ନରସିଂହପୁର : ସର୍ବଶିକ୍ଷା ଅଭିଯାନ । ସଭିଏଁ ପଢନ୍ତୁ ସଭିଏଁ ବଢ଼ନ୍ତୁ । ସରକାରଙ୍କର ଦଣ୍ଡମୁକ୍ତ ଅଞ୍ଚଳ ଓ ଭେଦଭାବ ମୁକ୍ତ ଅଞ୍ଚଳର ନାରା ନରସିଂହପୁର ବ୍ଲକରେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ଏବେ କିଛି ଦିନ ହେବ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରଲ ହେବାରେ ଲାଗିଛି । ଜଣେ ସାର୍ ବାଡ଼ି ଧରି ଛିଡା ହୋଇ ତାଗିଦ କରୁଛନ୍ତି ଓ ଅନ୍ୟ ଦୁଇ ଜଣ କୋମଳବତୀ ପଞ୍ଚମ ଶ୍ରେଣୀର ଛାତ୍ର କୋଡ଼ିରେ ବାଲି ଗଦାଉଛନ୍ତି । ଏ ଦୃଶ୍ୟ ହେଉଛି ନରସିଂହପୁର ଶିକ୍ଷା ମଣ୍ଡଳ ଅଧିନ କେନ୍ଦୁପଲ୍ଲୀ ସରକାରୀ ପ୍ରାଥମିକ ବିଦ୍ୟାଳୟର ।
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧନେଶ୍ୱର ବିଶ୍ୱାଳ । ଦୁଇ ଛାତ୍ରଙ୍କୁ ତାଗିଦ କରି ହାତରେ ଏକ ବାଡ଼ି ଧରି ବାଲି ଗଦାଇବା ପାଇଁ କହୁଛନ୍ତି । ଯାହାର ଭିଡିଓ ଭାଇରାଲ ହୋଇଛି । ତେବେ ସ୍କୁଲର ଉନ୍ନତିକରଣ ପାଇଁ ବାଲି ମଗା ଯାଇଥିଲା ଏବଂ କିଛି କାମ ସରିବା ପରେ ବଳକା ବାଲିକୁ ପିଲାମାନେ ଗଦାଇ ଦେଉଥିବା ମାନିଛନ୍ତି ଶିକ୍ଷକ ।
ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲ ଉନ୍ନତିକରଣ ପାଇଁ ପ୍ରଚୁର ଅର୍ଥ ଯୋଗାଇ ଦିଆଯାଉଛି । ହେଲେ ଶ୍ରମିକ କାର୍ଯ୍ୟରେ ଛାତ୍ରଙ୍କୁ ନିୟୋଜିତ କରାଯିବା ନେଇ ମଧ୍ୟ କିଛି ଅଭିଭାବକ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏନେଇ ବ୍ଲକ ଶିକ୍ଷା ଅଧିକାରୀ ରବୀନ୍ଦ୍ର କୁମାର ପ୍ରଧାନଙ୍କୁ ପଚାରିବାରୁ ସେ ନିଜେ ଏହି କାର୍ଯ୍ୟରୁ ଦୃଢ଼ ନିନ୍ଦା କରିବା ସହ ସମ୍ପୃକ୍ତ ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଓ କାରଣ ଦର୍ଶାଅ ନୋଟିସ ଜାରି କରିବେ ବୋଲି ପ୍ରତିକ୍ରିୟା ଦେଇଛନ୍ତି ।
