳି ମୁସଲମାନ ସଂମ୍ପ୍ରଦାୟର ଆର୍ଥୀକ ବିକାଶ ପାଇଁ ସୃଷ୍ଟି କରାଯାଇଥିବା ସ୍ୱତନ୍ତ୍ର ନିଗମ ମାଇନୋରଟି ଫାଇନାନ୍ସିଆଲ ଡେଭଲପମେଂଟ କର୍ପୋରେସନକୁ ମଧ୍ୟ ବନ୍ଦ କରିଦିଆଯିବା ଆଉ ଏକ ପ୍ରସଙ୍ଗ ଯାହା ପାଇଁ ମୁସଲମାନମାନେ ଆଗରୁ ପାଉଥିବା ରୁଣ ସୁବିଧାରୁ ବଂଚିତ ହେଉଛନ୍ତି ।
