ଭୁବନେଶ୍ବର : ୨୧୫ ଟଙ୍କାର ମଜୁରି ଉଠାଣ ପାଇଁ ୨୦୦ ଟଙ୍କା ଖର୍ଚ କରୁଛନ୍ତି ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ଅନେକ ଶ୍ରମିକ । ଲିବଟେକ ଇଣ୍ଡିଆ ଏବଂ ଏଫଇଏସ ପକ୍ଷରୁ ରାଜ୍ୟର ୫ଟି ବ୍ଲକ (ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ, କେନ୍ଦୁଝର ଜିଲ୍ଲାର ବଂଶପାଳ, ଢେଙ୍କାନାଳ ଜିଲ୍ଲାର କଙ୍କଡ଼ାହାଡ଼, କୋରାପୁଟ ଜିଲ୍ଲାର ପଟାଙ୍ଗି ଏବଂ ସେମିଳିଗୁଡ଼ା)ର ୧୦୬୬ ମନରେଗା ଶ୍ରମିକଙ୍କ ମଜୁରି ସମସ୍ୟା ନେଇ କରାଯାଇଥିବା ନମୁନା ସର୍ଭେରେ ଏହି ତଥ୍ୟ ଜଣାପଡ଼ିଛି । ରାଜ୍ୟର ୬୩ ପ୍ରତିଶତ ଗ୍ରାମପଞ୍ଚାୟତରେ କୌଣସି ବ୍ୟାଙ୍କ ଶାଖା ନଥିବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଛି । ତେଣୁ ଶ୍ରମିକଙ୍କ ନିକଟତର ସ୍ଥାନରେ ବ୍ୟାଙ୍କ ଶାଖା, ଗ୍ରାହକ ସେବା କିମ୍ବା ଏଟିଏମ ବ୍ୟବସ୍ଥା କରିବାକୁ ସଙ୍ଗଠନ ସୁପାରିସ କରିଛି ।
ମଜୁରି ବାଟମାରଣାକୁ ରୋକିବା ପାଇଁ ସିଧାସଳଖ ବ୍ୟାଙ୍କରେ ପ୍ରାପ୍ୟ ଜମାର ବ୍ୟବସ୍ଥା ହେଲା । ହେଲେ ଯୋଜନା ଆରମ୍ଭ ହେବା ଦିନ ଠାରୁ ଦେଖାଯାଇଥିବା ମନରେଗା ମଜୁରି ସମସ୍ୟା ଦୂର ହୋଇନାହିଁ । କିଛି ଦିନ ପୂର୍ବରୁ ୨୦୧୧ ମସିହାର ବିଳମ୍ବିତ ମଜୁରି ମାମଲାରେ ଅଦାଲତ ଯାଜପୁର ଜିଲ୍ଲାର ଜଣେ ଶ୍ରମିକଙ୍କୁ ୩ ଲକ୍ଷ ଟଙ୍କାର ବିଳମ୍ବିତ ଦେୟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ହେଲେ ବାସ୍ତବତା ହେଲା, ବ୍ୟାଙ୍କ ଭିତ୍ତିଭୂମି ଅଭାବରୁ ଶ୍ରମିକ ନିଜ ଟଙ୍କା ପାଇଁ ଘଣ୍ଟା-ଘଣ୍ଟା ଧାଡ଼ିରେ ଛିଡ଼ା ହେବା ସହିତ ଅନେକ ଦହଗଞ୍ଜର ସମ୍ମୁଖୀନ ହେଉଛି । ଯାହା ଏହି ନମୁନା ସର୍ଭେ ରିପୋର୍ଟରେ କୁହାଯାଇଛି ।
ରିପୋର୍ଟ ଅନୁଯାୟୀ, ପ୍ରାୟ ୫୦ ପ୍ରତିଶତ ଶ୍ରମିକଙ୍କୁ ମଜୁରି ଉଠାଣ ପାଇଁ ୨୦୦ ଟଙ୍କା, ୨୭ ପ୍ରତିଶତଙ୍କୁ ୧୦୦ ଟଙ୍କା ଖର୍ଚ କରିବାକୁ ପଡ଼ୁଛି । ବ୍ୟାଙ୍କ ଶାଖାମାନଙ୍କ ଭୌଗଳିକ ସ୍ଥିତି ଏଭଳି ଯେ ଅଧା ମଜୁରିଆଙ୍କୁ ୧୦ କିଲୋମିଟର ଯାତ୍ରା କରିବାକୁ ପଡ଼ୁଛି । ଏହାପରେ ମଧ୍ୟ କଷ୍ଟ ସରୁ ନାହିଁ । ଏକ ପଞ୍ଚମାଂଶ ଗ୍ରାହକ ସେବା କେନ୍ଦ୍ରରେ ଟଙ୍କା ଉଠାଣ ପାଇଁ ପ୍ରାୟ ୬ ଘଣ୍ଟା ସମୟ ଚାଲିଯାଏ । କେବଳ ୧୮ ପ୍ରତିଶତ ସ୍ଥାନରେ ୧ ଘଣ୍ଟାରୁ କମ ସମୟ ମଧ୍ୟରେ କାର୍ଯ୍ୟ ହୋଇଯାଏ । ଏଭଳି ସ୍ଥିତି ଯୋଗୁଁ ୭୩ ପ୍ରତିଶତ ଶ୍ରମିକ କେବଳ ଟଙ୍କା ଉଠାଣ ପାଇଁ ଗୋଟିଏ ଦିନର କାର୍ଯ୍ୟ ଦିବସକୁ ହରାନ୍ତି । ବ୍ୟାଙ୍କ ଗହଳି, ନେଟୱାର୍କ ଏବଂ ବିଜୁଳି ସମସ୍ୟା ବିଳମ୍ବର କାରଣ ଅଟେ । ବେତନଭୋଗୀଙ୍କ ଭଳି ଏମାନଙ୍କ ମଜୁରି ନିର୍ଦିଷ୍ଟ ଦିନରେ ଜମା ହେଉନଥିବାରୁ ଏ ସମ୍ପର୍କିତ ସୂଚନା ପାଇବା କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ୬୩ ପ୍ରତିଶତ ଶ୍ରମିକ ବାରମ୍ବାର ବ୍ୟାଙ୍କ ଯାଇ ଖର୍ଚାନ୍ତ ହେବାସହିତ ବିଭିନ୍ନ ପ୍ରକାର କଷ୍ଟ ପାଆନ୍ତି । କେବଳ ୫୦ ପ୍ରତିଶତ ଶ୍ରମିକ ହିଁ ଏସଏମଏସ କିମ୍ବା ପ୍ରୋଗ୍ରାମ ଅଧିକାରୀଙ୍କ ଠାରୁ ମଜୁରି ଜମା ସମ୍ପର୍କିତ ସୂଚନା ହାସଲ କରିନିଅନ୍ତି ।
ଗୋଟିଏ ପକ୍ଷରେ ବ୍ୟାଙ୍କରେ ମଜୁରି ଜମା ହେଉଛି । ଅନ୍ୟ ପଟରେ ୧୩ ପ୍ରତିଶତ ଗ୍ରାହକ ସେବା କେନ୍ଦ୍ରର ବ୍ୟବହାରକାରୀଙ୍କ ପାସବୁକ ନାହିଁ । ଯେଉଁମାନଙ୍କ ପାସବୁକ ଅଛି ସେମାନଙ୍କ ମଧ୍ୟରୁ ୩୫ ପ୍ରତିଶତ କେବେହେଲେ ଅପଡେଟ୍ କରନ୍ତି ନାହିଁ । ଏପରିକି ୧୩ ପ୍ରତିଶତ ଏଭଳି ମଧ୍ୟ ଶ୍ରମିକ ଅଛନ୍ତି, ଯେଉଁମାନେ ସେମାନଙ୍କ ମଜୁରି ଜମାରେ ଗଡ଼ବଡ଼ ହୋଇଥିଲେ ମଧ୍ୟ ଜାଣି ମଧ୍ୟ ପାରନ୍ତି ନାହିଁ । ଏହା ସତ୍ତ୍ବେ ୧୮ ପ୍ରତିଶତ ଶ୍ରମିକ ନିଜ ମଜୁରି ବାଟମାରଣା ସମ୍ପର୍କରେ ଅଭିଯୋଗ କରିଥିଲେ । ସେଥିରୁ ମଧ୍ୟରୁ କେବଳ ୧ ପ୍ରତିଶତ ହିଁ ଲିଖିତ ଭାବରେ ଅଭିଯୋଗ ପତ୍ର ଦାଖଲ କରିଛନ୍ତି । ଲିଖିତ ଅଭିଯୋଗର ୭୮ ପ୍ରତିଶତଙ୍କ ସମସ୍ୟାର ସମାଧାନ ହୋଇନାହିଁ । ଏଭଳି ସ୍ଥିତିରେ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୁଏ ନାହିଁ । ମଜୁରି ଉଠାଣ ସମସ୍ୟା ସମାଧାନ ପାଇଁ ବ୍ୟାଙ୍କରେ ଇଣ୍ଟରନେଟ୍, ବିଜୁଳି ବ୍ୟବସ୍ଥାକୁ ସୁଦୃଢ, ମଜୁରି ଜମା ନେଇ ସୂଚନାର ସୁଦୃଢ ବ୍ୟବସ୍ଥା, ଆର୍ଥିକ ପ୍ରତିଷ୍ଠାନଗୁଡ଼ିକ ଶ୍ରମିକମାନଙ୍କୁ ପାସବୁକ ଦେବା ସହିତ ନିୟମିତ ଅପଡେଟ କରିବେ, ମନରେଗା ମଜୁରି ସମସ୍ୟା ସମାଧାନ ପାଇଁ ବ୍ୟବସ୍ଥା କରିବାକୁ ସୁପାରିସ କରାଯାଇଛି । ଅନ୍ୟ ଦିଗରେ ଟଙ୍କା ଉଠାଣ ପାଇଁ ଶ୍ରମିକମାନେ ଯାତାୟାତ ଭାବରେ ଏତେ ଟଙ୍କା ଖର୍ଚ କରିବା ରିପୋର୍ଟକୁ ବିଭାଗୀୟ ଅଧିକାରୀ ଅସ୍ବୀକାର କରନ୍ତି ।
