ଆଜି ଠାରୁ ଦୁଇଦିନ ପର୍ଯ୍ୟନ୍ତ କିଛି ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଆଜି ନେବ ତୀବ୍ର ଅବପାତର ରୂପ । ଆସନ୍ତା କାଲି ସକାଳ ସୁଦ୍ଧା ଏହା ଏକ ସାମୁଦ୍ରିକ ବାତ୍ୟାରେ ପରିଣତ ହେବ । ଏହାର ପ୍ରଭାବରେ ଆଜିଠୁ ଦୁଇଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

ଆଇଏମଡ଼ିର ଆକଳନ ଅନୁଯାୟୀ ସୃଷ୍ଟି ହୋଇଥିବା ଅବପାତ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଘନୀଭୂତ ହୋଇ ଆଜି ତୀବ୍ର ଅବପାତରେ ପରିଣତ ହେବ । ପରେ ଏହା ସାମାନ୍ୟ ଦିଗ ପରିବର୍ତ୍ତନ କରି ଉତ୍ତର ଓ ଉତ୍ତର-ପୂର୍ବ ଆଡକୁ ଗତି କରି ବାତ୍ୟାର ରୂପ ନେବ । ପରେ ଏହା ଉତ୍ତର ଓ ଉତ୍ତର-ପୂର୍ବ ମୁହାଁ ହୋଇ ଗତି କରି ୨୫ ତାରିଖରେ ବାଲାଂଦେଶ ଉପକୂଳରେ ସ୍ଥଳଭାଗକୁ ଛୁଇଁବ । ଓଡିଶା ଉପକୂଳର ବହୁ ଦୂରରେ ବାତ୍ୟା ଅତିକ୍ରମ କରିବ ।

ଉକ୍ତ ବାତ୍ୟା ପ୍ରଭାବରେ ଆଜି ପୁରୀ, ଜଗତସିଂହପୁର ଏବଂ କେନ୍ଦ୍ରାପଡା ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସେହିପରି ଆସନ୍ତାକାଲି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର ଏବଂ କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଆଶଙ୍କା ରହିଛି । ଏସବୁ ଜିଲ୍ଲାଗୁଡିକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଥିବା ବେଳେ, ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି ।

Leave a Reply

Your email address will not be published. Required fields are marked *