ଭୁବନେଶ୍ବର : ସୋମବାର ସାରା ଓଡ଼ିଶା ଦୀପାବଳି ପାଳନ କରୁଥିବାବେଳେ ବିଭିନ୍ନ ସ୍ଥାନରେ ଅଘଟଣ ଘଟିଛି । କେଉଁଠି ଆତସବାଜି ଫୁଟିଥିବାବେଳେ କେଉଁଠି ଗୁଳି ଫୁଟିଛି । ଆଉ କେଉଁଠି ବାଣ ନିଆଁରୁ ଅଗ୍ନିକାଣ୍ଡ ଘଟିଛି । ଆଉ କେତେକ ସ୍ଥାନରେ ବାଣ ନିଆଁରୁ କେତେକ ଲୋକ ଆହତ ହୋଇଥିବା ବି ସୂଚନା ମିଳିଛି । ସୋମବାର ରାତିରେ କଟକର ଏକ ଲୁଗା ଦୋକାନରେ ଅଗ୍ନିକାଣ୍ଡ ଘଟିଛି । ନୟସଡ଼କ ଠାରେ ଥିବା ଏହି ଲୁଗା ଦୋକାନରେ ବାଣ ଫୁଟା ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବାବେଳେ ଏଥିରେ କେହି ମୃତାହତ ହୋଇନାହାନ୍ତି ।
ସେହିପରି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବଡସୁଆଁଳୋ ଗ୍ରାମରେ ଏକ ବାଣି ଦୋକାନରେ ଅଗ୍ନିକାଣ୍ଡ ଘଟି ଦୁଷ୍ମନ୍ତ ନାୟକ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ପୁଅଙ୍କ ସମେତ ୪ ଜଣ ଗୁରୁତର ହୋଇଛନ୍ତି । ସେହିପରି ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ଓଏମଏମ ଛକରେ ଥିବା ଜ୍ୟୋତି ଏଣ୍ଟରପ୍ରାଇଜେର୍ସରେ ସୋମବାର ରାତିରେ ନିଆଁ ଲାଗି ଯାଇଛି । ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବା ସୂଚନା ମିଳିଛି । ସେହପରି ଦୀପାବଳି ପାଇଁ ରାଜ୍ୟବାସୀଙ୍କ ସମେତ କେନ୍ଦ୍ରାପଡ଼ା ଜିଲ୍ଲାରେ ଲୋକେ ବ୍ୟସ୍ତ ଥିବା ବେଳେ ମହାକାଳପଡା ବ୍ଲକ ବଡିହି ପଂଚାୟତର ଛତର ଗ୍ରାମରେ ଆଜି ରାତିରେ ଭୟାବହ ଅଗ୍ନିକାଣ୍ଡ ଦେଖାଯାଇଛି । ଅଗ୍ନିକାଣ୍ଡ ଘଟି ୧୦ ବଖରା ଘର ଜଳିଯାଇଛି । ଫଳରେ ଲୋକଙ୍କର ବହୁ ମୂଲ୍ୟବାନ ଜିନିଷ ସହିତ ଅନ୍ୟ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି । ଏଭଳି ସ୍ଥିତିରେ ଭଦ୍ରକରେ ସଡକ ଦୁର୍ଘଟଣାରେ ୨ ଜଣଙ୍କ ଜୀବନ ଯାଇଛି । ଚନ୍ଦନପୁରରେ ଗୁଳିମାଡରେ ଜଣଙ୍କର ମୃତ୍ୟୁ ହୋଇଛି । ନୟାଗଡର ଦଶପଲ୍ଲାରେ ବି ଛୁରା ମାଡରେ ଜଣଙ୍କର ମୃତ୍ୟୁ ହୋଇଛି । ଏଭଳି ରାଜ୍ୟର ବିଭିନ୍ନ ସ୍ଥାନରେ ଅନେକ ଅଘଟଣ ଘଟିଛି । ଏଭଳି ସ୍ଥିତିରେ ଭଦ୍ରକରେ ଆରମ୍ଭ ହୋଇଛି ମା’ କାଳୀଙ୍କ ପୂଜାର୍ଚ୍ଚନା । ଦୀପାବଳିରେ ଅନେକ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ କରିଥିବା ସୂଚନାମିଳିଛି । ଆକର୍ଷଣୀୟ ତୋରଣ ଓ ଚୁମ୍ବକୀୟ ଆଲୋକମାଳାରେ ଭଦ୍ରକ ଝଲସିଛି ।
